ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଏବଂ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ମୋଦୀ

ନୂଆଦିଲ୍ଲୀ : ପାର୍ଲାମେଣ୍ଟ ଅଧିବେଶନ କାଳରେ ସବୁ ରାଜନୈତିକ ଦଳଗୁଡ଼ିକ ବିତର୍କରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି । ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଏବଂ ବିରୋଧୀ ଦଳର ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି, ବିରୋଧୀ ଦଳ ତା’ର ସଦସ୍ୟମାନଙ୍କ ସଂଖ୍ୟା ବିଷୟରେ ଚିନ୍ତା ନ କରି ସଭାକାର୍ଯ୍ୟରେ ସକ୍ରିୟଭାବେ ଅଂଶଗ୍ରହଣ କରିବେ ବୋଲି ତାଙ୍କର ଆଶା ରହିଛି।

ସାଂସଦମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାମନ୍ତ୍ରୀ କହିଛନ୍ତି, ନିରପେକ୍ଷ ମନୋଭାବର ସହ ସଦସ୍ୟମାନେ ପ୍ରସଙ୍ଗଗୁଡ଼ିକ ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି ଏବଂ ଦେଶର ବୃହତ୍ତର ସ୍ୱାର୍ଥରକ୍ଷା ଲାଗି କାମ କରିବା ଉଚିତ । ନୂଆ ଲୋକସଭାରେ ବହୁ ସଂଖ୍ୟକ ମହିଳା ସାଂସଦ ଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦରେ ସଭାକାର୍ଯ୍ୟ ସୁଚାରୁ ରୂପେ ଚାଲିଲେ ସରକାର ଲୋକମାନଙ୍କର ଅସଂଖ୍ୟ ଆଶା ଆକାଂକ୍ଷା ପୂରଣ କରିପାରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।

ସୂଚନାଯୋଗ୍ୟ ନୂତନ ସାଂସଦମାନଙ୍କ ଶପଥ ଗ୍ରହଣ ସହ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଅସ୍ଥାୟୀ ବାଚସ୍ପତି ଡକ୍ଟର ବିରେନ୍ଦ୍ର କୁମାର ନବ ନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଉଛନ୍ତି।

Image credit : PIB

ମଧ୍ୟପ୍ରଦେଶ ଟିକମାଗଡ଼ ଆସନରୁ ୭ ଥର ସାଂସଦ ଥିବା ଡକ୍ଟର ବିରେନ୍ଦ୍ର କୁମାର ସୋମବାର ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଆଜି ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀ କୁମାର ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି ଏବଂ ନବନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଉଛନ୍ତି। ଲୋକସଭାର ବାଚସ୍ପତି ନିର୍ବାଚନ ପ୍ରକ୍ରିୟାକୁ ମଧ୍ୟ ସେ ତଦାରଖ କରିବେ।

Comments are closed.