ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ : ରୋହିତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଗସ୍ତ ସିମିତ ଓଭର ସିରିଜରୁ ବାଦ୍‌ ପଡ଼ିଥିବା ହିଟ୍‌ମ୍ୟାନ ରୋହିତ ଶର୍ମା ଟେଷ୍ଟ ସିରିଜ୍‌ ଲାଗି ଦଳରେ ସାମିଲ ହୋଇଛନ୍ତି। ଟେଷ୍ଟ ମ୍ୟାଚରେ ଦଳ ମ୍ୟାନେଜ୍‌ମେଣ୍ଟ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ କହିବେ; ସେଥିପାଇଁ ପ୍ରସ୍ତୁତ ବୋଲି ରୋହିତ କହିଛନ୍ତି।
ସିମିତ ଓଭର କ୍ରିକେଟରେ ଓପନିଂ କରୁଥିବା ରୋହିତ ଟେଷ୍ଟରେ ସେଭଳି କୌଣସି ନିର୍ଦ୍ଦିଷ୍ଟ ବ୍ୟାଟିଂ ପୋଜିସନ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ପ୍ରଥମ ଟେଷ୍ଟ ପରେ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରି ଆସିବେ। କୋହଲିଙ୍କ ଅନୁପସ୍ଥିତି ରୋହିତଙ୍କ ଗୁରୁତ୍ବକୁ ବଢାଇଛି। ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡ଼େମୀରେ ନିଜକୁ ପ୍ରସ୍ତୁତ କରୁଥିବା ରୋହିତ କହିଛନ୍ତି, ଟେଷ୍ଟ କ୍ରିକେଟରେ ଓପନିଂ ହେଉ କି ଅନ୍ୟ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ। ଅଧିନାୟକ, ଉପଅଧିନାୟକ ଅବା ମ୍ୟାନେଜ୍‌ମେଣ୍ଟ ମୋତେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ଦେଲେ; ସେଥିପାଇଁ ପ୍ରସ୍ତୁତ ରହିଛି। ଟେଷ୍ଟ ଦଳରେ ସ୍ଥାନ ପାଇବା ନେଇ ବହୁତ ଖୁସି। ଓପନିଂ ସ୍ଥାନ ପରିବର୍ତ୍ତନ ହେଲେ ମଧ୍ୟ ମୁଁ ଅନ୍ୟ ପୋଜିସନରେ ଖେଳିବା ନେଇ ଉତ୍ସାହିତ ଅଛି। ଅଷ୍ଟ୍ରେଲିଆ ଗସ୍ତରେ ଶେଷ ୩ ମ୍ୟାଚରେ ବିରାଟଙ୍କ ଅନୁପସ୍ଥିତିରେ ମୋତେ ଓପନ୍‌ କରିବା ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ମୁଁ ନିଜକୁ ପ୍ରସ୍ତୁତ ବୋଲି ରୋହିତ କହିଛନ୍ତି। ଇନିଂସ ଓପନିଂ କରିବାକୁ ସୁଯୋଗ ମିଳିଲେ ମୁଁ ପୁଲ ‌ କିମ୍ବା କଟ୍‌ ସଟ୍‌ ଉପରେ ଅଧିକ ଗୁରୁତ୍ବ ନଦେଇ ଟେକ୍‌ନିକ୍‌ ସଟ୍‌ ଖେଳିବା ଉପରେ ଗୁରୁତ୍ବ ଦେଉଛି। ଜୋସ୍‌ ହାଜେଲ୍‌ଉଡ୍‌, ପ୍ୟାଟ୍‌ କମିନ୍‌ସ, ମିଚେଲ ଷ୍ଟାର୍କଙ୍କୁ ନୂଆ ବଲରେ ଖେଳିବା ନେଇ ପ୍ରସ୍ତୁତ କରୁଛି। କମିନ୍‌ସ, ଷ୍ଟାର୍କ ଓ ହାଜେଲଉଡ୍‌ ବଲକୁ ସ୍ବିଙ୍ଗ୍‌ ଓ ବାଉନ୍‌ସ କରିବାରେ ବେଶ ଦକ୍ଷ। ସେମାନଙ୍କୁ ମୁକାବିଲା କରିବା ନେଇ ନିଜକୁ ଭଲ ଭ​‌ାବେ ପ୍ରସ୍ତୁୂତ କରୁଛି। ଦିନିକିଆ କ୍ରିକେଟ ଅପେକ୍ଷା ଟେଷ୍ଟ କ୍ରିକେଟରେ ଖେଳିବା​‌ ସବୁବେଳେ ଆହ୍ବାନଭରା ହୋଇଥାଏ। ଏଥିପାଇଁ ନାଲି ବଲ କ୍ରିକେଟ ଉପରେ ଗୁରୁତ୍ବ ଦେଉଛି ବୋଲି ରୋହିତ କହିଛନ୍ତି। ସୂଚନାଯୋଗ୍ୟ; ପ୍ରଥମ ଟେଷ୍ଟ ପରେ ଅଧିନାୟକ ବିରାଟ କୋହଲି ଭାରତ ଫେରିଆସିବା ପରେ ରୋହିତଙ୍କ ଭୂମିକା ଦଳ ପାଇଁ ଅଧିକ ଗୁରୁତ୍ବ ହୋଇପଡ଼ିଛି। ୩୨ଟି ଟେଷ୍ଟମ୍ୟାଚ ଖେଳିଥିବା ରୋହିତଙ୍କ ଆଭରେଜ୍‌ ୪୬ରୁ ଉର୍ଦ୍ଧ୍ବ ରହିଛି।

Comments are closed.