ରୋହିତଙ୍କ ଦିନିକିଆ ମାନ୍ୟତା ୨କୁ ବୃଦ୍ଧି

0

ଦୁବାଇ : ସଦ୍ୟସମାପ୍ତ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇ ରୋହିତ ଶର୍ମା ଭାରତକୁ ସପ୍ତମ ଥର ପାଇଁ ଚମ୍ପିଆନ କରାଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତ ମୋଟ ୩୧୭ ରନ ସ୍କୋର କରିଥିଲେ। ଏହି ବ୍ୟାଟିଂ ସଫଳତା ପାଇଁ ରୋହିତଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ରବିବାର ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ବ୍ୟାଟସମ୍ୟାନଙ୍କ ତାଲିକାରେ ରୋହିତ ଦୁଇଟି ପାହ୍ୟା ଉପରକୁ ଉଠି ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଫଳରେ ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନ ବର୍ତ୍ତମାନ ଭାରତୀୟ ଖେଳାଳିଙ୍କ ଅକ୍ତିଆରକୁ ଆସିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ୮୮୪ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ରୋହିତ ୮୪୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରୋହିତ ଅବଶ୍ୟ ଚଳିତବର୍ଷ ଜୁଲାଇରେ ତାଲିକାର ୨ୟ ସ୍ଥାନରେ ରହିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାଙ୍କର ମାନ୍ୟତା ହ୍ରାସ ପାଇଥିଲା। ତାଲିକାର ଶ୍ରେଷ୍ଠ ଦଶ ମଧ୍ୟରେ ଶିଖର ଧାୱନ (୮୦୨ ପଏଣ୍ଟ) ଅନ୍ୟ ଭାରତୀୟଭାବେ ସ୍ଥାନ ପାଇଛନ୍ତି। ସଦ୍ୟସମାପ୍ତ ଏସିଆ କପ୍‍ରେ ସର୍ବାଧିକ ୩୪୨ ରନ କରିବାପରେ ଧାୱନ ଚାରିଟି ପାହ୍ୟା ଉପରକୁ ଉଠି ୫ମ ସ୍ଥାନରେ ଉପନୀତ ହୋଇଛନ୍ତି।
ଦିନିକିଆ ବୋଲରଙ୍କ ତାଲିକାରେ ଭାରତର ଯଶପ୍ରୀତ ବୁମ୍‍ରା (୭୯୭ ପଏଣ୍ଟ) ଶୀର୍ଷରେ ରହିଥିବାବେଳେ ବାମହାତି ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ (୭୦୦) ତିନିଟି ପାହ୍ୟା ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏସିଆ କପ୍‍ରେ କୁଲଦୀପ ୧୦ଟି ୱିକେଟ ଅକ୍ତିଆର କରି ଆଫଗାନିସ୍ତାନର ରସିଦ ଖାନ୍‍ ଓ ବାଂଲାଦେଶର ମୁସ୍ତାଫିଜୁର ରେହମାନଙ୍କ ସହ ମିଳିତଭାବେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ବୋଲରଭାବେ ମାନ୍ୟତା ପାଇଥିଲେ। ଅପରପକ୍ଷରେ ରସିଦ ଖାନ୍‍ (୭୮୮) ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦିନିକିଆ ଅଲରାଉଣ୍ଡର ତାଲିକାରେ ବାଂଲାଦେଶର ସାକିବ ଅଲ୍‍ ହାସାନଙ୍କୁ ହଟାଇ ରସିଦ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ଏସିଆ କପ୍‍ର ସଫଳତା ପରେ ରସିଦ ଛଅଟି ପାହ୍ୟା ଉପରକୁ ଉଠି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅଲରାଉଣ୍ଡର ତାଲିକାର ଶ୍ରେଷ୍ଠ ଦଶ ମଧ୍ୟରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରେଷ୍ଠ ଭାରତୀୟଭାବେ ତାଲିକାର ୧୫ଶ ସ୍ଥାନରେ ରହିଛନ୍ତି। ଏଭଳି କୃତିତ୍ୱ ଅର୍ଜନ କରିବାରେ ରସିଦ ଆଫଗାନିସ୍ତାନର ପ୍ରଥମ ଖେଳାଳି।
ଦଳଗତ ମାନ୍ୟତା (ଦିନିକିଆ) ତାଲିକାର ଶ୍ରେଷ୍ଠ ଦଶ ସ୍ଥାନ ଅପରିବର୍ତ୍ତିତ ରହିଛି। ଇଂଲଣ୍ଡ ତାଲିକାର ଶୀର୍ଷରେ ରହିଥିବାବେଳେ ଭାରତ ୨ୟ, ନ୍ୟୁଜିଲାଣ୍ଡ ୩ୟ, ଦକ୍ଷିଣ ଆଫ୍ରିକା ୪ର୍ଥ, ପାକିସ୍ତାନ ୫ମ, ଅଷ୍ଟ୍ରେଲିଆ ୬ଷ୍ଠ, ବାଂଲାଦେଶ ୭ମ, ଶ୍ରୀଲଙ୍କା ୮ମ, ୱେଷ୍ଟଇଣ୍ଡିଜ ୯ମ ଓ ଆଫଗାନିସ୍ତାନ ୧୦ମ ସ୍ଥାନରେ ରହିଛନ୍ତି। ତେବେ ଏସିଆ କପ୍‍ରେ ଚମ୍ପିଆନ ହେବାପରେ ଭାରତକୁ ଗୋଟିଏ ପଏଣ୍ଟ ଅଧିକ ମିଳିଥିବାବେଳେ ଆଫଗାନିସ୍ତାନ ୬ ପଏଣ୍ଟ ଅଧିକ ପାଇଛି।

Leave A Reply