ରାଉରକେଲାରେ ସରକାରୀ ଜମି ବିକ୍ରିରେ ଚଞ୍ଚକତା; ୧୦୦ କୋଟି ଟଙ୍କାର ରାଜସ୍ୱ ହରାଇବ ଓଡିଶା ସରକାର: ବିଜେପି

ରାଉରକେଲା : ରାଉରକେଲା ସ୍ଥିତ ସିଭିଲ ଟାଉନସିପ୍‍ର ଲାଲବାହାଦୁର ଶାସ୍ତ୍ରୀ ଛକ ନିକଟରେ ଥିବା ଦେଢରୁ ୨ ଏକର ପରିମିତ ସରକାରୀ ବାଣିଜ୍ୟିକ ଜମିକୁ ଏଲ୍‍.ଏ.ସି. ମାଧ୍ୟମରେ ବିକ୍ରି କରିବାର ଯେଉଁ ମସୁଧା କରାଯାଉଛି ଏହାଦ୍ୱାରା ରାଜ୍ୟ ସରକାର ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ସହିବେ ବୋଲି ଭାରତୀୟ ଜନତା ପାର୍ଟି ରାଉରକେଲା ତରଫରୁ ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର  ଧିରେନ ସେନାପତି କହିଛନ୍ତି ।

ଆଗାମୀ ନଭେମ୍ବର ୨୦୨୦ରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଛେଣ୍ଡ ଓ ସିଭିଲ୍‍ ଟାଉନସିପ୍‍ ଅଞ୍ଚଳରେ ଥିବା ଛୋଟ ଛୋଟ ବାସୋପଯୋଗୀ ଜମିକୁ ନିଲାମ କରୁଥିବା ବେଳେ ସିଭିଲ ଟାଉନସିପ୍‍ ଅଞ୍ଚଳରେ ଥିବା ଦେଢରୁ ୨ ଏକର ପରିମିତ ମୂଲ୍ୟବାନ ବ୍ୟବସାୟିକ ଜମିକୁ କେଉଁ ଆଧାର ଓ କେଉଁ ନିୟମାନୁସାରେ ଲ୍ୟାଣ୍ଡ ଆଲର୍ଟମେଣ୍ଟ କମିଟି (ଏଲ୍‍ଏସି) ମାଧ୍ୟମରେ ଏକର ପ୍ରତି ମାତ୍ର ୧୩ରୁ ୧୫ କୋଟି ଟଙ୍କାରେ ବିନା ନିଲାମରେ ସିଧାସଳଖ କେତେକ ବ୍ୟବସାୟିକ ସଂସ୍ଥାକୁ ଅନୁକମ୍ପାମୂଳକ ଭାବେ ଆବଣ୍ଟନ ପାଇଁ ଯୋଜନା କରାଯାଇଛି ବୋଲି ଶ୍ରୀ ସେନାପତି ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବର୍ତ୍ତମାନ ସମୟରେ ଜମିର ବଜାର ମୂଲ୍ୟ ଏକର ପ୍ରତି ୭୫ କୋଟି ଟଙ୍କା ଥିବାବେଳେ କେଉଁ ଆଧାରରେ ଏହି ମୂଲ୍ୟବାନ ସରକାରୀ ଜମିକୁ ଏକର ପିଛା ମାତ୍ର ୧୫ କୋଟି ଟଙ୍କାରେ ଆବଣ୍ଟନ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଯାହାଦ୍ୱାରାକି ଓଡିଶା ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇବ। ଏଥିସହିତ କେଉଁ ଆଧାରରେ ସିଭିଲ ଟାଉନସିପ୍‍ ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି ବେଞ୍ଚମାର୍କ ମୂଲ୍ୟ ଯଥା ତାରିଣୀ ମନ୍ଦିର ଠାରୁ ସରକାରୀ କଲେଜ ପର୍ଯ୍ୟନ୍ତ ଅଞ୍ଚଳର ଜମି ଏକର ପ୍ରତି ୧୫ କୋଟି ଟଙ୍କା ରଖିଥିବା ବେଳେ ତାରିଣୀ ମନ୍ଦିର ଠାରୁ ହାଇଟେକ୍‍ ମେଡିକାଲ ପର୍ଯ୍ୟନ୍ତ ସରକାରୀ ଜମିର ଏକର ପ୍ରତି ମୂଲ୍ୟ ୬ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି, ତା’ର ଜବାବ ସରକାର ଦିଅନ୍ତୁ ଏବଂ ଶାସ୍ତ୍ରୀ ଛକସ୍ଥିତ ଜମିର ବେଞ୍ଚମାର୍କ ମୂଲ୍ୟକୁ ଏକର ପ୍ରତି ୬ କୋଟି ରଖି ଏହି ଜମି ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ଜଣାପଡୁଛି। ଗତ ୨୦୧୭ ମସିହାରେ ଏଲ୍‍.ଏ.ସି. ମିଟିଂରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଉରକେଲା ଥିବା କୌଣସି କମର୍ସିଆଲ ଜମିକୁ ବେସରକାରୀ ସଂସ୍ଥା ବା ବ୍ୟକ୍ତିଙ୍କୁ ବିକ୍ରି କରାଯାଇପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ବେଳେ କେଉଁ ଆଧାରରେ ୨୦୨୦ ମସିହାରେ ଏହି ସରକାରୀ ଜମିକୁ ବିକ୍ରି କରିବାର ଯୋଜନା କରାଯାଇଛି ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ସର୍ବସାଧାରଣରେ ପ୍ରକାଶ କରିବାକୁ ବିଜେପି ଦାବି କରିଛି।

ନିକଟରେ ପୁରୀ ଠାରେ ଦାନରେ ମିଳିଥିବା ବଗଳା ଧର୍ମଶାଳାର ଜମିକୁ ଯେଉଁଭଳି ଶାଗମାଛ ମୂଲ୍ୟରେ ବିକ୍ରି କରାଗଲା ସେହିଭଳି ରାଉରକେଲାରେ ମଧ୍ୟ କୋଟି କୋଟି ଟଙ୍କାର ଜମି ଦୁର୍ନୀତି ପାଇଁ ଶାସକ ଦଳର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଉରକେଲା ବିଧାୟକ ଓ ତାଙ୍କର ଗୋଡାଣିଆ ସାଜିଥିବା କେତେକ ବରିଷ୍ଠ ସରକାରୀ ଅଧିକାରୀ ଏଥିରେ ସାମିଲ୍‍ ଅଛନ୍ତି ବୋଲି ଦଳ ତରଫରୁ ଅଭିଯୋଗ କରାଯାଇଛି। ବର୍ତ୍ତମାନ ଓଡିଶା ସରକାରଙ୍କ କେତେକ ଦଳୀୟ ନେତା ଓ ଭ୍ରଷ୍ଟ ସରକାରୀ ଅଧିକାରୀମାନେ ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ଜମି ଦୁର୍ନୀତିରେ ଲିପ୍ତ ରହିଥିବା ନଜିର୍‍ ରହିଛି। ଏଥିସହ ଦୀର୍ଘବର୍ଷ ହେବ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷ ସରକାରୀ ଜମି ଲିଜ୍‍ ମାଧ୍ୟମରେ ନେଇ ତାକୁ ବ୍ୟବହାର ନକରି ଦଖଲରେ ରଖି ତାକୁ ପୁନଃ ବିକ୍ରି କରୁଛନ୍ତି। ତେଣୁ ସରକାର ସେମାନଙ୍କ ଉପରେ ଜମି ଆବଣ୍ଟନ ନୀତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ସେନାପତି ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ମିଡିଆ ପ୍ରମୁଖ ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.