କରୋନା ସଙ୍କଟ ଭିତରେ ହଜିଗଲା ଦାବି; ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ କେବେ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ରାଉରକେଲା: କରେନା ସଙ୍କଟ ପାଇଁ ମାଟ୍ରିକ ଓ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇଛି। ମହାବିଦ୍ୟାଳୟରେ ନାମ ଲେଖା ପକ୍ରିୟା ଆରମ୍ଭ ହୋଇଛି। ତେବେ ସୁନ୍ଦରଗଡ଼ ଜିଲାର ଅନ୍ୟତମ ମହାବିଦ୍ୟାଳୟ ଭାବେ ପରିଚିତ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକ ବିଶ୍ୱବିଦ୍ୟାଳୟ ମାନ୍ୟତା ସକାଶେ ସରକାରଙ୍କ ନିକଟରେ ଥିବା ଦାବି କାଗଜ କଲମରେ ସୀମିତ ହୋଇଯାଇଛି। କରେନା ସଙ୍କଟ ଭିତରେ ଦାବି ଉଠାଉଥିବା ଶିକ୍ଷାିବତ୍‍ ଓ ଶିକ୍ଷାର୍ଥୀଙ୍କ ସ୍ୱର ବି ହଜି ଯାଇଛି। ଏପରିକି ସୁନ୍ଦରଗଡ଼ ଜିଲା ସଦର ମହକୁମାରେ ଥିବା ସରକାରୀ ମହାବିଦ୍ୟାଳୟକୁ ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ସକାଶେ ମଧ୍ୟ ବହୁ ବହୁବର୍ଷ ପୂର୍ବରୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ବାସ୍ତବ ରୂପ ନେଇ ପାରୁନାହିଁ।

ଉଲ୍ଲେଖଯୋଗ୍ୟ ଯେ. କଟକରେ ରେଭେନ୍ସା ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରରେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ସମ୍ବଲପୁରରେ ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା। ଜାତୀୟ ମାନ ଆଧାରରେ ଓଡ଼ିଶାରେ ବିଶ୍ୱିବିଦ୍ୟାଳୟ ସଂଖ୍ୟା ବହୁତ କମ ଥିବାରୁ ରାଜ୍ୟ ସରକାର ଏହି କ୍ରମରେ କେତେକ ପ୍ରମୁଖ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ଦୌଡ଼ରେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ବଲାଙ୍ଗୀରର ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କଳାହାଣ୍ଡିର ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟ ରହିଥିଲା। ତେବେ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଭବାନିପାଟଣା ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିବା ବେଳେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏହି ଦୌଡ଼ରୁ ବଞ୍ଚିତ ହୋଇଛି।

