ରାଉରକେଲାରେ ପହଞ୍ଚିଲେ ତୀର୍ଥ ଯାତ୍ରାରେ ଯାଇଥିବା ଶ୍ରଦ୍ଧାଳୁ

ରାଉରକେଲା: ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ଆଦି ସ୍ଥାନକୁ ତୀର୍ଥଯାତ୍ରାରେ ଯାଇ ସେଠାରେ ଲକଡାଉନ ଯୋଗୁଁ ଫସିରହିଥିବା ୫୬ ଜଣ ଓଡ଼ିଆ ତୀର୍ଥଯାତ୍ରୀ ଏକ ବସ ଯୋଗେ ସୋମବାର ସକାଳେ ରାଉରକେଲାରେ ଆସି ପହଞ୍ଚିଛନ୍ତି।  ଏମାନଙ୍କ ମଧ୍ୟରେ ବିଭିନ୍ନ ଜିଲାର ଲୋକ ଥିବା ଜଣାପଡ଼ିଛି। ସମସ୍ତେ ଲକଡାଉନ ଘୋଷଣା ହେବା ପୂର୍ବରୁ ତୀର୍ଥଯାତ୍ରାରେ ବାହାରିଥିଲେ। ହେଲେ, ଲକଡାଉନ ଘୋଷଣା ହେବା ପରେ ସେମାନେ ସେଠାରେ ଫସି ରହିଥିଲେ। ସେଠାକାର ପ୍ରଶାସନ ଏମାନଙ୍କୁ ଏକ ବସ ଯୋଗେ ଓଡ଼ିଶା ପଠାଇବା ବ୍ୟବସ୍ଥା କରିଥିଲା। ଏହି କ୍ରମରେ ସେମାନେ ଆଜି ସକାଳେ ଆସି ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡ଼ିଥିଲା ଏବଂ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇନଥିଲା। ପରେ ସେମାନଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଛେଣ୍ଡ ଠାରେ ପ୍ରସ୍ତୁତ କରାଯାଇଥିବା ଆଇସୋଲେସନ କେନ୍ଦ୍ରରେ ରଖାଯାଇଛି। ଆଇସୋଲେସନ କେନ୍ଦ୍ରରେ ସେମାନଙ୍କ ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଖାଦ୍ୟପେୟ ସମେତ ଅନ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

Comments are closed.