ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମିପୂଜା

ରାଉରକେଲା: ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଯାଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମିପୂଜା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ସୁନ୍ଦରଗଡ଼ ଜିଲା ଏବଂ ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଆଣିବାକୁ ଯାଉଥିବା ଏହି ଐତିହାସିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି ଭୂମିପୂଜା କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲାପାଳ ଆବୋଲି ସୁନିଲ ନରୱଣେ ଏବଂ ଇଡକୋ ରାଉରକେଲା ଡିଭିଜନ ମୁଖ୍ୟ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ନୂତନ ଭାବେ ନିର୍ମିତ ହେବାକୁ ଥିବା ଷ୍ଟାଡ଼ିୟମରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ ଖେଳାଯିବ। ଏଥିପାଇଁ ଉକ୍ତ ଷ୍ଟାଡିୟମକୁ ରେକର୍ଡ ସମୟ ଭିତରେ ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ଫେବୃଆରୀ ମାସରେ ରାଉରକେଲାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରି ଏହାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଥିଲେ।

ଏଫ୍‌ଆଇଏଚ୍‌ ମାନର ଆଷ୍ଟ୍ରୋଟର୍ଫ ଗ୍ରାଉଣ୍ଡ ପ୍ରସ୍ତୁତ କରାଯିବ। ଏକା ସାଙ୍ଗେ ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଖେଳ ଉପଭୋଗ କରିପାରିବେ। ଏହା ସହିତ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର, ଅତ୍ୟାଧୁନିକ ସ୍ପୋର୍ଟସ୍ ଲାଇଟ୍ ଏବଂ ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ୨୦୧୮ରେ ପୁରୁଷ ହକି ବିଶ୍ୱକପର ଆୟୋଜକ ହୋଇ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ସୃଷ୍ଟି କରିଥିଲା। ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଦୂରଦୃଷ୍ଟିର ଏକ ଦୃଢ଼ ପରିପ୍ରକାଶ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସଫଳତାର ସହ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା। ପୁଣି ୨୦୨୩ରେ ପୁରୁଷ ହକି ବିଶ୍ୱକପର ଆୟୋଜକ ହୋଇଛି ଓଡ଼ିଶା। ଏଥର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାରେ ନିର୍ମାଣ ଆରମ୍ଭ ହୋଇଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହାର ମ୍ୟାଚ୍ ଖେଳାଯିବ।

Comments are closed.