ପଶ୍ଚିମାଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱତନ୍ତ୍ରତା ରହିଛି। ଏହି ମହାବିଦ୍ୟାଳୟର ଇତିହାସ ବହୁ ପୁରୁଣା ହୋଇଥିବା ବେଳେ ସେକ୍ଟର-୪ରୁ ବିଜ୍ଞାନ ମହାବିଦ୍ୟାଳୟ ଭାବେ ଏହା ଆରମ୍ଭ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନ ବହୁ ସଫଳ ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିତଙ୍କୁ ସୃଷ୍ଟି କରିଛି। ଯୁକ୍ତ ଦୁଇ ଓ ଯୁକ୍ତ ତିନିର ନାମ ଲେଖାକୁ ଦେଖିଲେ ‘ସାମ’ ଆଧାରରେ ନିକଟରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିବା ଅନ୍ୟ ମହାବିଦ୍ୟାଳୟ ଠାରୁ ବହୁ ଆଗରେ ରହିଛି। ଏକାଡେମିକ ଫଳାଫଳ କ୍ଷେତ୍ରରେ ମଧ୍ୟ ମହାବିଦ୍ୟାଳୟର ସ୍ୱନାମ ରହିଛି। ଚଳିତବର୍ଷ ଯୁକ୍ତ ଦୁଇ ଫଳାଫଳରେ ମହାବିଦ୍ୟାଳୟ ଏହି ସଫଳତାର ଧାରାକୁ ଅବ୍ୟାହତ ରଖିଛି। ଏକ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟରେ ଏହା ପରିଣତ ହେବା ପାଇଁ ସମସ୍ତ ଭିତିଭୂମି ରହିଛି। ମହାବିଦ୍ୟାଳୟର ନିଜସ୍ୱ ବୃହତ ଅଞ୍ଚଳ ରହିଛି। କଲେଜର ୩୫ ଏକର ନିଜସ୍ୱ ଜମି ରହିଛି। ସବୁଠାରୁ ବଡ଼ କଥା ହେଉଛି ଏଠାରେ ୧୭ଟି ବିଭାଗର ସ୍ନାତକୋତର ଶ୍ରେଣୀ ରହିଛି। ୩ଟି ଏମଫିଲ ମଧ୍ୟ ରହିଛି। ୧୭ଟି ବିଭାଗର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ସଂଖ୍ୟା ପୂରଣ ହେଉଥିବା ଆଉ ଏକ ଉଲ୍ଲେଖନୀୟ ଘଟଣା। ଉଭୟ ବର୍ଷର ହିସାବକୁ ନେଲେ ଏହି ମହାବିଦ୍ୟାଳୟରେ କେବଳ ସ୍ନାତକୋତର ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୧୩୬୦ । କୌଣସି ସିଟ୍‍ ଖାଲି ନାହିଁ। ଗତବର୍ଷ ଫର୍ମ ବିକ୍ରିରେ ମହାବିଦ୍ୟାଳୟ କର୍ତୃପକ୍ଷ ୧୨ଲକ୍ଷ ଟଙ୍କା ପାଇଥିଲେ। ଏମଫିଲରେ ୩ଟି ବିଷୟ ରହିଛି। ସମସ୍ତ ୨୦ଟି ସ୍ନାତକ କୋର୍ସ ମଧ୍ୟରୁ ୩ଟି ବିଷୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଷୟରେ ସ୍ନାତକୋତର ଶ୍ରେଣୀ ରହିଛି। ଏହି ବିଶ୍ୱବିଦ୍ୟାଳୟ ହେଲେ ରାଉରକେଲା ଓ ସୁନ୍ଦରଗଡ଼ ଜିଲାରେ ଥିବା ଡିଗ୍ରୀ ମହାବିଦ୍ୟାଳୟ ବିଶେଷଭାବେ ଉପକୃତ ହୋଇପାରିବେ। ସେମାନଙ୍କୁ ଆଉ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଅଯଥା ଖର୍ଚ୍ଚରୁ ମହାବିଦ୍ୟାଳୟ କର୍ତୃପକ୍ଷ ଓ ଛାତ୍ରଛାତ୍ରୀ ମୁକ୍ତି ପାଇପାରିବେ। କେବଳ ଏତିକି ନୁହେଁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲେ ଏହାର କଳେବର ବୃଦ୍ଧି ପାଇବ। ୟୁଜିସିର ଅନୁଦାନ ବଢିବ। ଜାତୀୟ ଉଚ୍ଚଶିକ୍ଷା ମାଧ୍ୟମିକ ଶିକ୍ଷା ପରିଷଦର ଅନୁଦାନ ଆସିବ। ଠିକାରେ ଅଧ୍ୟାପନା କରୁଥିବା ଅଧ୍ୟାପକ ଅଧ୍ୟାପିକା ସ୍ଥାୟୀ ହୋଇପାରିବେ। ପିଏଚଡି ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ। ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଦୌଡ଼ରୁ ବାଦ ପଡ଼ିିବା ପରେ ଏନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମହାବିଦ୍ୟାଳୟକୁ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମହାବିଦ୍ୟାଳୟର ଶିକ୍ଷାର୍ଥୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଦାବି କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। କେବଳ ସେତିକି ନୁହେଁ ଏହି ମହାବିଦ୍ୟାଳୟ ଗସ୍ତରେ ଆସିଥିବା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁର ସାହୁ ମହାବିଦ୍ୟାଳୟର ଭିତିଭୂମି ଓ ଫଳାଫଳକୁ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ।

ବିଶ୍ୱବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀ ଦାବି ଉପସ୍ଥାପନ କରିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଆଶ୍ୱାସନା ଦେଇଥିଲେ। କିନ୍ତୁ ଅଦ୍ୟାବଧି ଏନେଇ କୌଣସି ଫଦକ୍ଷେପ ନିଆଯାଇ ପାରିନାହିଁ। ରାଉରକେଲାର ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଙ୍ଗଠନ, ମହାବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ଏହାକୁ ନେଇ ପୁନର୍ବାର ଦୃଢ ସ୍ୱରଉତୋଳନ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।। ବିଶ୍ୱବିଦ୍ୟାଳୟ ପାଇଁ ଭିତିଭୂମି, ଗମନାଗମନ, ସ୍ନାତକୋତର ବିଭାଗ ଆଦିକୁ ଦୃଷ୍ଟିକୁ ନିଆଗଲେ ସବୁଦୃଷ୍ଟିରୁ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ ଆବଶ୍ୟକ ଉପାଦାନ ରହିଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ରାଉରକେଲା ବାସୀଙ୍କ ଦୃଢ ଦାବି ଉପରେ ଏହାର ପୂର୍ଣ୍ଣାଙ୍ଗ ସ୍ଥିତି ନିର୍ଭର କରୁଛି ବୋଲି ଆଲୋଚନା ହେଉଛି।

Comments are closed.