କରୋନା ମାଡ଼ରେ ନିରବିଛି ବାଘ ଓ ସିଂହ ଗର୍ଜନ

ଭଞ୍ଜନଗର: ଐତିହ୍ୟ-ସଂସ୍କୃତି ଓ ପରମ୍ପରାର ଗାଁ ଘୁମୁସରର ବଡକୋଦଣ୍ଡା । ଭଞ୍ଜନଗର ବ୍ଳକର ବୃହତମ ଏହି ଗାଁର ପଶୁମୁଖା ନୃତ୍ୟ ଭାରତବର୍ଷରେ ଅନନ୍ୟ। ଏହାସହ ଗାଁର କଣ୍ଢେଇ ଅପେରା ଭଳି କଳା ଦେଶର ଅନ୍ୟ କେଉଁଠି ଦେଖିବାକୁ ମିଳେନି। ପଶୁବେଶରେ ମଣିଷ ସଜ୍ଜିତ ହୋଇ ନୃତ୍ୟ କରିବା ହେଉଛି ପଶୁମୁଖା ନୃତ୍ୟର ମୂଳ ଦୃଷ୍ଟାନ୍ତ। ବାଘ ଓ ସିଂହ ପରି କୁଦା ମାରି ଗର୍ଜନ କରିବା, ହରିଣ ଓ ଘୋଡା ପରି ଡେଇଁ ନୃତ୍ୟ କରିବା ସହ ରାଜା-ରାଣୀ, ଶିବ -ପାର୍ବତୀ, କେଳା-କେଳୁଣୀ, ଲକ୍ଷ୍ମୀ- ସରସ୍ୱତୀ ଓ କାଳୀ ପ୍ରଭୃତି ଦେବଦେବୀଙ୍କ ବେଶ‌େ‌ର ନୃତ୍ୟ ଏହି ଲୋକ ସଂସ୍କୃତିର ମହାନତାକୁ ବହନ କରେ। ଏଥିସହ ରାଜହଂସ, ମୟୂର, ବଗ ଓ ଘରଚଟିଆ ଭଳି ପକ୍ଷୀଙ୍କ ବେଶ ଧାରଣ ମଧ୍ୟ ଅଧିକ ଆକର୍ଷଣୀୟ। କରୋନାକାଳରେ ଏହି କଳା ଆଜି ସମ୍ପୂର୍ଣ୍ଣ ସୁପ୍ତ ହୋଇଯାଇଛି। ରୋଜଗାର ହରାଇ କଳାକାର ସୁପ୍ତ ହୋଇପଡିଥିବା ବେଳେ ନିରବିଛି ବାଘ ଓ ସିଂହର ଗର୍ଜନ।

