ବାସନ୍ତୀ: ଅସହାୟଙ୍କ ସାଥୀ
ଭିଡ ଭିତରେ ମୁହଁ

ରାଉରକେଲା : ସାଧାରଣ କାର୍ଯ୍ୟଟିଏ କଲେ ପ୍ରଚାର ପ୍ରସାର ପାଇଁ ଅନେକ ଉଦ୍ୟମ ହେଉଛି। ଖବରକାଜଗରୁ ଟେଲିଭିଜନ୍ ପର୍ଯ୍ୟନ୍ତ ନିଜର ଆତ୍ମ ପ୍ରଶଂସା ପାଇଁ ଅନେକ ବ୍ୟଗ୍ର। ଭିଡ ଭିତରେ ଏମତି କିଛି ମଣିଷ ଅଛନ୍ତି, ଯେଉଁମାନେ ଏହି ଆତ୍ମପ୍ରଚାର ଠାରୁ ଦୂରରେ ରହି ଲୋକଙ୍କ ସେବାକୁ ଜବୀନର ବ୍ରତ ବୋଲି ଧରି ନେଇଛନ୍ତି। ଏହି ମଣିଷଙ୍କ ଭିତରୁ ବାସନ୍ତୀ ଦିଦି ହେଉଛନ୍ତି ଜଣେ। ଏନେଇ ସ୍ୱତନ୍ତ୍ର ରିପୋର୍ଟ।
ଏକଦା ଓଡ଼ିଶାର ଆଶାକର୍ମୀ ଯମୁନାମଣିଙ୍କ କର୍ମନିଷ୍ଠା ତାଙ୍କୁ ଜାତୀୟସ୍ତରରେ ଚର୍ଚ୍ଚିତ କରିଥିଲା। ଯମୁନାମଣିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରଦ୍ଧା ଓ ସମ୍ମାନ ଗରିବ ଓ ଅସହାୟ ଲୋକଙ୍କ ପାଇଁ କାର୍ଯ୍ୟକରୁଥିବା ଅସଂଖ୍ୟ ଯମୁନାମଣିଙ୍କ ପାଇଁ ଉତ୍ସାହ ପାଲଟିଛି। ଆଶାକର୍ମୀ ନହେଲେ ମଧ୍ୟ ଯମୁନାମଣିଙ୍କ ପଥରେ ଚାଲିଥିବା ଏଭଳି ଜଣେ ମହିଳା ହେଲେ ବାସନ୍ତୀ ଦିଦି। ରାଉରକେଲା ସହରର ତୁମକେଲା ବସ୍ତିରେ ରୁହନ୍ତି ବାସନ୍ତୀ ଖାଡ଼ିଆ। ଅଞ୍ଚଳର କୌଣସି ସମସ୍ୟା ପଡ଼ିଲେ ବାସନ୍ତୀ ଦିଦିଙ୍କୁ ଖୋଜା ପଡ଼େ। କେହି ରୋଗରେ ପଡିଲେ, କାହା ଘରେ କୌଣସି ଅସୁବିଧା ହେଲେ ସବା ଆଗରେ ଥାଆନ୍ତି ସେ। ପ୍ରାୟ ୩୫ ବର୍ଷ ହେଲା ଜନଜୀବନର ସେବା ପ୍ରତି ସମର୍ପିତ ଏହି ମହିଳା ଜଣଙ୍କ ନିଜ ଜୀବନରେ ଦୁଇଟି ପିଲାଙ୍କୁ ମଣିଷ କରିବା ପାଇଁ ବହୁ ସଂଘର୍ଷ କରିଛନ୍ତି।
୨୫ବର୍ଷ ତଳେ ସ୍ୱାମୀ ମରିଗଲେ। ଛୋଟ ପିଲାଙ୍କ ମଣିଷ କରିବାର ସ୍ୱପ୍ନ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ କରିଥିଲା। ତେବେ ଆଶା ଭରସାରେ ଦ୍ୱିତୀୟଥର ଯାହାର ହାତ ଧରିଲେ, ସେ ଛାଡ଼ିଦେଇ କୁଆଡ଼େ ଚାଲିଗଲା। କିନ୍ତୁ ଭାଙ୍ଗି ପଡ଼ିନଥିଲେ ସେ। ଘସି ବିକ୍ରୀ କରି, ପରିବା ବିକ୍ରୀ କରି ନିଜ ପୁଅ ଓ ଝିଅକୁ ମଣିଷ କରିବାର ସ୍ୱପ୍ନ ନେଇ ସେ ଆରମ୍ଭ କରିଥିଲେ ଜୀବନ ଯାତ୍ରା। ଏହି ସଂଘର୍ଷହିଁ ତାଙ୍କୁ ଅସହାୟଙ୍କୁ ସହାୟତା କରିବାର ଯୋଗାଇଥିଲା ପ୍ରେରଣା। ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ନେଇ ସେ ଗଠନ କଲେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ। ସେମାନଙ୍କ ମନରେ ଭରିଲେ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର। ୧୦ରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀ ଗଠନକରି ଛେଳି ଚାଷ, ଛତୁ ଚାଷ ଓ ଛୋଟଛୋଟ ବ୍ୟବସାୟ କରି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ହାତ ବଢାଇଲେ। ବିଭାଗୀୟ ଅଧିକାରୀଙ୍କ ପାଖରେ ବସି ସେମାନଙ୍କ ପାଇଁ ଆସୁଥିବା ଯୋଜନା ସମ୍ପର୍କରେ ଆଲୋଚନା କରିବା, ବ୍ୟାଙ୍କରୁ ଆର୍ଥିକ ସହାୟତା ମିଳିବା ବାବଦରେ ଆଲୋଚନାରେ ବାସନ୍ତୀଙ୍କ ନେତୃତ୍ୱ ଓ ଉପସ୍ଥିତି ଦେଖିବାକୁ ମିଳିଥାଏ। ବ୍ୟକ୍ତିଗତ ସମସ୍ୟାକୁ ପଛରେ ପକାଇ ଲୋକଙ୍କ ସେବା ପାଇଁ ସେ ସବୁବେଳେ ଆଗରେ ଥାଆନ୍ତି। ଅଞ୍ଚଳର ବୃଦ୍ଧ, ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇନଥିଲେ, ସେ ସିଧା ପହଞ୍ଚନ୍ତି ମହାନଗର ନିଗମ କାର୍ଯ୍ୟାଳୟରେ। ବିଭାଗୀୟ ଅଧିକାରୀଙ୍କ ସହିତ ବସି ସେମାନଙ୍କ ପାଇଁ ଭତ୍ତା କରିବା, କାର୍ଡ଼ ଥାଇ କହାର ଅସୁବିଧା ହେଉଥିଲେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଗଭର ହୋଇଥାନ୍ତି। ସେ କୁହନ୍ତି ଭତ୍ତା ପାଇଁ ୫୦ ଟଙ୍କା ମିଳୁଥିବା ବେଳେ ସେ ଏହି ଅଭିଯାନ କରିଛନ୍ତି। ବେଶୀ ପାଠ ପଢିନଥିଲେ ମଧ୍ୟ ଗରିବଙ୍କ ପାଇଁ ସରକାରୀ ଯୋଜନା ବିଷୟରେ ସବୁବେଳେ ଜାଣିବାକୁ ଚେଷ୍ଟା କରିଥାନ୍ତି। ଯୋଗାଣ ବିଭାଗରେ ପହଞ୍ଚି ରାସନ କାର୍ଡ଼ ଅସୁବିଧା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି। ତାଙ୍କ ସେବାର ସବୁଠାରୁ ବଡ଼ ଦିଗ ହେଉଛି ଅସହାୟ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା। ସକାଳ ହେଉ କିମ୍ବା ରାତି ୧୨ଟାରେ ଆବଶ୍ୟକ ହେଲେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଥାଏ। ଅସୁବିଧା ପଡ଼ିବା ମାତ୍ରେ ବାସନ୍ତୀଙ୍କୁ ଖୋଜା ପଡ଼ିଥାଏ। କେବଳ ତୁମକେଲା କିମ୍ବା ଆଖାପାଖ ଅଞ୍ଚଳ ନୁହେଁ, ବରଂ ବାସନ୍ତୀଙ୍କ ଏହି ସେବାରେ ବିଶ୍ରା, ଲାଠିକଟା, କୁଆଁରମୁଣ୍ଡା ଆଦି ଅଞ୍ଚଳର ଲୋକେ ଉପକୃତ ହୋଇଥାନ୍ତି। ନିଜ ଜୀବନ ସଂଘର୍ଷର ଆରମ୍ଭରେ ଅସହାୟ ଥିବା ବାସନ୍ତୀ ପୁଅକୁ ମଣିଷ ହେବାର ବାଟ ଦେଖାଇଛନ୍ତି। ଝିଅକୁ ନର୍ସିଂ ପାଠ ପଢାଇ ନୂତନ କ୍ୟାରିୟର ଦେବାରେ ସଫଳ ହୋଇଛନ୍ତି। ଅବହେଳିତ ଓ ନିଷ୍ପେଷିତ ମଣିଷର ସେବା ସହ ପରିବାର ପ୍ରତି ନିଜର କର୍ତ୍ତବ୍ୟକୁ ଭୁଲିନଥିବା ବାସନ୍ତୀ ଦିଦି ଅନ୍ୟମାନଙ୍କ ପାଇଁ ସଫଳ ଉଦାହରଣ ସୃଷ୍ଟି କରିଛନ୍ତି। ବହୁ ମହିଳାଙ୍କ ପାଇଁ ସେ ଆତ୍ମନିର୍ଭରଶୀଳ ହେବାର ପ୍ରେରଣା ସାଜିଛନ୍ତି। ଅନ୍ୟକୁ ସାହାଯ୍ୟ କରିବାରେ ମିଳୁଥିବା ଆତ୍ମସନ୍ତୋଷହିଁ ତାଙ୍କର ପାଉଣା ବୋଲି ବାସନ୍ତୀ କହିଛନ୍ତି।