ରୋଜର୍ସ କପ୍‍ ଟେନିସ : ଫାଇନାଲରେ ହାଲେପ୍‍-ଷ୍ଟିଫେନ୍ସ, ନାଦାଲ-ସିଟ୍‍ସିପାସ୍‍

0

ମଣ୍ଟ୍ରିଲ : ରୋମାନିଆର ସିମୋନା ହାଲେପ୍‍ ଓ ସ୍ପେନର ରାଫେଲ ନାଦାଲ ଏଠାରେ ଚାଲିଥିବା ରୋଜର୍ସ କପ୍‍ ଟେନିସ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ସେମିରେ ହାଲେପ୍‍ ୬-୪, ୬-୧ ସେଟ୍‍ରେ ଅଷ୍ଟ୍ରେଲିଆର ଆସ୍‍ଲେ ବାର୍ଟିଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ସେ ଆମେରିକାର ସ୍ଲୋଏନ ଷ୍ଟିଫେନ୍ସଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲରେ ଷ୍ଟିଫେନ୍ସ ୬-୩, ୬-୩ ସେଟ୍‍ରେ ୟୁକ୍ରେନର ଏଲିନା ଶ୍ୱିତୋଲିନାଙ୍କୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ରାଫେଲ ନାଦାଲ ଓ ଗ୍ରୀସର ଷ୍ଟିଫାନସ ସିଟ୍‍ସିପାସ୍‍ ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ପରସ୍ପରକୁ ଭେଟିବେ। ଶନିବାର ପ୍ରଥମ ସେମିଫାଇନାଲରେ ଟପ୍‍ ସିଡ୍‍ ନାଦାଲ ୭-୬, ୬-୪ ସେଟ୍‍ରେ କାରେନ ଖାଚାନୋଭ୍‍ଙ୍କୁ ପରାସ୍ତ କରିଥିବାବେଳେ ଅନ୍ୟ ସେମିରେ ସିଟ୍‍ସିପାସ୍‍ ୬-୭, ୬-୪, ୭-୬ ସେଟ୍‍ରେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ହରାଇଛନ୍ତି। ସୂଚନାଯୋଗ୍ୟ ୨୦ ବର୍ଷୀୟ ସିଟ୍‍ସିପାସ୍‍ ଚଳିତ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଉନ୍ନୀତ ହେବାପଥରେ ବିଶ୍ୱର ଚାରିଜଣ ପ୍ରମୁଖ ଖେଳାଳି ଆଲେକ୍‍ଜାଣ୍ଡାର ଜେରେଭ୍‍ (ଏଟିପି ମାନ୍ୟତା ୩ୟ), କେଭିନ ଆଣ୍ଡରସନ (୬ଷ୍ଠ), ଡୋମିନିକ୍‍ ଥିଏମ (୮ମ) ଓ ନୋଭାକ ଜୋକୋଭିକ୍‍ଙ୍କୁ (୧୦ମ) ପରାସ୍ତ କରିଛନ୍ତି।

Leave A Reply