ରୋହିତଙ୍କ ‘ଗଣ୍ଡା ବଞ୍ଚାଅ’ ଜୋତାକୁ ନେଇ ଚର୍ଚ୍ଚା

ଚେନ୍ନଇ: ବେଶ୍‌ କିଛିବର୍ଷ ହେଲା ଭାରତୀୟ ଗଣ୍ଡା ବଂଶର ସଂରକ୍ଷଣ ପାଇଁ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଓପ୍‌ନର ରୋହିତ ଶର୍ମା। ଗୋଟିଏ ଶିଙ୍ଗ ଥିବା ଗଣ୍ଡାର ସଂରକ୍ଷଣ ପାଇଁ ସେ ‘ରୋହିତ ଫର୍ ରାଇନୋଜ୍‌’ ଅଭିଯାନ ଚଳାଇଛନ୍ତି। ଏହି ବିରଳ ଭାରତୀୟ ପଶୁର ବିଲୟହେବାରୁ ବଞ୍ଚାଇବା ଲାଗି ରୋହିତ ବିଭିନ୍ନ ସଂଗଠନ ସହ ଜଡ଼ିତ ହୋଇ ଏହି ଅଭିଯାନ ଚଳାଇଛନ୍ତି। ଭାରତୀୟ ଗଣ୍ଡା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ରୋହିତ ଏକ ଅଭିନବ ଉପାୟ ବାଛିଥିଲେ। ଶୁକ୍ରବାର ଏଠାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ରୋହିତଙ୍କ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ଚଳିତ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିଥିଲା।

ଏହି ମ୍ୟାଚ୍‌ରେ ମୁମ୍ବଇର ଅଧିନାୟକ ରୋହିତ ଯେଉଁ ଜୋତା ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ; ସେଥିରେ ଲେଖାଥିଲା- ସେଭ୍ ଦି ରାଇନୋ (ଗଣ୍ଡାକୁ ବଞ୍ଚାଅ)। ରୋହିତଙ୍କ ଏପରି ଜୋତାକୁ ଦେଖି କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ତେବେ ଟ୍ବିଟରରେ ରୋହିତ ତାଙ୍କ ଜୋତାର ଫଟୋ ଛାଡ଼ି ଭାରତୀୟ ଗଣ୍ଡାର ସଂରକ୍ଷଣ ପାଇଁ ପ୍ରଶଂସକଙ୍କ ସମର୍ଥନ ଲୋଡ଼ିଥିଲେ। ରୋହିତ ଏପରି ଜୋତା ପିନ୍ଧିଥିବାରୁ ତାଙ୍କୁ ଟ୍ବିଟର ଜରିଆ​‌େ​‌ର ପ୍ରଶଂସା କରିଛନ୍ତି ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍। ପୁଣି ବଲିଉଡ୍‌ ତାରକା ଅଭିଷେକ ବଚ୍ଚନ ମଧ୍ୟ ରୋହିତଙ୍କ ଏପରି ପଦକ୍ଷେପ ପାଇଁ ତାଙ୍କୁ ସାଧୁବାଦ ଦେଇଛନ୍ତି।

Comments
Loading...