ରୋଟାରି କ୍ଲବର ଅଧିଷ୍ଠାନ କାର୍ଯ୍ୟକ୍ରମ : ‘ସଦସ୍ୟମାନେ ହିଁ ସେବାର ପରଶମଣି’

ନିରଞ୍ଜନ ରଥ ‘ଅତିଥି ରୋଟାରିଆନ୍‌’ ମନୋନୀତ

ଭୁବନେଶ୍ୱର : ପରୋପକାର ହେଉଛି ଧର୍ମ। ସନାତନ ଧର୍ମର ମୂଳପିଣ୍ଡ ହେଉଛି ‘ଜୀବେ ଦୟା ଓ ପରର ଉପକାର।’ ସାରା ବିଶ୍ବରେ ଭାରତୀୟ ସଂସ୍କୃତି, ସଂସ୍କାର, ଧର୍ମ, ଆଚାର ଓ ବ୍ୟବହାରର ସ୍ବାତନ୍ତ୍ର୍ୟ ରହିଛି। ମଣିଷ ଜନ୍ମ ଦୁର୍ଲଭ। ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଆମେ ଅନ୍ୟମାନଙ୍କ ପାଇଁ କ’ଣ କରିଛେ ତାହା ଭାବିବା ଦରକାର। ଗୋଟିଏ ହାତରେ ଦାନ କଲେ ଅନ୍ୟ ହାତରେ ଫଳ ମିଳେ। ରୋଟାରି କ୍ଲବ ସବୁ ବେଳେ ସମାଜର ସେବାକୁ ପ୍ରାଧାନ୍ୟ ଦେଇଆସିଛି। ଏଥିପାଇଁ ଏହି କ୍ଲବ୍‌ ଅନ୍ୟ ସଂଗଠନଠାରୁ ଭିନ୍ନ। ଏହାର ସଦସ୍ୟମାନେ ହେଉଛନ୍ତି ସେବାର ପରଶମଣି ସଦୃଶ ବୋଲି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପ ସଭାପତି ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଛନ୍ତି।
ରବିବାର ପୂର୍ବାହ୍ନରେ ଏଠାରେ ରୋଟାରି କ୍ଲବ୍‌ ଅଫ ଭୁବନେଶ୍ବର ମିଡୋସ୍‌ର ସପ୍ତମ ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ବ ଗ୍ରହଣ ଓ ଅଧିଷ୍ଠାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରଥ କହିଥିଲେ ଯେ, ଯାହାଙ୍କ ଉପରେ ରୋଟାରୀ ସଂଗଠନ ସଦସ୍ୟଙ୍କ ହାତ ସ୍ପର୍ଶ କରେ ସେମାନେ ବି ଜଣେ ଜଣେ ସେବକ ହୋଇ ଯାଆନ୍ତି। ରୋଟାରି କ୍ଲବ୍‌ର ସଦସ୍ୟମାନେ ସେବାକୁ ପାଥେୟ କରି ଗରିବ, ଅସହାୟ, ଅବହେଳିତଙ୍କ ସେବା କରୁଛନ୍ତି।ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରଥ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ପୋଲିଓ ନିରାକରଣ, ନିରକ୍ଷରତା ଦୂର ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ରୋଟାରି କ୍ଲବ୍‌ର ବିଶେଷ ଅବଦାନ ରହିଥିବା ପ୍ରକାଶ କରିଥିଲେ।
ଡିଷ୍ଟ୍ରିକ୍ଟ-୩୨୬୨ର ପୂର୍ବତନ ଗଭର୍ଣ୍ଣର ଅଶ୍ବିନୀ କର ସମ୍ମାନିତ ଅତିଥିଭାବେ ଯୋଗଦେଇ ଅନ୍ୟର ଉପକାର କଲେ ହିଁ ଅାତ୍ମସନ୍ତୋଷ ମିଳିଥାଏ। ଅନ୍ୟ ମୁହଁରେ ଟିକେ ହସ ଫୁଟାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ସେ ପରାମର୍ଶ ଦେଇଥିଲେ। ରୋଟାରି କ୍ଲବ୍‌ ଅଫ ଭୁବନେଶ୍ବର ମିଡୋସ୍‌ର ସଭାପତି ସନ୍ତୋଷ ସେନାପତି (୨୦୨୧-୨୦୨୨), ବିଦାୟୀ ସଭାପତି ସିଦ୍ଧାର୍ଥ ସାମଲ, ସଭାପତି(ମନୋନୀତ) ଶାନ୍ତନୁ ମହାପାତ୍ର, ସମ୍ପାଦକ ବିଭୁନାରାୟଣ ସାହୁ, ପିପି ବିଜୟଲକ୍ଷ୍ମୀ କର ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଡ. ବିଶ୍ବବନ୍ଦିତା କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର ସହିତ ନୂତନ ସଦସ୍ୟଙ୍କୁ ସଂଗଠନରେ ସାମିଲ କରାଯାଇଥିଲା।
ରୋଟାରି କ୍ଲବ ଭୁବନେଶ୍ବର ମିଡୋସ୍‌ ପକ୍ଷରୁ ନିରଞ୍ଜନ ରଥଙ୍କୁ ‘ଅନରାରି ରୋଟାରିଆନ’ ଭାବେ ଗ୍ରହଣ କରାଯାଇଥିଲା। ଏହାସହ ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସମେତ କିଛି ସଦସ୍ୟ ଉଲ୍ଲେଖନୀୟ ସେବା ନିମନ୍ତେ ସମ୍ବର୍ଦ୍ଧିତ ହୋଇଥିଲେ।

Comments are closed.