ସରକାରୀ ଯୋଜନାର ସୁଫଳକୁ ନେଇ ବିଚିତ୍ର ସ୍ଥିତି : ମହାନଗର ନିଗମ ଅଞ୍ଚଳ ପାଇଁ ମେଲା, ସେକ୍ଟର ଅଞ୍ଚଳ ପାଇଁ ତାଲା

ରାଉରକେଲା: ବସ୍ତିବାସିନ୍ଦାଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ଜନକଲ୍ୟାଣମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ରାଉରକେଲା ସହରରେ ବସ୍ତିବାସିନ୍ଦାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ରାଉରକେଲା ମହାନଗରନିଗମ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ଏହି ଯୋଜନା ମେଲା ଥିବା ବେଳେ ଏହାର ଅପରପାଶ୍ୱରେ ଥିବା ଅର୍ଥାତ ସେକ୍ଟର ଅଞ୍ଚଳର ବସ୍ତିବାସିନ୍ଦାଙ୍କ ପାଇଁ ଏହି ଯୋଜାନାରେ ତାଲା ପଡ଼ିଛି। ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥା ବାଧକ ସାଜିଛି ବୋଲି ଆଲୋଚନା ହେଉଛି। ସହରାଞ୍ଚଳର ବସ୍ତିରେ ବସବାସ କରୁଥିବା ଜନସାଧାରଣଙ୍କ ଘରସମସ୍ୟାର ସମାଧାନ ପାଇଁ ରାଜ୍ୟ କ୍ୟାବିନେଟରେ ସହରାଞ୍ଚଳ ବିଶେଷକରି ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଓ ମହାନଗରନିଗମ ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡ ପ୍ରସ୍ତୁତ କରାଯାଇଛି। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ରାଉରକେଲା ମହାନଗରନିଗମ ଅଞ୍ଚଳରେ ହିତାଧିକାରୀ ଏହା ଦ୍ୱାରା ଉପକୃତ ହୋଇଛନ୍ତି। ବସ୍ତିବାସିନ୍ଦାଙ୍କ ପାଖରେ ପଟ୍ଟାଥିଲେ ଏବଂ ସେମାନଙ୍କର ବାର୍ଷିକ ଆୟ ୧ଲକ୍ଷ ୮୦ ହଜାର ଟଙ୍କାରୁ କମ ହୋଇଥିଲେ ଏହି ପ୍ରକ୍ରିୟାରେ ସାମିଲ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ୧ଲକ୍ଷ ୫୦ହଜାରଟଙ୍କା ଓ ରାଜ୍ୟ ସରକାରଙ୍କ ୫୦ ହଜାରଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। କେବଳ ଏତିକି ନୁହେଁ ରାଉରକେଲା ମହାନଗରନିଗମ ଅଞ୍ଚଳ ବସ୍ତିରେ ରହୁଥିବା ତଥା ସ୍ୱଳ୍ପ ଆୟକାରୀ ଓ ଅର୍ଥନୈତିକ ଅନଗ୍ରସର ଲୋକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ବାସଗୃହ ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ହାତକୁ ନିଆଯିବ। ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବସ୍ତିବାସିନ୍ଦାଙ୍କ ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀ ଶୌଚାଳୟରେ ଆରଏମସି ଅଞ୍ଚଳ ବସ୍ତିବାସିନ୍ଦା ଉପକୃତ ହେଉଛନ୍ତି। ସହରାଞ୍ଚଳ ଜୀବନ ଜୀବିକା ମିଶନ ଭଳି କାର୍ଯ୍ୟକ୍ରମ ସହରର ଥିବା ଗରିବ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ଆତ୍ମନିର୍ଭଶୀଳ କରିବା ପାଇଁ ଉଦ୍ଦିଷ୍ଟ। ଉଭୟ ବସ୍ତି ଅଞ୍ଚଳରେ ଛୋଟ ମୋଟ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ପାଇଁ ଆର୍ଥିକ ସହାୟତା ଅତ୍ୟାବଶ୍ୟକ ହୋଇଥାଏ। ରାଉରକେଲା ମହାନଗରନିଗମର ଜୀବନ ଜୀବିକା ମିଶନ ବିଭାଗ ଜରିଆରେ ଏହି ଅନଗ୍ରସର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛିି। ବର୍ଷକୁ ୨୦୦ କ୍ଷୁଦ୍ର ବ୍ୟବସାୟୀଙ୍କ ଏହି ବିଭାଗ ଜରିଆରେ ଋଣ ପ୍ରଦାନ କରାଯାଉଛି। ଏହା ସହିତ ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ଏନେଇ ସହାୟତା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଛି। କରେନା ଦୁର୍ଗତି ସମୟରେ ଆରଏମସି ଅଞ୍ଚଳର ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପରେ ଏବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ସହାୟତା ପାଇଁ ଯୋଜନା ତ୍ୱରାନ୍ୱିତ ହେଉଛି। ତେବେ ରାଉରକେଲା ମହାନଗରନିଗମ ଅଞ୍ଚଳର ବସ୍ତି ବାସିନ୍ଦା ଏହି ସବୁ ଯୋଜନାର ସୁଫଳ ନେଉଥିବା ବେଲେ ଏହାକୁ ଲାଗି ରହିଥିବା ଇସ୍ପାତ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ପାଇଁ ଏହତ ବିକାଶ ସ୍ୱପ୍ନ ପାଲଟିଛି। କେବଳ ଭତା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଭଳି କେତେକ ଅତ୍ୟାବଶ୍ୟକ ବ୍ୟବସ୍ଥାକୁ ଛାଡ଼ିଦେଲେ ଅନ୍ୟ ସବୁ କାର୍ଯ୍ୟକ୍ରମ ସେକ୍ଟର ଅଞ୍ଚଳରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ପ୍ରଶାସନିକ ବାଧ୍ୟବାଧକତା ପାଇଁ ଏହି ବସ୍ତିବାସିନ୍ଦାଙ୍କ ପାଇଁ ଯୋଜନା କାର୍ଯ୍ୟନ୍ୱୟନରେ ବାଧକ ସାଜିଛି।

