ଗାଡ଼ି କାଗଜପତ୍ର ଜୁନ୍‍ ୩୦ ଯାଏ ବୈଧ

ନୂଆଦିଲ୍ଲୀ : ଦେଶରେ ଚଳାଚଳ କରୁଥିବା ସମସ୍ତ ଗାଡ଼ିର କାଗଜପତ୍ର ବୈଧତାକୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ରୁ ଜୁନ୍‍ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ନିଜ ଗାଡ଼ିର କାଗଜପତ୍ର ନବୀକରଣ କରିପାରୁ ନ ଥିବାରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏହାର ବୈଧତାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ୨୩କୋଟି ଯାନବାହନର ମାଲିକ ଆଶ୍ୱସ୍ତି ଲାଭ କରିଛନ୍ତି। ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଫିଟନେସ, ରାଜ୍ୟ ଓ ଜାତୀୟସ୍ତର ପର୍‌ମିଟ୍‌ ଆଦି କାଗଜପତ୍ରକୁ ଜୁନ୍‍ ୩୦ ପର୍ଯ୍ୟନ୍ତ ନବୀକରଣ କରିବାକୁ ପଡ଼ିବ ନାହିଁ। ବୈଧ କାଗଜପତ୍ର ନ ଥିବା କାରଣରୁ ଟ୍ରକ୍‌ ଓ ଅନ୍ୟାନ୍ୟଗୁଡିକୁ ପୁଲିସ ରାସ୍ତାରେ ଅଟକାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ନିର୍ଦେଶ ଅନୁଯାୟୀ ଯେଉଁସବୁ ଗାଡ଼ିର କାଗଜପତ୍ର ବୈଧତା ଫେବୃଆରୀ ୧, ୨୦୨୦ ରହିଥିବା ସେଗୁଡିକୁ ଜୁନ୍‌ ୩୦, ୨୦୨୦ ବିବେଚନା କରାଯିବ। ତେଣୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଏହି ନିର୍ଦେଶ ପ୍ରତି ଧ୍ୟାନଦେବା ପୂର୍ବକ ଲକ୍‌ଡାଉନ୍‌ ସମୟରେ ଜରୁରୀ ସେବା ଯୋଗାଉଥିବା ଯାନବାହନଗୁଡ଼ିକ ଅସୁବିଧାରୁ ଦୂରେଇ ରଖିବେ। ଏ ସଂପର୍କରେ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ପୁଲିସ ଡିଜି, ପରିବହନ ବିଭାଗ ପ୍ରମୁଖ ସଚିବ/ସଚିବ ଏବଂ ପରିବହନ କମିସନରଙ୍କୁ ଚିଠି ଜରିଆରେ ଅବଗତ କରାଯିବା ସହ ସମସ୍ତ ଆର୍‌ଟିଓକୁ ନୂଆ ନିୟମ ସଂପର୍କରେ ଜଣାଇଦେବାକୁ କୁହାଯାଇଛି।

Comments are closed.