ରାସ୍ତା ଖୋଜୁଛି ୧୫୦ରୁ ଊର୍ଦ୍ଧ୍ବ ଗାଁ

ରାୟଗଡ଼ା : ଆଉ କେତେ ଦଶନ୍ଧି ବିତିଲେ ଲୋକେ ନିଜ ମୌଳିକ ଅଧିକାର ପାଇବେ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ସ୍ବାସ୍ଥ୍ୟସେବାରେ ସୁଧାର ଆସିବା ପରିବର୍ତ୍ତେ ଧୀରେଧୀରେ ବିଗିଡିବାରେ ଲାଗିଛି। ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୧୫୦ରୁ ଅଧିକ ଗ୍ରାମକୁ ଏଯାଏଁ ପକ୍କା ରାସ୍ତାଟିଏ ନାହିଁ। ଜିଲା ପ୍ରଶାସନର ୱେବସାଇଟ ଅନୁଯାୟୀ ତଥ୍ୟ ଅଲଗା ରହୁଥିବା ବେଳେ ବାସ୍ତବରେ ଏହି ତଥ୍ୟକୁ ନେଇ ମଧ୍ୟ ଅନେକ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପ୍ର​‌େ​‌ତ୍ୟକ ବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ତାର ପ୍ରକୃତ ତଥ୍ୟ ରଖାଯାଉନି। ଆଉ ସରକାରୀ ବାବୁମାନେ ଏପରି ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଗଲା ଦେଢ ବର୍ଷର ତଥ୍ୟ କହୁଛି ରାଜ୍ୟରେ ରାୟଗଡା ଜିଲାର ସର୍ବାଧିକ ୧୮୧ଟି ଗାଁକୁ ପକ୍କା ରାସ୍ତା ନ ଥିବା ବେଳେ ଦ୍ବିତୀୟରେ ରହିଛି ଜଗତସିଂହପୁର ଜିଲା।
ଜିଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡା ବ୍ଲକର କିଛି ଅଞ୍ଚଳରେ ମାଓବାଦୀଙ୍କ ଦବଦବା ରହିଥିବାରୁ ରାସ୍ତା ନିର୍ମାଣରେ ଲାଲ୍ ସଂଗଠନ କୁଆଡେ ପ୍ରତିବନ୍ଧକ ସାଜିଛନ୍ତି। ଏଭଳି ପରିସ୍ଥିତିରେ ଜିଲା ପୁଲିସ ଓ ପ୍ରଶାସନକୁ କିଛି ବିକଳ୍ପ ଚିନ୍ତା କରିବାର ଆବଶ୍ୟକତା ରହିଛି। ପକ୍କା ରାସ୍ତା ନ ଥିବାରୁ ରାୟଗଡା ଜିଲାରେ ଦିନକୁ ଦିନ ଜନନୀ ଯନ୍ତ୍ରଣା ବଢ଼ୁଛି। ଗାଁ ଗାଁରେ ରୋଗୀବୁହା ଯାନ ପହଞ୍ଚିପାରୁନି। ଗର୍ଭବତୀଙ୍କୁ ଖଟିଆରେ ତ ଆଉ କେତେବେଳେ ଷ୍ଟ୍ରେଚରରେ ଭରା ନଈ ପାର କରି ଡାକ୍ତରଖାନାକୁ ନେବାକୁ ପଡୁଛି। ଅନେକ ଆସନ୍ନ ପ୍ରସବା ଡାକ୍ତରଖାନାକୁ ଆସିବା ବାଟରେ ହିଁ ପ୍ରସବ କରୁଛନ୍ତି। କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଜିଲାରେ ମାତୃ ମୃତ୍ୟୁହାର ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା କହୁଛନ୍ତି, କିନ୍ତୁ ଦୁର୍ଗମ ଅଞ୍ଚଳରେ ଗାଁ ଗାଁ ଯୋଗାଯୋଗର ବ୍ୟବସ୍ଥା ନ ଥିବା ଯୋଗୁଁ ଅଧାବାଟରେ ରୋଗୀବୁହା ଯାନ ଅଟକିଯାଉଛି। ଏସବୁ ବ୍ୟତିକ୍ରମକୁ ଦୃଷ୍ଟିରେ ରଖି ଗତ ୨୦୧୭ ମସିହା ସେପ୍ଟେମ୍ବର ୯ତାରିଖରେ ଜିଲାରେ ବାଇକ୍ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଆମ ସଂକଳ୍ପ ଯୋଜନା ମାଧ୍ୟମରେ କଲ୍ୟାଣସିଂହପୁର ଓ ମୁନିଗୁଡ଼ା ବ୍ଲକରେ ଦୁଇଟି ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଗଲା। ହେଲେ ଉକ୍ତ ବାଇକ୍ ଆମ୍ବୁଲାନ୍ସ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅସୁସ୍ଥ ହୋଇପଡିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ୨୦୧୬-୧୭ ମସିହାରେ ୭୪ ପ୍ରତିଶତ ମହିଳା ଡାକ୍ତରଖାନାରେ ପ୍ରସବ ହେଉଥିବା ବେଳେ ଏହା ଏବେ ବୃଦ୍ଧି ପାଇ ୮୦ ପ୍ରତିଶତକୁ ପହଞ୍ଚିଛି। କିନ୍ତୁ ବାରମ୍ବାର ଏଭଳି ଜନନୀ ଯନ୍ତ୍ରଣା ନଜରକୁ ଆସିଲେ ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ପୁଣିଥରେ ମାତୃ ମୃତ୍ୟୁହାର ବଢିବ ବୋଲି ଆଶଙ୍କା କରାଯାଉଛି। ମାତୃ ମୃତ୍ୟୁହାର ଧିରେ ଧିରେ ବଢୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାରେ ସ୍ବାସ୍ଥ୍ୟ ବିଭାଗ ଫେଲ୍ ମାରିଛି। ଅନ୍ୟପକ୍ଷରେ ରାସ୍ତା ସମସ୍ୟା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପକୁମାର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ା ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ସମସ୍ୟା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟଙ୍କ ପ୍ରତିକ୍ରିୟା ହେଲା ଅପହଞ୍ଚ ଅଞ୍ଚଳର ଗର୍ଭବତୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ମା’ ଗୃହରେ ରଖାଯିବାର ବ୍ୟବସ୍ଥା କରାଯାଉଛି, ଗଁା ଗଁାରେ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଥିଲେ ା

Comments are closed.