ସଡ଼କ ସୁରକ୍ଷା ଜୀବନ ରକ୍ଷା

ତାମିଲନାଡୁର ସଡ଼କ ସୁରକ୍ଷା ବ୍ୟବସ୍ଥା ଅନୁକରଣୀୟ

ରାସ୍ତା ଦୁର୍ଘଟଣା ଯୋଗୁଁ ଆମ ଦେଶରେ ପ୍ରତିବର୍ଷ ଅନେକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହା ଛଡ଼ା ଅନେକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇନପାରି ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଉଛନ୍ତି। ଯଦିଓ ଆମ ଦେଶରେ ସମଗ୍ର ବିଶ୍ବର ମାତ୍ର ଶତକଡ଼ା ଏକ ଭାଗ ଯାନବାହନ ଅଛି, ୨୦୧୯ ମସିହାରେ ବିଶ୍ବର ଶତକଡ଼ା ୬ଭାଗ ରାସ୍ତା ଦୁର୍ଘଟଣା ଓ ୧୧ ଭାଗ ଦୁର୍ଘଟଣାଜନିତ ମୃତ୍ୟୁ ଭାରତରେ ଘଟିଥିଲା ଏବଂ ଏହି ସଂଖ୍ୟା ବିଶ୍ବରେ ସର୍ବାଧିକ।
୨୦୧୯ ମସିହାରେ ଆମ ଦେଶରେ ୪,୪୯,୦୦୨ଟି ରାସ୍ତା ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ୧,୫୧,୧୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪,୫୧,୩୬୧ ଜଣ ଆହତ ହୋଇଥିଲେ। ୨୦୧୮ ମସିହା ଅନୁପାତରେ ୨୦୧୯ରେ ଦୁର୍ଘଟଣା ସଂଖ୍ୟା ୩.୮୬ ପ୍ରତିଶତ ବଢ଼ିଥିଲାବେଳେ, ମୃତକଙ୍କ ସଂଖ୍ୟା ୦.୨ ପ୍ରତିଶତ କମିଛି। ତେବେ ଏହି ମୃତ୍ୟୁସଂଖ୍ୟା କମିବାର ମୁଖ୍ୟ କାରଣ ୨୦୧୯ରେ ମୋଟର ଯାନ ଆଇନରେ ସଂଶୋଧନଗୁଡ଼ିକୁ ଲାଗୁ କରାଯାଉଥିବା ଯୋଗୁଁ ସମ୍ଭବ ହୋଇଛି।
ଆମ ଦେଶରେ ଜାତୀୟ ରାଜପଥର ଦୈର୍ଘ୍ୟ ଦେଶର ସମଗ୍ର ରାସ୍ତାର ମାତ୍ର ୨ ପ୍ରତିଶତ ହୋଇଥିବାବେଳେ, ଏହି ରାଜପଥରେ ପ୍ରାୟ ୩୫.୭ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିଲା ସେହିପରି ସମସ୍ତ ରାଜ୍ୟ ରାଜପଥର ଦୈର୍ଘ୍ୟ ମାତ୍ର ୩ ପ୍ରତିଶତ ହୋଇଥିବାବେଳେ ଏଇ ରାସ୍ତାଗୁଡ଼ିକରେ ୨୫ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିଲା। ତେବେ, ଅନ୍ୟାନ୍ୟ ରାସ୍ତାଗୁଡ଼ିକ​ରେ

