ଲୁଟିଲେ ନଗଦ ୨୮ ଲକ୍ଷ ଓ କୋଟିଏ ଟଙ୍କାର ସୁନାଗହଣା

0

ଅନୁଗୁଳ/ନୟାଗଡ଼: ଆଜି ରାଜ୍ୟର ଦୁଇଟି ସ୍ଥାନରେ ଦିବାଲୋକରେ ଦୁଇଟି ବ୍ୟାଙ୍କ ଡକାୟତି ସଂଘଟିତ ହୋଇଛି। ସିନେମା ଷ୍ଟାଇଲ୍ରେ ଦୁର୍ବୃତ୍ତମାନେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ରୁମ୍ରେ ବନ୍ଦ କରି ୨୮ ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଲୁଟ୍ ଗହଣାର ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଆଜି ପୂର୍ବାହ୍ନ ୧୦.୩୦ ସମୟରେ ଅନୁଗୁଳ ଥାନା ବଜାର ଛକ ନିକଟସ୍ଥ ଆନ୍ଧ୍ର ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରୁ ଦୁର୍ବୃତ୍ତମାନେ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦେଖଣାହାରୀଙ୍କ ସୂଚନା ଅନୁଯାୟୀ ବ୍ୟାଙ୍କ ଖୋଲିବାର କିଛି ସମୟ ପରେ ପ୍ରାୟ ୫ ଜଣ ଦୁବୃର୍ତ୍ତ ବ୍ୟାଙ୍କକୁ ଆସିଥିଲେ। ସେତେବେଳେ ବ୍ୟାଙ୍କରେ ପ୍ରାୟ ୩୦ରୁ ୪୦ ଗ୍ରାହକ ଉପସ୍ଥିତ ଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ମୋବାଇଲ ଫୋନ୍ ଛଡ଼ାଇ ନେବା ପରେ ଗୋଟିଏ ଘରେ ଭର୍ତ୍ତି କରି ତାଲା ପକାଇ ଦେଇଥିଲେ। ଏହାପରେ ବ୍ୟାଙ୍କର କର୍ମଚାରୀଙ୍କୁ ଧରି ଷ୍ଟ୍ରଙ୍ଗ ରୁମକୁ ନେଇଥିଲେ । ସେଠାରେ ଲକର ଭାଙ୍ଗି ସୁନା ଗହଣା ସହ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଲୁଟେରାମାନେ ହିନ୍ଦୀରେ କଥା ହେଉଥିବା ଜଣା ପଡ଼ିଛି। ଘଟଣାସ୍ଥଳରେ ଅନୁଗୁଳ ପୁଲିସ ଓ ଏସପି ପହଞ୍ଚି ଗ୍ରାହକଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତମାନେ ୨ଟି ବାଇକରେ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି।
ସେହିପରି ଅପରାହ୍ଣରେ ନୟାଗଡ଼ ଜିଲା ରଣପୁର ବ୍ଳକ୍ କୋଇଲି ମା ଶାଖା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ନଗଦ ୮୦ ହଜାର ଟଙ୍କା ଓ ୨୫୫ଟି ସୁନା ଗହଣା ପ୍ୟାକେଟ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୁନା ଗହଣାର ଅନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅପରାହ୍ଣ ପ୍ରାୟ ୧ଟା ବେଳେ ୫ ଜଣ ଡକାୟତ ବ୍ୟାଙ୍କରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ମୁଖା ପିନ୍ଧିଥିବା ବେଳେ ଦୁଇ ଜଣ ହେଲ୍ମେଟ୍ ପିନ୍ଧିଥିଲେ। ଜଣେ ଲୁଟେରା ବ୍ୟାଙ୍କ ପରିଚାଳକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକର ଚାବି ମାଗିଥିଲା। ପିଅନ ପ୍ରଦୀପ୍ତ ବିଧାର ବିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଗୋଟିଏ କୋଣରେ ଅଟକ ରଖିଥିବାବେଳେ ଅନ୍ୟ ଜଣେ ଲକରରୁ ସୁନା ପ୍ୟାକେଟ୍ ଓ ନଗଦ ଟଙ୍କା ନେଇଥିଲା। ସିଟିଟିଭି ଭାବି ଏକ କମ୍ପ୍ୟୁଟରକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। ଏହାପରେ ବ୍ୟାଙ୍କର ସମସ୍ତ ୪ ଜଣ କର୍ମଚାରୀଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରି ବାହାରୁ ତାଲା ପକାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ କର୍ମଚାରୀ ଓ ଗ୍ରାହକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଆଞ୍ଚଳିକ ପ୍ରବନ୍ଧକ ଏସ୍ ଅଲ୍ଲୀ ଓ ଅଧିକାରୀଙ୍କ ସମେତ ନୟାଗଡ଼ ଏସପି ଆଶିଷ ସିଂହ, ଥାନାଧିକାର ଗିରିଜା ଶଙ୍କର ରଥ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ରଣପୁର ଅଞ୍ଚଳର ଦର୍ପନାରାୟଣପୁର ଗ୍ରାମ୍ୟ ବ୍ୟାଙ୍କ ରୁ ଅନୁରୁପ ଭାବେ ୨୦୧୩ ମସିହାରେ ଡକାୟତମାନେ ସୁନାଗହଣା ପ୍ୟାକେଟ ଲୁଟି ନେଇଥିଲେ। ସେହିପରି ରାଜସୁନାଖଳା ଗ୍ରାମ୍ୟ ବ୍ୟାଙ୍କ ଓ କାସନ୍ଦାସ୍ଥିତ କାନାରା ବ୍ୟାଙ୍କ ରୁ ମଧ୍ୟ ଲୁଟ ଉଦ୍ୟମ ହୋଇଥିଲା। ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ସମାନ ଢଙ୍ଗରେ ହୋଇଥିବା ବ୍ୟାଙ୍କ ଲୁଟ୍ ଘଟଣା ପଛରେ କୌଣସି ଗୋଟିଏ ଗ୍ୟାଙ୍ଗ ଜଡ଼ିତ ଥାଇପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply