କୋଟିଏ ସୁନା ଅଳଙ୍କାର ଠକେଇ, ଦୁଇ ସୁନା ବ୍ୟବସାୟୀ ସମେତ ୪ ଗିରଫ

ସାରନଗରୀ: ରାଉରକେଲା ସହରର ଦୁଇ ଜଣ ପ୍ରତିଷ୍ଠିତ ସୁନା ଅଳଙ୍କାର ବ୍ୟବସାୟୀ ପୁଲିସ ଜାଲରେ ପଡ଼ିଛନ୍ତି। ସେମାନେ ହେଲେ ଦିନାନାଥ ସାହୁ ଓ ମନୋଜ ପ୍ରସାଦ ସାହୁ। ଏହି ଦୁଇ ସୁନା ବ୍ୟବସାୟୀ ଜଣେ ବ୍ୟକ୍ତିଙ୍କ ଠାରୁ ବନ୍ଧକ ନକଲି ସୁନା କ୍ରୟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଟାଙ୍ଗରପାଲୀ ପୁଲିସ ଦୁଇ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସେମାନଙ୍କ ଠାରୁ ଏକ କିଲୋ ୫୩ ଗ୍ରାମ ସୁନା ଜବତ କରିଛି । ଏହି ଘଟଣାର ତଦନ୍ତ କରି ପୁଲିସ ଜଣେ ବ୍ୟକ୍ତି ଓ ତାଙ୍କ ମା’ଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ପ୍ଲାଂଟସାଇଟ ଥାନା ଅଂଚଳରେ ରହୁଥିବା ଉମଙ୍ଗ କାପୁର (୨୪) ସୁନା ଅଳଙ୍କାର ବନ୍ଧକ ରଖି କମ ପ୍ରତିଶତରେ ସୁଧ କାରବାର କରିଥାନ୍ତି। ସେ ସାରନଗରୀ ଅଂଚଳର ବାସନ୍ତୀ ସାମନ୍ତଙ୍କ ସମେତ ପ୍ରାୟ ୫ ଜଣ ବ୍ୟକ୍ତି ଉମଙ୍ଗଙ୍କ ନିକଟରେ ସୁନା ବନ୍ଧକ ରଖିଥିଲେ। ପରେ ଉମଙ୍ଗ ଓ ତା’ର ମା ବନ୍ଧକ ଥିବା ସୁନା ନକଲି ଥିବା ଜାଣିବାକୁ ପାଇଥଲେ। ଏହାପରେ ମା ଓ ପୁଅ କୌଶଳକ୍ରମେ ସମସ୍ତ ସୁନା ଅଳଙ୍କାର ଉପରୋକ୍ତ ଦୁଇ ଜଣ ଖ୍ୟାତନାମା ଅଳଙ୍କାର ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥିଲେ। ପ୍ରଥମେ ଟାଙ୍ଗରପାଲୀ ପୁଲିସ ଉମଙ୍ଗକୁ ଗିରଫ କରିଥିବା ବେଳେ, ତା’ର ମାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ଉମଙ୍ଗ ପୁଲିସକୁ ଦେଇଥିବା ସୂଚନା ଆଧରରେ ଟାଙ୍ଗରପାଲୀ ପୁଲିସ ୨ ସୁନା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଘଟଣାରତଦନ୍ତ ଜାରି ରଖିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.