Image source ; firstpost

୩୯ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା।
ମିଳିତ ଜାତିସଂଘର ଗୋଟିଏ ସଂସ୍ଥା (UNESCAP) ୪ ବର୍ଷ ତଳେ ରାସ୍ତା ଦୁର୍ଘଟଣାର କ୍ଷତିକୁ ଏକ ଆର୍ଥିକ ମୂଲ୍ୟରେ ଆକଳନ କରିଥିଲା। ଏହି ଆକଳନ ଅନୁସାରେ ଭାରତରେ ବର୍ଷକୁ ଦୁର୍ଘଟଣା ଜନିତ କ୍ଷତିର ପରିମାଣ ପ୍ରାୟ ୫୮ ବିଲିୟନ ଡଲାର ବା ୪ଲକ୍ଷ କୋଟି ଟଙ୍କା ହେଉଛି। ଏହା ଭାରତର ଜିଡିପି ବା ଦେଶରେ ଉତ୍ପାଦିତ ସାମଗ୍ରୀ ଓ ସେବାରେ ମୋଟ ମୂଲ୍ୟର ପ୍ରାୟ ଶତକଡ଼ା ୨.୫ ଭାଗ ଏବଂ କେନ୍ଦ୍ର ବାର୍ଷିକ ବଜେଟର ଶତକଡ଼ା ୨୦ ଭାଗ ଅଟେ।
ଉପରୋକ୍ତ ତଥ୍ୟ ଅନୁସାରେ ରାସ୍ତା ଦୁର୍ଘଟଣାରେ ମୁଖ୍ୟତଃ ରୋଜଗାରକ୍ଷମ ବ୍ୟକ୍ତିମାନେ ପ୍ରାଣ ହରାଉଛନ୍ତି। ଏହା ଛଡ଼ା ଯେଉଁମାନେ ଗୁରୁତର ଭାବେ ଆଘାତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବନସାରା ବିକଳାଙ୍ଗ ବା ଶାରୀରିକ ଓ ମାନସିକ ଅସମର୍ଥ ହୋଇଯାଉଛନ୍ତି। ପ୍ରଭାବିତଙ୍କ ପରିବାର ଉପରେ ଦୁର୍ଘଟଣା ଯୋଗୁଁ ଗଭୀର ଆର୍ଥିକ ବୋଝ ହଠାତ୍‌ ଲଦି ହୋଇଯାଉଛି ଏବଂ ଆତ୍ମୀୟ ସ୍ବଜନଙ୍କ ଜୀବନ ଦୁର୍ବିସହ ହୋଇପଡ଼ୁଛି। ଦୁର୍ଘଟଣାର କୁପ୍ରଭାବ ପରିବାରର ମହିଳା ଓ ଶିଶୁମାନଙ୍କ ଉପରେ ସର୍ବାଧିକ ପଡ଼ୁଛି। ତେଣୁ ଆର୍ଥିକ କ୍ଷତି ସହିତ ସାମାଜିକ ଓ ପାରିବାରିକ କ୍ଷତି ସଡ଼କ ଦୁର୍ଘଟଣାର ଏକ ଅଣଆଲୋଚିତ ଦିଗ ଯାହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ।
ସଡ଼କ ଦୁର୍ଘଟଣାର ଏଇ କୁପ୍ରଭାବକୁ ଦୃଷ୍ଟିରେ ରଖି ଭାରତର ସର୍ବୋଚ୍ଚ ଅଦାଲତ ୨୦୧୪ରେ ସଡ଼କ ସୁରକ୍ଷା ପାଇଁ ଏକ ଉଚ୍ଚ କ୍ଷମତା ପୂର୍ଣ୍ଣ କମିଟିର ଗଠନ କଲେ ଏବଂ ଏହି କମିଟିକୁ ଦେଶର ସଡ଼କ ଦୁର୍ଘଟଣା ଉପରେ ତର୍ଜମା କରି ତାହା କମାଇବା ପାଇଁ ଯଥା ବିଧି ପଦକ୍ଷେପ ନେବାପାଇଁ ଦାୟିତ୍ବ ଦେଲେ। ଏହି ୩ ଜଣିଆ କମିଟିରେ ଅଧ୍ୟକ୍ଷ ସର୍ବୋଚ୍ଚ ଅଦାଲତର ଜଣେ ଅବସରପ୍ରାପ୍ତ ବିଚାରପତି ଅଛନ୍ତି। ଏହି କମିଟି ନିୟମିତ ଅବଧିରେ ସଡ଼କ ଦୁର୍ଘଟଣା ସ୍ଥିତିର ତର୍ଜମା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଉଛନ୍ତି ଏବଂ ସେଇ ନିର୍ଦେଶଗୁଡ଼ିକ ପାଳନ ହେଉଛି କି ନାହିଁ ତା’ର ତଦାରଖ କରୁଛନ୍ତି। ଏହି କମିଟି ସମସ୍ତ ରାଜ୍ୟମାନଙ୍କୁ ଉଚିତ ପଦକ୍ଷେପ ନେଇ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ୨୦୧୫ଠାରୁ ପ୍ରତିବର୍ଷ ଶତକଡ଼ା ୧୦ ଭାଗ କମାଇବା ପାଇଁ ନିର୍ଦେଶ ଦେଇଛନ୍ତି।
