୨୦୨୩ ହକି ବିଶ୍ବକପ୍‌ ପାଇଁ ବଦଳିବ ରାଉରକେଲାର ରୂପରେଖ

ବିଶ୍ବସ୍ତରୀୟ ହେବ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ; ବଢ଼ିବ ଦର୍ଶକ କ୍ଷମତା

ଭୁବନେଶ୍ବର: ଦେଶର ହକି ରାଜଧାନୀ ଓଡ଼ିଶାକୁ କ୍ରମାଗତ ୨ୟ ଥର ପୁରୁଷ ବିଶ୍ବକପ ହକିର ଆୟୋଜନ ଅଧିକାର ମିଳିଛି। ୨୦୧୮ ହକି ବିଶ୍ବକପର ଅଭୂତପୂର୍ବ ସଫଳତା ପରେ ଓଡ଼ିଶାରେ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ୧୫ଶ ପୁରୁଷ ହକି ବିଶ୍ବକପ୍‌ ଖେଳାଯିବ। ନଭେମ୍ବର ୨୭ରେ ଘୋଷଣା ହୋଇଛି ଯେ ଏହି ବିଶ୍ବକପ୍ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ। ୨୦୧୮ ବିଶ୍ବକପ୍‌ର ଆୟୋଜକ ଭୁବନେଶ୍ବର ସହ ଏଥର ରାଉରକେଲା ସାମିଲ ହୋଇଛି।

୨୦୧୮ ବିଶ୍ବକପ ଲାଗି ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡକୁ ବିଶ୍ବସ୍ତରୀୟ ଗ୍ରାଉଣ୍ଡରେ ପରିଣତ କରା ଯାଇଥିବା ବେଳେ ଏବେ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ସହ ସହରକୁ ନୂଆରୂପ ଦେବା ନେଇ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଓଡ଼ିଶା ସରକାର ୬୩୦ କୋଟି ଟଙ୍କା ବ୍ୟୟକରିବେ। ଏଥିରେ ରାଉରକେଲାକୁ ନୂତନ ରୂପ ଦିଆଯିବ। ୨୦୧୮ ଭୁବନେଶ୍ବର ବିଶ୍ବକପ ଲାଗି ବ୍ୟୟ କରା ଯାଇଥିବା ୨୦୦ କୋଟି ଟଙ୍କାରୁ ଏହା ୩ ଗୁଣା। ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଅର୍ଥ ଖର୍ଚ୍ଚ କରାଯିବ। ରାଉରକେଲା ବିମାନ ବନ୍ଦର, ରାସ୍ତା, ବସ୍‌ ଟର୍ମିନାଲ, ମ୍ୟୁଜିୟମ, ପାର୍କ, ବହୁମୁଖୀ କାର୍‌ ପାର୍କିଂ ସ୍ଥଳ ସହ ଷ୍ଟାଡ଼ିୟମ ନବୀକରଣ କାର୍ଯ୍ୟକୁ ଏହି ଯୋଜନାରେ ଗୁରୁତ୍ବ ଦିଆଯାଇଛି।

ରାଉରକେଲାର ଆମ୍ବେଦକର ଛକରୁ ଉଦିତ୍‌ ନଗର ଛକ ରାସ୍ତା, ଉଦିତ୍‌ ନଗରରୁ ବିର୍ସା ଛକ, ବିର୍ସା ମୁଣ୍ଡା ବହୁମୁଖୀ ଯୋଜନା, ବସ୍‌ ସେଲଟର, କମାଣ୍ଡ କ‌େ‌ଣ୍ଟ୍ରାଲ ସେଣ୍ଟର ସମ୍ମିଳନୀ କକ୍ଷ, ଅଡିଟୋରିୟମ ଓ ଆଦିବାସୀ ସଂଗ୍ରହାଳୟ,୧୩ଟି ବସ୍‌ ଟର୍ମିନାଲ, ୬ଟି ପାର୍କ ଓ ପାନ୍‌ପୋଷର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡ଼ିୟମ୍‌ର ଉନ୍ନତି କରଣ କରାଯିବ। ରାଉରକେଲା ସ୍ମାର୍ଟ ସିଟି ଲିିମିଡେଟ୍‌ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ର ଦର୍ଶକ କ୍ଷମତା ୨୫ରୁ ୪୦ ହଜାରକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି। ବିଶ୍ବକପ ପୂର୍ବରୁ ସୁନ୍ଦରଗଡ଼ ଜିଲାର ୧୭ଟି ସ୍ଥାନରେ ଆଷ୍ଟ୍ରୋଟର୍ଫ ବିଛାଯିବା ସହ ସହ ହକି ଭିତ୍ତିଭୂମିକୁ ସୁଦୃଢ଼ କରାଯିବାର ଲକ୍ଷ୍ୟ ରଖାଯାଇଛି।

Comments are closed.