ଆବାହମାନକାଳରୁ ଏହି ଗ୍ରାମରେ ପଶୁମୁଖା ନୃତ୍ୟର ଉତ୍ପତ୍ତି ଘଟିଥିଲା। ପାରମ୍ପରିକସୂତ୍ରରେ ବାନ୍ଧି ହୋଇଥିବା ଗ୍ରାମର ବିଭିନ୍ନ ଯାନିଯାତ୍ରାକୁ ଅଧିକ ରୁଚିକର କରିବା ପାଇଁ ଗ୍ରାମର ବିଭିନ୍ନ ଗୋଷ୍ଠୀ ତରଫରୁ ଏହିସବୁ ପଶୁମୁଖାଙ୍କ ନୃତ୍ୟ ଆବଶ୍ୟକତା ପଡିଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଁ ଗାଁରେ ହଇଜା ଓ ବସନ୍ତ ପରି ମହାମାରୀ କାଳ‌େ‌ର ଗାଁରେ ଖାଲି କୁଢ କୁଢ ମଣିଷ ଶବପଡି ରହିଥିଲା। ଠାକୁରାଣୀ କୋପ କରିଛନ୍ତି ଓ ଟୋକାଇ ଧରି ଗାଁ ଦାଣ୍ଡରେ ମଣିଷ ଗୋଟାଇ ନେଉଥିବା ସେହି ସମୟରେ ଗାଁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଥିଲା। ଏପରି ଭୟଙ୍କର ବାତାବରଣ ମଧ୍ୟରେ ଗାଁ ଦାଣ୍ଡରେ ଉଡୁଥିଲେ ଚିଲ ଓ ଶାର୍ଗୁଣା। ଗାଁ ଗାଁ ଜନଶୂନ୍ୟ ହୋଇପଡୁଥିଲା। ସେହି ସମୟରୁ ଗାଁ ଠାକୁରାଣୀଙ୍କୁ ଶାନ୍ତ କରିବା ନିମନ୍ତେ ପଣାପାଣି ଓ ଗଜାମୁଆଁ ସହ ଆବଶ୍ୟକ ପଡିଥିଲା ଢୋଲବାଦ୍ୟ ଓ ମହୁରୀରର ତାଳେ ତାଳେ ପଶୁମୁଖା ନୃତ୍ୟ। ସେହିଦିନଠାରୁ ଏହି ନୃତ୍ୟ ଗାଁରେ ଆରମ୍ଭ ହୋଇଥିଲା। ଢୋଲ ଓ ଚାଙ୍ଗୁ ବାଦ୍ୟର ତାଳେ ତାଳେ ବାଘ, ସିଂହ ଓ ହାତୀର ଗର୍ଜନ ଏବଂ ଠେଙ୍ଗା, ଖଣ୍ଡା, ଓ ଶଗଡ ଚକା ଧରି କଳାକାର କଳାନୌପୁଣ୍ୟ ପ୍ରଦର୍ଶନ କରିବା ଓଡିଆଙ୍କ ବୀରତ୍ୱ ଓ ସାହସିକତାର ପ୍ରମାଣ ଦେଇଥିଲା। ବାଦ୍ୟ ଶବ୍ଦ ସହ ବାଘର ଗର୍ଜନ ତର୍ଜନରେ ଗାଁ ଦାଣ୍ଡରୁ କଳୁଷିତ ବାତାବରଣ ଧୋଇ ହୋଇ ସକ୍ରିୟାତ୍ମକ ପରିବେଶ ସୃଷ୍ଟି କରିଥିଲା।

ଓଡିଆର ବୀରତ୍ୱ ଓ ସାହସିକତାର ନିଦର୍ଶନସ୍ୱରୂପ ପଶୁମୁଖା ନୃତ୍ୟ ସହ ପାଇକ ଆଖଡାର ଜନ୍ମ ନେଇଥିଲା। ରାଜାରାଜୁଡା ଶାସନ ସମୟରେ ବିଭିନ୍ନ ଯାତ୍ରାରେ ଏହିସବୁ ପଶୁମୁଖା ନୃତ୍ୟ ପରିବେଷଣ ହୋଇ ଆସୁଥିଲା। ଯାହା ଆଜି ବି ବଜାୟ ରହିଛି। ଦୁଇ ହଜାରରୁ ଅଧିକ ପରିବାର ବିଶିଷ୍ଟ ବଡକୋଦଣ୍ଡା ଗ୍ରାମରେ ୧୭ ଟି ପଶୁମୁଖା ନୃତ୍ୟ ଦଳ ଗଢି ଉଠିଥିଲା ବୋଲି ଏହି ଗ୍ରାମର ନୃସିହଂନାଥ, ପଶୁମୁଖା ନୃତ୍ୟର ବାଘ ବେଶଧାରୀ ପଞ୍ଚାନନ ସ୍ୱାଇଁ ପ୍ରକାଶ କରିଛନ୍ତି। ଏବେ ମାତ୍ର ୬ଟି ଦଳ ରହିଛି। ଘମୁସର ମାଟିରେ ଏପରି ୪୦ରୁ ଅଧିକ ପଶୁମୁଖା ନୃତ୍ୟ ଦଳ ରହିଥିଲା। ଏବେ ଭଞ୍ଜନଗର-ଭେଜିପୁଟର ନାରାୟଣ ମହାରଣା ଏବଂ ଖାଲାସିସାହିର ଶାନ୍ତୁନ ଦାସଙ୍କ ପଶୁମୁଖା ନୃତ୍ୟଦଳକୁ ଛାଡି ଦେଲେ ଆଉ ଅନ୍ୟ ଗ୍ରାମରେ ଏହା ଦେଖିବାକୁ ମିଳେନି। ପଞ୍ଚାନନ ସ୍ୱାଇଁଙ୍କ ଦଳ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୃତ୍ୟ ପରିବେଷଣ କରି ପ୍ରତିବର୍ଷ ବେଶ୍‍ ରୋଜଗାର କରୁଥିଲେ। ଏ ବର୍ଷ କରୋନା କଟକଣା ଯୋଗୁଁ ଗ୍ରାମର ସବୁ ନୃତ୍ୟ ଦଳ କଳାକାରଙ୍କ ରୋଜଗାର ଶୂନ ହୋଇଯାଇଛି। ପେଟପାଟଣା ଚିନ୍ତା ଘାରିଛି ବୋଲି ବାଘବେଶଧାରୀ ଚରଣ ସ୍ୱାଇଁ କହିଛନ୍ତି। ସରକାରଙ୍କ ତରଫରୁ ଗ୍ରାମର ମୋଟ ୪୦ ଜଣ କଳାକାର ମାସିକ ୧୨ ଶହ ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି। ବୁଦ୍ଧିଆ ଗୌଡଙ୍କ ଗୌରୀ ପଶୁମୁଖା ନୃତ୍ୟ, ଅଭିମନ୍ୟୁ ଗୌଡଙ୍କ ଶିବଶକ୍ତି, ଶାନ୍ତୁନୁ ଦାସ ଓ ବାଞ୍ଝା ଜେନାଙ୍କ ବିଶ୍ୱଜନନୀ ଓ ଶ୍ରୀଗୋପୀନାଥ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଟ୍ରଷ୍ଟ୍ରି ଦ୍ୱାରା ପରିଚାଳିତ ପଶୁମୁଖା ନୃତ୍ୟଦଳ ରହିଛି।

