ଫୁଟବଲ ତାରକା ରୋନାଲଡ଼ୋ କିଣିଲେ ପୃଥିବୀର ସବୁଠୁ ମହଙ୍ଗା କାର; ଦାମ ଶୁଣିଲେ ହୋସ ଉଡ଼ିଯିବ

ବିଶ୍ଵର ଦାମୀ ଫୁଟବଲ ଖେଳାଳି ତଥା ପର୍ତୁଗାଲର ଚର୍ଚିତ ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲଡ଼ୋ କିଣିଛନ୍ତି ବିଶ୍ଵର ସବୁଠୁ ଦାମୀ କାର୍ । ଏହି କାରର ମୂଲ୍ୟ କେତେ ହୋଇଥିବା ଆପଣ କଳ୍ପନା ବି କରି ପାରିବେ ନାହିଁ । ତେବେ ସୂଚନା ଅନୁସାରେ ଏହି କାର ନିମନ୍ତେ ରୋନାଲଡ଼ୋଙ୍କୁ ୮.୫ ନିୟୁତ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୭୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିଛି । ନିକଟରେ ସେ ଖେଳୁଥିବା କ୍ଲବ୍ ୩୬ତମ ସିରିଜ ଏ ଟୁର୍ଣ୍ଣାମେଣ୍ଟ ବିଜୟୀ ହେବା ପରେ ରୋନାଲଡ଼ୋ ଏହି କାର କିିଣିବାକୁ ମନସ୍ଥ କରିଥିଲେ ।

ସୂଚନା ଅନୁସାରେ ରୋନାଲଡ଼ୋ କିଣିଥିବା ବୁଗାଟି ଲା ବାୟୋଭର (ସିଣ୍ଟୋଡ଼ିସି) ନିର୍ମାତା ଏହିପରି ମାତ୍ର ୧୦ଟି କାର୍ ନିର୍ମାଣ କରିଛନ୍ତି । ଯାହାର ଗୋଟିକୁ ମୂଲ୍ୟ ୮.୫ ନିୟୁତ ୟୁରୋ ବା ୭୫ କୋଟି ଟଙ୍କା ।ବୁଗାଟି ଲା ବାୟାଭର କାର ପ୍ରତି ଘଣ୍ଟାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିପାରେ। ଏହା ୨.୪ ସେକେଣ୍ଡ ମଧ୍ୟରେ ଗତି ୬୦ କିଲୋମିଟର ଛୁଇଁପାରେ । ମାତ୍ର ସବୁଠାରୁ କୌତୂହଳର କଥା ହେଉଛି ରୋନାଲଡ଼ୋ କାର ପାଇଁ ଟଙ୍କା ସିନା ପଇଠ କରିଛନ୍ତି, ଗାଡ଼ି କିନ୍ତୁ ତାଙ୍କ ପାଖରେ ପହଞ୍ଚି ନାହିଁ । ଏହି କାର୍ ପାଇବା ପାଇଁ ତାଙ୍କୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ୨୦୨୧ରେ ଏହି କାର୍ ତାଙ୍କୁ କମ୍ପାନୀ ଡ଼େଲିଭରି ଦେବ ।

୩୫ ବର୍ଷୀୟ ଏହି ତାରକା ଫୁଟବଲ ଖେଳାଳି ରୋନାଲଡ଼ୋଙ୍କର ପ୍ରଶଂସକ ସାରା ବିଶ୍ଵରେ ଅଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ କାରଟିର ଫଟୋ ନିଜ ପ୍ରଶଂସକଙ୍କ ନିମନ୍ତେ ପୋଷ୍ଟ କରିଛନ୍ତି । ତେବେ ରୋନାଲଡ଼ୋ ପ୍ରଥମ କରି କୌଣସି ଦାମୀ କାର୍ କିଣି ନାହାନ୍ତି । ଏହାପୂର୍ବରୁ ତାଙ୍କ ପାଖରେ ପୂର୍ବରୁ ବହୁ ଦାମୀ କାର୍ ରହିଛି । ସବୁ କାରଗୁଡ଼ିକର ମୂଲ୍ୟ ହିସାବ କଲେ ତାହା ୩୦ ନିୟୁତ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୬୪ କୋଟିରୁ ଅଧିକ ହେବ । 

 

Comments are closed.