ଦଶମ ଶ୍ରେଣୀ ଛାତ୍ରଙ୍କ ଉଦ୍ଭାବନ ‘ରୋବଟିକ୍‌ ନର୍ସ’

ନିମାପଡା: କରୋନା ରୋଗୀଙ୍କ ଚିକିତ୍ସା ସମୟରେ ସେମାନଙ୍କ ପାଖକୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ନିମାପଡା ଡିଏଭି ପବ୍ଲିକ ସ୍କୁଲର ୧୦ମ ଶ୍ରେଣୀର ଛାତ୍ର ସୌମେନ୍ଦ୍ର ମିଶ୍ର ଏକ ଗ୍ରେସଚର ରୋବଟିକ୍‌ ନର୍ସ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି।

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମଣଙ୍କ ଚିକିତ୍ସା କରି ଅନେକ ଏହି ମହାମାରୀର ଶିକାର ହେଉଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ସମୟରେ ରୋବଟିକ ନର୍ସ ତାଙ୍କ ପାଖରେ ଔଷଧ ଯୋଗାଇ ପାରିବ। ଏହାକୁ ଉଦ୍ଭାବନ କରିଛନ୍ତି ନିମାପଡ଼ା ବ୍ଲକ ଅନ୍ତୁଆର ପଞ୍ଚାୟତ ତରଡପଡା ଗ୍ରାମର ବଳରାମ ମିଶ୍ରଙ୍କ ପୁଅ ସୌମେନ୍ଦ୍ର।

ବଳରାମ ନିମାପଡା ଡିଏଭି ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ସୌମେନ୍ଦ୍ର ମାତ୍ର ୭ଦିନରେ ଏକ ରୋବଟିକ୍‌ ନର୍ସ ତିଆରି କରିପାରିଛନ୍ତି। ଏଥିପାଇଁ ସେ ୧୨ ହଜାର ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି। ଏହି ନର୍ସ ରୋବର୍ଟଟି ଅଙ୍ଗୁଳି ଇଙ୍ଗିତ ମାଧ୍ୟମରେ ରୋଗୀଙ୍କ ପାଖରେ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ସହଜରେ ପହଞ୍ଚାଇ ଦେଇପାରିବ ଏବଂ ରୋବଟିକ୍‌ ନର୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଏହାକୁ ସହଜରେ ସାନିଟାଇଜ ମଧ୍ୟ କରାଯାଇପାରିବ।

ଏଥିରେ ଏକ ଇଲୋକ୍ଟ୍ରୋନିକ କିଟ୍‌ ଓ ସେନ୍‌ସର ଆଦି ସରଞ୍ଜାମ ଲାଗିଛି। ଏହି ରୋବର୍ଟଟିକୁ ତିଆରି କରିବା ପଛରେ ତାଙ୍କ ପିତାମାତାଙ୍କ ପ୍ରେରଣା ରହିଥିବା ସୌମେନ୍ଦ୍ର ପ୍ରକାଶ କରିଛନ୍ତି। ଏହି ରୋବର୍ଟଟିକୁ ରୋଗୀମାନଙ୍କ ଚିକିତ୍ସାରେ ବ୍ୟବହାର କରାଗଲେ କୋଭିଡ ଯୋଦ୍ଧାମାନେ ରୋଗୀଙ୍କ ସଂସ୍ପର୍ଶରେ ଆସି ଯେଉଁ ସଂକ୍ରମଣର ଶିକାର ହେଉଛନ୍ତି ତାହା ବହୁମାତ୍ରାରେ ଦୂର ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀଙ୍କ ସେବା ପାଇଁ ଯୋଗାଇ ଦେବାକୁ ତାଙ୍କ ଲକ୍ଷ୍ୟ ରହିଥିବା ସୈାମେନ୍ଦ୍ରଙ୍କ ପିତା ବଳରାମ ପ୍ରକାଶ କରିଛନ୍ତି। କରୋନା ମହାମାରୀ ସମୟରେ ଅନଲାଇନରେ ପାଠପଢ଼ି କରୋନା ଯୋଦ୍ଧାଙ୍କ ପାଇଁ ସୌମେନ୍ଦ୍ରଙ୍କ ଏଭଳି ଉଦ୍ୟମ ସବୁ ମହଲରେ ବେଶ୍‍ ପ୍ରଶଂସା କରାଯାଇଛି। ସରକାରୀ ସ୍ତରରେ ତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଗଲେ ସୌମେନ୍ଦ୍ର ଆଗକୁ ଏଭଳି ଅନେକ ଜିନିଷ ଉଦ୍ଭାବନ କରିପାରନ୍ତେ ବୋଲି ଡିଏଭି ସ୍କୁଲର ଅଧ୍ୟକ୍ଷ ଏମ୍‍ଏମ୍‍ ହକ୍‌, ଶିକ୍ଷକ, ଶିକ୍ଷୟିତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Comments are closed.