୧୦୦ତମ ଅନ୍ତର୍ଜାତୀୟ ଗୋଲ୍‌ର ନିକଟବର୍ତ୍ତୀ ରୋନାଲ୍‌ଡୋ

ଲିସବନ୍‌ : ପର୍ତ୍ତୁଗାଲ୍‌ର ତାରକା ଫରୱାର୍ଡ କ୍ରିଷ୍ଟିଆନୋ ରୋନାଲ୍‌ଡୋ ୧୦୦ତମ ଅନ୍ତର୍ଜାତୀୟ ଗୋଲ୍‌ର ନିକଟବର୍ତ୍ତୀ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରୋନାଲ୍‌ଡୋ ପର୍ତ୍ତୁଗାଲ୍‌ ତରଫରୁ ଖେଳି ୯୪ଟି ଗୋଲ୍‌ ସ୍କୋର କରି ସାରିଛନ୍ତି।
ଶୁକ୍ରବାର ୟୁରୋ ୨୦୨୦ ଫାଇନାଲ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ପର୍ତ୍ତୁଗାଲ୍‌ର ମୁକାବିଲା ଲକ୍‌ସଜମବର୍ଗ ଦଳ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ପର୍ତ୍ତୁଗାଲ୍‌ ୩-୦ ଗୋଲ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ରୋନାଲ୍‌ଡୋ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ଏହି ବିଜୟ ଫଳରେ ପର୍ତ୍ତୁଗାଲ୍‌ର ୟୁରୋ ୨୦୨୦ ଫାଇନାଲ୍‌ସରେ ସ୍ଥାନ ପାଇବା ଆଶା ଦୃଢ଼ୀଭୂତ ହୋଇଛି। ଗ୍ରୁପ୍‌ ବି’ରେ ପର୍ତ୍ତୁଗାଲ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୟୁକ୍ରେନ୍‌ ପ୍ରଥମ ସ୍ଥାନରେ ରହିଛି। ପର୍ତ୍ତୁଗାଲ୍‌ ତରଫରୁ ମିଡ୍‌ଫିଲଡର ସିଲ୍‌ଭା ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଖେଳର ଦ୍ବିତୀୟ ଗୋଲ୍‌ ସ୍କୋର କରିଥିଲେ ରୋନାଲ୍‌ଡୋ। ସେ ୬୫ ମିିନିଟ୍‌ରେ ଗୋଲ୍‌ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇ ପାରିଥିଲେ। ଖେଳର ଶେଷ ମୁହୂର୍ତ୍ତରେ ପର୍ତ୍ତୁଗାଲ ତରଫରୁ ମ୍ୟାକ୍ସିମେ ଚାନୋଟ୍‌ ତୃତୀୟ ଗୋଲ୍‌ ସ୍କୋର କରିଥିଲେ। ସୂଚନାଥାଉକି ଅନ୍ତର୍ଜାତୀୟ ସ୍ତରରେ ଗୋଲ୍‌ ସ୍କୋର କରିବାରେ ଶୀର୍ଷ ସ୍ଥାନରେ ରହିଛନ୍ତି ଇରାନ୍‌ର ପୂର୍ବତନ ଷ୍ଟ୍ରାଇକର ଅଲି ଦାହି। ସେ ମୋଟ୍‌ ୧୦୯ଟି ଗୋଲ୍‌ ସ୍କୋର କରିଥିଲେ।

Comments are closed.