୨୦୧୯ର ନମ୍ବର ୱାନ୍ ଦିନିକିଆ ସ୍କୋରର୍ ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦଳର ଓପ୍‌ନର ରୋହିତ ଶର୍ମା ୨୦୧୯ରେ ବିଶ୍ବରେ ସର୍ବାଧିକ ଦିନିକିଆ ସ୍କୋରର୍ ହେବାର କୃତିତ୍ବ ହାସଲ କରିଛନ୍ତି। ଏହି ଦୌଡ଼ରେ ଅଧିନାୟକ ବିରାଟ କୋହଲିଙ୍କୁ ରୋହିତ ପଛରେ ପକାଇ ଦେଇଛନ୍ତି। ସୂଚନାଯୋଗ୍ୟ; ୨୦୧୭ ଓ ୨୦୧୮ରେ ରୋହିତ ଦିନିକିଆରେ ବିଶ୍ବର ୨ୟ ସର୍ବାଧିକ ସ୍କୋରର୍ ହୋଇ ରହିଥିଲେ। ୨୦୧୯ରେ କିନ୍ତୁ ରୋହିତ ୧ନଂ ସ୍ଥାନରେ ରହିଛନ୍ତି। ୨୦୧୯ରେ ରୋହିତ ୨୮ଟି ଦିନିକିଆ ମ୍ୟାଚ୍ ଖେଳି ୨୭ଟି ଇନିଂସରୁ ୫୭.୩୦ ଆଭ୍‌ରେଜ୍‌ରେ ସର୍ବାଧିକ ୧୪୯୦ ରନ୍ ସ୍କୋର୍ କରିଛନ୍ତି। ଏଥିରେ ଅଛି ୭ଟି ଶତକ ଓ ୬ଟି ଅର୍ଦ୍ଧଶତକ। କେବଳ ବିଶ୍ବକପ୍‌ରେ ରୋହିତ ୫ଟି ଶତକ ହାସଲ କରିଥିଲେ। ଏହିବର୍ଷ ରୋହିତ ୩୬ଟି ଛକା ଓ ୧୪୬ଟି ଚୌକା ମାରିଥିଲେ। ଏହା ଏକ ସଂଯୋଗ ହୋଇପାରେ ଯେ ୭ଟି ଭିନ୍ନ ଦେଶ ବିପକ୍ଷରେ ରୋହିତ ଏହି ୭ଟି ଦିନିକିଆ ଶତକ ମାରିଛନ୍ତି।