ଭଞ୍ଜନଗର-ଭେଜିପୁଟର ପଶୁମୁଖା ଲୋକନୃତ୍ୟ ଦଳ ଭାରତ ସମେତ ଋଷ, ଜାପାନରେ ନୃତ୍ୟ ପରିବେଶଣ କରି ଘୁମୁସରର ଏହି ମହାନ ଲୋକକଳାର ପରିଚୟ ପ୍ରତିପାଦନ କରିଛନ୍ତି। ତେନ୍ତୁଳି ମଞ୍ଜି ଓ କାଗଜ ଅଠାରେ ଗ୍ରାମ କାରିଗରଙ୍କ ଦ୍ୱାରା ପଶୁ-ପକ୍ଷୀ, ରାଜା-ରାଣୀ ଓ ଅନ୍ୟ ମୁଖା ପ୍ରସ୍ତୁତ କରାଯାଏ। ଏହି ଗ୍ରାମର ହାଡିବନ୍ଧୁ ବିଶୋୟୀ, ଅଜୟକୁମାର ବିଶୋୟୀ, ଚୈତନ୍ୟ ବେହେରା ଓ ଶୁଶି ପାଢିଙ୍କ କଣ୍ଢେଇଙ୍କ ଅପେରା ସମଗ୍ର ଭାରତ ବର୍ଷରେ ବେଶ୍‍ କଳା-ସଂସ୍କୃତିର ପରିଚୟ ପ୍ରଦାନ କରିଛି। ବଡକୋଦଣ୍ଡା କଣ୍ଢେଇ ଅପେରା ପରେ ବେଲଗୁଣ୍ଠାରେ ସିନେମା ଆରମ୍ଭ ହୋଇଥିଲା ବୋଲି ଅନ୍ୟତମ କଳାକାର ବିଶ୍ବନାଥ ବେହେରା ପ୍ରକାଶ କରିଛନ୍ତି। ଗ୍ରାମର ଉମାକାନ୍ତ ମିଶ୍ର ଓ ଭାସ୍କର ପଣ୍ଡା କଣ୍ଢେଇ କଳାରେ ସିଦ୍ଧହସ୍ତ। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମାରେ ବଡକୋଦଣ୍ଡା ଗାଁ ଦାଣ୍ଡର ଉଭୟପାର୍ଶ୍ବରେ ଥିବା ଶ୍ରୀଜଗନ୍ନାଥ ଓ ଶ୍ରୀଗୋପୀନାଥ ମନ୍ଦିର ସମ୍ମୁଖରେ ପଶୁମୁଖାଧାରୀ କଳାକାର ଡେରା ପକାଇଥାନ୍ତି।

Comments are closed.