ଭୁବନେଶ୍ବର ଏମସ୍‌ରେ ମିଳିବ ରୋବୋଟିକ୍‌ ଫିଜିଓଥେରାପି ଚିକିତ୍ସା

ଭୁବନେଶ୍ବର: ପକ୍ଷାଘାତ, ମସ୍ତିଷ୍କ ଆଘାତ ଜନିତ ଶଯ୍ୟାଶାୟୀ, ଦୁର୍ଘଟଣାରେ ଗୋଡ, ହାତ ଏବଂ ମେରୁଦଣ୍ଡ ଭାଙ୍ଗିଲେ ଫିଜିଓଥେରାପିର ରୋବୋଟିକ୍ ମେସିନ୍ ଚିକିତ୍ସା ଦ୍ବାରା ରୋଗୀ ଆରୋଗ୍ୟ ହୋଇପାରିବେ। ଔଷଧ ଚିକିତ୍ସା ବିଫଳ ହେଲେ ରୋଗୀକୁ ରୋବୋଟିକ୍ ମେସିନ୍ ମାଧ୍ୟମରେ ଚିକିତ୍ସା କରାଯିବ। ଏନେଇ ଭୁବନେଶ୍ବରସ୍ଥିତ ଏମସ୍‌ରେ ଫିଜିଓଥେରାପି ବିଭାଗରେ ତିନିଟି ୟୁନିଟ୍‌ ତିଆରି କରାଯାଇଛି। ନଭେମ୍ବର ୧୨ରେ ରୋବୋଟିକ୍ ୟୁନିଟକୁ ଲୋକାର୍ପିତ କରାଯିବ ବୋଲି ଏମସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିପାଇଁ ସହାୟକ ଥେରାପି ୟୁନିଟ୍‌, ପ୍ରୋସ୍‌ଥେଟିକ୍ ଓ ଅର୍ଥୋଟିକ୍ ୟୁନିଟ୍‌ ଏବଂ ଅକୁପେସନାଲ୍‌ ଥେରାପି ୟୁନିଟ୍‌ କରାଯାଇଛି। ମସ୍ତିଷ୍କ ଆଘାତ ରୋଗୀର ମସ୍ତିଷ୍କ କାମ କରି ନଥାଏ। ଅନେକ ସମୟରେ ଔଷଧ ଚିକିତ୍ସା ବିଫଳ ହୁଏ। ଏହି ‌କ୍ଷେତ୍ରରେ ରୋଗୀ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇଯାଏ। ରୋଗୀର ମସ୍ତିଷ୍କକୁ ସଚଳ କରିବା ପାଇଁ ରୋବୋଟିକ୍ ମେସିନ୍‌କୁ ମସ୍ତିଷ୍କରେ ଖଞ୍ଜାଯିବ। ମେସିନ୍ ରୋଗୀର ମସ୍ତିଷ୍କକୁ ଆସ୍ତେ ଆସ୍ତେ ସଚଳ କରିବ। ରୋଗୀ ସୁସ୍ଥତା ଆଡକୁ ଗତି କରିବ। ଦୁର୍ଘଟଣା ଯୋଗୁଁ ଗୋଡ, ହାତ ଏବଂ ମେରୁଦଣ୍ଡ ଭାଙ୍ଗିବା ଦ୍ବାରା ରୋଗୀ ଶଯ୍ୟାଶାୟୀ ହୋଇଯାଏ। ଔଷଧ ଚିକିତ୍ସା ସମ୍ଭବ ନହେଲେ ରୋଗୀକୁ ଫିଜିଓଥେରାପି ଚିକିିତ୍ସା ଦିଆଯାଏ। ରୋଗୀର ଯେଉଁ ଅଂଶ କାମ କରୁ ନଥିବ ସେହି ଅଂଶରେ ରୋବୋଟିକ୍ ମେସିନ୍‌ ଖଞ୍ଜାଯିବ। ମେସିନ କାମ ଆରମ୍ଭ କରିବା ମାତ୍ରେ ଅଚଳ ଅଂଶ ସଚଳ ହେବାକୁ ଲାଗିବ। ସେହିପରି ଦିବ୍ୟାଙ୍ଗଙ୍କୁ ମଧ୍ୟ ଏହି ୟୁନିଟ୍‌ କେୟାରରେ ରଖି ଫିଜିଓଥେରାପି ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଏମସ୍‌ ପକ୍ଷରୁ ସୂଚନା ମିଳିଛି।

Comments are closed.