୨୦୧୯ରେ ଓଡ଼ିଶାରେ ୧୧,୦୬୪ଟି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୩୩୩ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୧୧,୧୭୭ଜଣ ଆହତ ହୋଇଛନ୍ତି। ଉଭୟ ଦୁର୍ଘଟଣା ସଂଖ୍ୟା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାର ଓଡ଼ିଶା ଦେଶରେ ଦ୍ବାଦଶ ସ୍ଥାନ ଅଧିକାର କରିଛି। ରାଜ୍ୟରେ ଦୁଇଚକିଆ ଯାନ ଯାତ୍ରୀ ମୃତକଙ୍କ (୨୩୯୮) ମଧ୍ୟରୁ ଅଧିକାଂଶ (୨୧୫୬ଜଣ) ବିନା ହେଲମେଟ ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ଏଠାରେ ଲକ୍ଷ୍ୟ କରିବାର କଥା ଯେ ଦୁଇଚକିଆ ଯାନ ଯାତ୍ରୀ ମୃତକଙ୍କ ସଂଖ୍ୟା ରାଜ୍ୟର ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାର ଶତକଡ଼ା ୪୦ ଭାଗରୁ ଅଧିକ ଅଟେ।
ଦୁର୍ଘଟଣାର କଠୋରତାର ହିସାବ ୧୦୦ଟି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାରେ କରାଯାଇଥାଏ। ଓଡ଼ିଶାରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହେଉଥିବାବେଳେ, ଜାତୀୟ ସ୍ତରରେ ଏହା ୩୩ ରହିଛି। ଏହାର ଅର୍ଥ ହୋଇପାରେ, ଆମେ ଓଡ଼ିଶାରେ ଦୁୁର୍ଘଟଣା ପରର ଯେଉଁ ଜରୁରୀକାଳୀନ ଯତ୍ନ ନେବାକଥା, ସେଥିରେ କିଛି ଅସୁବିଧା ରହିଯାଉଛି। ଏହା ଦୁର୍ଘଟଣା ପରେ ଯଥା ଶୀଘ୍ର ଆମ୍ବୁଲାନ୍ସ ନ ପହଞ୍ଚିବା ବା ନିକଟସ୍ଥ ଟ୍ରମା ଯତ୍ନ କେନ୍ଦ୍ରରେ ଆହତଙ୍କୁ ପହଞ୍ଚାଇବା ବିଳମ୍ବ ଯୋଗୁଁ ହୋଇପାରେ।
ସୁପ୍ରିମକୋର୍ଟ କମିଟି ଦେଇଥିବା ଲକ୍ଷ୍ୟଠାରୁ ଓଡ଼ିଶା ବହୁ ପଛରେ ପଡ଼ିଯାଇଛି। ୫ ବର୍ଷରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତ କମାଇବା ପରିବର୍ତ୍ତେ ଓଡ଼ିଶାରେ ୨୦୧୪ (୩୯୩୧)ରୁ ୨୦୧୯ (୫୩୩୩) ମଧ୍ୟରେ ଏହା ଶତକଡ଼ା ୩୬ ଭାଗ ବଢ଼ିଛି। ୨୦୧୪ରେ ଓଡ଼ିଶା ଦେଶରେ ଷୋଡ଼ଶ ସ୍ଥାନରେ ଥିବାବେଳେ ୨୦୧୯ରେ ଏହା ଦ୍ବାଦଶ ସ୍ଥାନକୁ କମିଛି।
୨୦୨୦ ମସିହାରେ ସାର୍ବଦେଶିକ କୋଭିଡ଼ ​ମହାମାରୀ ପାଇଁ ଦେଶରେ ଲକ୍‌ଡାଉନ କରାଯାଇ ଗାଡ଼ିମଟର ଚାଲିବା ଉପରେ କଟକଣା ଲଗାଯାଇଥିଲା। ସେଇ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ଗତ ବର୍ଷ ତୁଳନାରେ ପ୍ରାୟ ଶତକଡ଼ା ୬୪ଭାଗ କମିଥିଲା। ତେବେ ଏହି କଟକଣା ଉଠିଯିବା ପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୨୦୧୯ ତୁଳନାରେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ ବଢ଼ିଛି ଯାହା ଏକ ଚିନ୍ତାର ବିଷୟ। ଦୁର୍ଘଟଣା ପ୍ରବଣ ଜିଲାମାନଙ୍କ ମଧ୍ୟରେ ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, କେଉଁଝର, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ବର ଅନ୍ୟତମ।