ଏହା ସତ ଯେ ଆଇସିସି ଦିନିକିଆ ମାନ୍ୟତାରେ ଅଧିନାୟକ ବିରାଟ କୋହଲି ୧ ନମ୍ବର ସ୍ଥାନରେ ଥିଲେ ହେଁ ୨୦୧୯ ବର୍ଷର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍‌ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା। ୨୦୧୯ରେ ବିଶ୍ବରେ ୨ୟ ସର୍ବଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଦିଲ୍ଲୀର ଏହି ବ୍ୟାଟ୍‌ସମ୍ୟାନ୍ ୨୦୧୯ରେ ୨୬ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। କୋହଲି ୨୫ଟି ଇନିଂସ​‌ରେ ୫୯.୮୬ ଆଭ୍‌ରେଜ୍‌ରେ ୧୩୭୭ ରନ୍ କରିଛନ୍ତି। ଏଥିରେ ଅଛି ୫ଟି ଶତକ ଓ ୭ଟି ଅର୍ଦ୍ଧଶତକ। କୋହଲି ୮ଟି ଛକା ଓ ୧୩୩ଟି ଚୌକା ମାରିଛନ୍ତି। କୋହଲି ମାରିଥିବା ୫ଟି ଶତକ ମଧ୍ୟରୁ ୩ଟି ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ବାକି ୨ଟି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାସଲ କରିଥିଲେ। ୨୦୧୭ ଓ ୨୦୧୮ରେ ବିଶ୍ବରେ ସର୍ବାଧିକ ଦିନିକିଆ ରନ୍ ହାସଲକାରୀ ରହିଥିଲେ କୋହଲି। ୨୦୧୯ରେ କୋହଲି ବିଶ୍ବର ୨ୟ ସର୍ବାଧିକ ଦିନିକିଆ ସ୍କୋରର୍ ହୋଇଛନ୍ତି। ୨୦୧୯ରେ ସର୍ବାଧିକ ଦିନିକିଆ ସ୍କୋରର୍ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଓପ୍‌ନର ସାଇ ହୋପ୍। ଏହି ୱିକେଟ ରକ୍ଷକ ବ୍ୟାଟ୍‌ସ୍ୟାନ୍ ୨୦୧୯ରେ ୨୮ଟି ଦିନିକିଆ ମ୍ୟାଚ୍ ଖେଳି ୨୬ଟି ଇନିଂସରୁ ୬୧.୧୩ ଆଭ୍‌ରେଜରେ ୧୩୪୫ ରନ୍‌ ସ୍କୋର୍ କରିଛନ୍ତି। ୨୦୧୯ରେ ସାଇ ହୋପ୍‌ଙ୍କ ଦିନିକିଆ ବ୍ୟାଟିଂ ଆଭ୍‌ରେଜ୍‌ ସବୁଠାରୁ ଅଧିକ। ୨୦୧୯ରେ ସାଇ ହୋପ୍ ୪ଟି ଶତକ ଓ ୮ଟି ଅର୍ଦ୍ଧଶତକ ମାରିଛନ୍ତି। ବର୍ଷ ଶେଷରେ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ସାଇ ହୋପ୍ ୩ଟି ମ୍ୟାଚ୍‌ରୁ ଅପରାଜିତ ୧୦୨, ୭୮ ଓ ୪୨ ରନ୍ ସ୍କୋର୍ କରିଥିଲେ। ୨୦୧୯ କ୍ୟାଲେଣ୍ଡର ବର୍ଷରେ ସାଇ ହୋପ୍ ୨୧ଟି ଛକା ଓ ୧୧୭ଟି ଚୌକା ମାରିଛନ୍ତି। ତେବେ ଭାରତକୁ ଛାଡ଼ି ହୋପ୍ ମାରିଥିବା ଅନ୍ୟ ୩ଟି ଶତକ ୩ ଦୁର୍ବଳ ଦଳ ଆୟରଲାଣ୍ଡ, ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ବିପକ୍ଷରେ ରହିଛି।

ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ୨୦୧୯ରେ ବିଶ୍ବରେ ସର୍ବାଧିକ ଦିନିକିଆ ସ୍କୋରର୍ ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି। ୨୦୧୮ରେ ଦୁର୍ବଳ ପ୍ରଦର୍ଶନ କରିିଥିବା ଫିଞ୍ଚ୍ ୨୩ଟି ଦିନିକିଆରୁ ୫୧.୮୬ ଆଭ୍‌ରେଜ୍‌ରେ ୧୧୪୧ ରନ୍ କରିଛନ୍ତି। ସେ ୪ଟି ଶତକ ଓ ୬ଟି ଅର୍ଦ୍ଧଶତକ ମାରିଛନ୍ତି। ଫିଞ୍ଚ୍ ୩୬ଟି ଛକା ଓ ୯୮ଟି ଚୌକା ମାରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨ଟି ଏବଂ ବାକି ୨ଟି ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷରେ ହାସଲ କରିଛନ୍ତି। ବିଶ୍ବର ଅନ୍ୟତମ ପ୍ରଭାବଶାଳୀ ଯୁବ ଦିନିକିଆ ବ୍ୟାଟ୍‌ସମ୍ୟାନ୍ ହେଲେ ପାକିସ୍ତାନର ବାବର ଆଜମ୍। ୨୦୧୯ରେ ଆଜମ୍ ବିଶ୍ବ​‌ରେ ୫ମ ସର୍ବାଧିକ ୧୦୯୨ ଦିନିକିଆ ରନ୍ ସ୍କୋର୍ କରିଛନ୍ତି। ତାଙ୍କ ଆଭ୍‌ରେଜ୍ ୬୦ରୁ ଅଧିକ ଏବଂ ଆଜମ୍ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ୯ଟି ଛକା ଓ ୧୦୯ଟି ଚୌକା ମାରିଛନ୍ତି। ୩ ଭିନ୍ନ ପ୍ରତିପକ୍ଷ ଦଳ ବିପକ୍ଷରେ ଆଜମ୍ ୩ଟି ଶତକ ମାରିଛନ୍ତି।

Comments are closed.