ଏହା ଇସ୍ପାତ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏନଏସି (ଏସଟି ) ଭଙ୍ଗହେବା ପରେ ଏପ୍ରିଲ ୧୯୯୫ରେ ଇଣ୍ଡଷ୍ଟ୍ରିୟାଲ ଟାଉନସିପ୍‍ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଇସ୍ପାତ ଶିଳ୍ପସହରାଞ୍ଚଳର ଭାର ଇସ୍ପାତ କାରଖାନା କର୍ତୃପକ୍ଷଙ୍କ ହାତରେ ରହିଲା। ଉଲ୍ଲେଖଯୋଗ୍ୟଯେ, ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାପରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁଶ୍ରମିକ କାମଧନ୍ଦାପାଇଁ ରାଉରକେଲା ସହରକୁ ଆସିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ପେଟପାଟଣା ପାଇଁ ରାଉରକେଲାକୁ କର୍ମଭୂମି କରିବା ପରେ ମୁଣ୍ଡ ଗୁଂଜିବା ପାଇଁ ବିଭିନ୍ନ ସେକ୍ଟର ଅଞ୍ଚଳକୁ ଲାଗି ବସ୍ତିଗୁଡ଼ିକ ଗଢିଉଠିଲା। ୬୦ ଦଶକରୁ ଆରମ୍ଭ କରି ବର୍ତମାନ ପର୍ଯ୍ୟନ୍ତ ଏହି ବସ୍ତି ଓ ବସ୍ତି ଅଞ୍ଚଳର ଜନସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି। କିନ୍ତୁ ଏହି ବସ୍ତି ଗୁଡ଼ିକ ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବାରୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ରହିଛି। ୧୯୯୫ ପୂର୍ବରୁ ଇସ୍ପାତ ଶିଳ୍ପସହରାଞ୍ଚଳରେ ଥିବା ବସ୍ତିଗୁଡ଼ିକ ଏନଏନସି ଏସଟି ଅଧୀନରେଥିଲା। ରାଜ୍ୟସରକାରଙ୍କ ମୌଳିକସେବା ସୁବିଧା ପାଇବା ପାଇଁ ବସ୍ତିବାସିନ୍ଦା ଯୋଗ୍ୟବିବେଚିତ ହେଉଥିଲେ। କିନ୍ତୁ ଇଣ୍ଡଷ୍ଟ୍ରିୟାଲ ଟାଉନସିପ୍‍ ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ଏହାର ସ୍ଥିତି ଓ ଗତି ବଦଳିଗଲା। ମୌଳିକସେବା ଯୋଗାଇବାର ଦାୟିତ୍ୱ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ହାତରେ ନ୍ୟସ୍ତ କରାଗଲା। ବସ୍ତିବାସିନ୍ଦାଙ୍କ ବିକାଶ ପାଇଁ ଆରଏସି କର୍ତୃପକ୍ଷ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କିନ୍ତୁ ସ୍ଥାନୀୟ କର୍ତୃପକ୍ଷଙ୍କୁ ମଧ୍ୟ ସେମାନଙ୍କ କ୍ଷମତା ପରିସରରେ ଏହି କାର୍ଯ୍ୟ ଆପଣେଇବାକୁ ପଡ଼ୁଛି। ଫଳରେ ଲୋକଙ୍କ ପୂର୍ଣ୍ଣାଙ୍ଗ ମୌଳିକ ବିକାଶ ପାଇଁ ତାହା ଯଥେଷ୍ଟ ନୁହେଁ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ପୂର୍ବରୁ ହୋଇଥିବା ଚୁକ୍ତିନାମା ଓ ଆରଏସପି ଅଧୀନରେ ଏହି ଅଞ୍ଚଳ ହୋଇଥିବାରୁ ରାଜ୍ୟସରକାରଙ୍କ ବିକାଶ ମୂଳକ ଯୋଜନା ଏଠାରେ କାର୍ଯ୍ୟକାରୀ ହେବାରେ ଘୋର ପ୍ରତିବନ୍ଧକ ରହିଛି। ରାଉରକେଲା ସ୍ମାର୍ଟସିଟି ଘୋଷଣା ହୋଇଛି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ ଆସୁଛି। ବିଭିନ୍ନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଛି। କିନ୍ତୁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ଅନୁଦାନରେ ହେଉଥିବା ବିକାଶମୂଳକ କାର୍ଯ୍ୟକ୍ରମର ସୁଫଳ ଏହି ଅଞ୍ଚଳ ବାସିନ୍ଦା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟ ଏକ କଥା ହେଲା ବିଧାୟକ ଓ ସାଂସଦ ପାଣ୍ଠି ସେକ୍ଟର ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଖାଦ୍ୟସୁରକ୍ଷା ଯୋଜନା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ଭତା ଭଳି ଏହି ସବୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ସ୍ଥାନୀୟ ଲୋକପ୍ରତିନିଧି ଦୃଢ ସ୍ୱର ଉପସ୍ଥାପନ କରିବାର ଆବଶ୍ୟକତା ରହିଛି। ଯାହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ଏହି ଅଞ୍ଚଳବାସୀ ପାଇ ପାରିବେ ବୋଲି ମତ ପ୍ରକାଶ ପାଉଛି।

Comments are closed.