କେନ୍ଦ୍ର ସରକାର ୨୦୧୯ ମସିହାରେ ମୋଟର ଯାନ ଆଇନରେ ସଂଶୋଧନ ଆଣି ସଡ଼କ ବ୍ୟବହାର ନିୟମ ଭଙ୍ଗ ପାଇଁ ଦଣ୍ଡ ଓ ଜୋରିମାନା ପରିମାଣ ଯଥେଷ୍ଟ ବଢ଼ାଇ ଦେଇଛନ୍ତି। ଏହା ୨୦୧୯ ସେପ୍ଟେମ୍ବର ମାସରୁ ଅଧିକାଂଶ ରାଜ୍ୟ ଲାଗି କରିଛନ୍ତି ଏବଂ ଏହାର ସୁଫଳ ମିଳିଛି। ରାଜ୍ୟ ସରକାର ହେଲମେଟ୍‌ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାପାଇଁ ନିକଟ ଅତୀତରେ ନିର୍ଦେଶନାମା ଜାରି କରିଛନ୍ତି। ଯଦି କୌଣସି ଦୁଇଚକିଆ ଯାନର ଚାଳକ ବିନା ହେଲମେଟର ଗାଡ଼ି ଚଳାଉଥାଏ, ତା’ହେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (ଡି.ଏଲ) ତିନିମାସ ପାଇଁ ନିଲମ୍ବନ କରାଯିବ। ଦ୍ବିତୀୟରେ, ଦୁଇଚକିଆ ଯାନରେ ଅନ୍ୟ ଉଭୟ ଚାଳକ ଓ ଯାତ୍ରୀଙ୍କ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଆଶା, ଏହା ଆଗାମୀ ଦିନରେ ଦୁଇଚକିଆ ଯାନଗୁଡ଼ିକର ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବ। ଏବେ ସମୟ ଆସିଛି ଯେ ଆମେ ଚାଳକଙ୍କୁ ଶୃଙ୍ଖଳା ମଧ୍ୟକୁ ଆଣିବାପାଇଁ, ଗାଡ଼ି ବୀମାର କିସ୍ତି ପରିମାଣ ଚାଳକର ସଡ଼କ ସୁରକ୍ଷା ଆଇନ ଅନ୍ତର୍ଗତ ବ୍ୟବହାର ସହ ସଂଯୋଗ କରିବା ଦରକାର। ରାସ୍ତାର ଉଚିତ ନିର୍ମାଣ, ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା, ଶିକ୍ଷା ମାଧ୍ୟମରେ ସଡ଼କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟିକରିବା ଏବଂ ଦୁର୍ଘଟଣା ପରେ ସ୍ବର୍ଣ୍ଣିମ ଘଣ୍ଟାଏ ମଧ୍ୟରେ ଆପତ୍‌କାଳୀନ ଯତ୍ନ ପହଞ୍ଚାଇବା ଇତ୍ୟାଦି ସଡ଼କ ସୁରକ୍ଷା ବ୍ୟବସ୍ଥାର ମୂଳଦୁଆ ଅଟେ।
ତାମିଲନାଡ଼ୁ ରାଜ୍ୟ ବିଗତ ଚାରି ବର୍ଷରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ କମାଇ ପାରିଛି। ଅନ୍ୟ ରାଜ୍ୟଗୁଡ଼ିକ ତାମିଲନାଡ଼ୁର ସଡ଼କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନକରି ନିଜ ରାଜ୍ୟର ପରିସ୍ଥିତି ଅନୁସାରେ ତାହା ଲାଗୁ କରିପାରିଲେ ନିଶ୍ଚୟ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ।

ମଧୁସୂଦନ ପାଢ଼ୀ

ପ୍ରମୁଖ ଶାସନ ସଚିବ
ବାଣିଜ୍ୟ ଓ ପରିବହନ ବିଭାଗ, ଓଡ଼ିଶା

Comments are closed.