ରାସ୍ତା ସମସ୍ୟା : ଦୋଳାରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ

ପାତ୍ରପୁର : ରାସ୍ତା ସମସ୍ୟା ଯୋଗୁଁ ଡାକ୍ତରଖାନାକୁ ଯାଇନପାରି ଦୁଇଜଣ ମହିଳା ଗ୍ରାମରେ ପ୍ରସବ କରିବାର ତିନି ସପ୍ତାହ ନପୁରୁଣୁ ପୁଣି ଜଣେ ଗର୍ଭବତୀ ଦୋଳାରେ ବୁହାହୋଇ ଡାକ୍ତରଖାନାକୁ ଯିବା ଘଟଣା ଶୁକ୍ରବାର ଦେଖିବାକୁ ମିଳିଛି। ଏହି ଗ୍ରାମଟି ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତର ମଦୁକା ବଡ(ସାନଗାଁ)। ପଦ୍ମପୁର ଗ୍ରାମରୁ ପ୍ରସବ ପାଇଁ ବାପ ଘର ମଦୁକା ବଡ ଆସିଥିବା ଜଗ ସବରଙ୍କ ପତ୍ନୀ ନମିତା ସାତ ମାସର ଗର୍ଭବତୀ ଅଛନ୍ତି। ତେବେ ଗତ ପନ୍ଦର ଦିନ ହେଲା ତାଙ୍କର ହାତଗୋଡ ମୁହଁ ଆତି ଫୁଲି ଥିଲା। ତାଙ୍କର ଏହା ପ୍ରଥମ ଗର୍ଭ ହୋଇଥିବା ବେଳେ ବିଭିନ୍ନ ସମୟରେ ଗର୍ଭ ଯନ୍ତ୍ରଣା ହେଉଥିଲା। ତାଙ୍କ ମାଆଙ୍କର ଦୁଇ ବର୍ଷ ପୂର୍ବେ ପାଣିରେ ବୁଡି ମୃତ୍ୟୁ ହୋଇଥିଲା। ବାପା ଜୁର ସବର ଝିଅର ଏହି ଅବସ୍ଥା ଦେଖି ଜଗଙ୍କୁ ଖବର ଦେଇ ଥିଲେ। ଜଗା ଗ୍ରାମରେ ପହଞ୍ଚି ପତ୍ନୀ ନମିତାଙ୍କୁ କିଏ ତାନ୍ତ୍ର-ମନ୍ତ୍ର କରିଥିବା ଯୋଗୁଁ ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହେଉଥିବା ସନ୍ଦେହ କରି ଥିଲେ। ଆଜି ତାଙ୍କ ବଡ ଭାଇ ରହୁଥିବା ବଉଁସିଗାଁକୁ ନେବାକୁ ସ୍ଥିର କରି ଦୋଳା ଯୋଗେ ପ୍ରାୟ ଦୁଇ କିଲୋମିଟର ଖରିଅନାଳ ଗ୍ରାମ ପର୍ଯ୍ୟନ୍ତ ବୋହି ଆଣିଥିଲେ।

ତେବେ ଏହି ଖବର ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଖରେ ପହଞ୍ଚିଥିଲା। ଦୁଇ କର୍ମୀ ତାଙ୍କୁ ବୁଝାଇ ଡାକ୍ତର ଖାନାକୁ ନେବାକୁ ପରାମର୍ଶ ଦେଇ ଥିଲେ। ଫଳରେ ତାଙ୍କୁ ଏକ ଅଟୋ ଯୋଗେ ଖରିଅନାଳ ଗ୍ରାମରୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏହି ଗ୍ରାମ ରାସ୍ତାର ଖରିଅନାଳରେ ଆଠ ମାସ ପୂର୍ବେ ନିର୍ମାଣ ହୋଇଥିବା କର୍ଲଭଟ ଦୁଇ ପାର୍ଶ୍ୱ ସଂଯୋଗ ହୋଇ ନଥିବା ଯୋଗୁଁ ପାଣି ପାର କରି ଲୋକମାନଙ୍କୁ ଯିବାକୁ ପଡୁଛି। ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ଯାଇନପାରି ଦୁଇ ଜଣ ମହିଳା ଗ୍ରାମରେ ପ୍ରସବ କରିଥିଲେ। ଆଜି ପୁଣି ଜଣେ ଗର୍ଭବତୀ ଗ୍ରାମକୁ ଗାଡି ନଯିବାରୁ ଦୋଳାରେ ବୁହାହୋଇ ଡାକ୍ତର ଖାନାକୁ ଯିବା ଦେଖିବାକୁ ମିଳିଛି। ବାରମ୍ବାର ଏନେଇ ଖବର ପ୍ରକାଶ ପାଉଥିବା ବେଳେ ଏଥି ପାଇଁ କାହାର ଦୃଷ୍ଟି ପଡୁନାହିଁ। ଏହି ଗ୍ରାମରେ ସାନଗାଁର କିଛି ପରିବାର ଏବଂ ଅଙ୍କୁଲି ପଞ୍ଚାୟ ର ଦୁଇଟି ପରିବାର ମଦୁକାବଡ ଠାରେ ଘର କରି ରହୁଛନ୍ତି। ତେବେ ଏହି ଗ୍ରାମକୁ ଯିବାକୁ ରାସ୍ତା ଟିଏ ନଥିବା ବେଳେ ଅନ୍ୟାନ୍ୟ ଅନୁସିଙ୍ଗିକ ସୁବିଧା ନଥିଲା। ଏହାକୁ ଦେଖି ବ୍ଲକ କର୍ତ୍ତୃପକ୍ଷ ଗ୍ରାମକୁ ରାସ୍ତା ନିର୍ମାଣ ସହ ପାନୀୟ ଜଳ ଆତି ସୁବିଧା କରିଥିଲେ।

ତେବେ ଗ୍ରାମକୁ ଯିବା ପଥରେ ଖରିଆ ନାଳ ଯୋଗୁଁ ବର୍ଷା ଦିନରେ ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଥିଲା। ଯାହାକୁ ଦେଖି ବ୍ଳକ ତରଫରୁ ଗତ ପେବୃଆରୀ ମାସରେ ଖରିଆନାଳ ଉପରେ ଏକ କର୍ଲଭଟ ନିର୍ମାଣ କରିଥିଲେ। ବର୍ଷା ଦିନ ମାନଙ୍କରେ ଲୋକମାନେ ସୁବିଧାରେ ଯାତାୟାତ କରିବା ଲକ୍ଷ୍ୟ ରହିଥିଲା। ତେବେ ଏହି କର୍ଲଭଟ ନିର୍ମାଣର ଆଠ ମାସ ବିତି ଯାଇଥିବା ବେଳେ ଏହାର ଦୁଇ ପାର୍ଶ୍ଵରେ ମାଟି ପକାଯାଇ ସଂଯୋଗ କରାଯାଇ ନାହିଁ। ତେଣୁ କର୍ଲଭଟ ଦୁଇ ପାର୍ଶ୍ଵରେ ଲଘୁଚାପଜନିତ ବର୍ଷା ପାଣି ଜମିବା ଫଳରେ ଗ୍ରାମରୁ ଦୁଇ ଜଣ ମହିଳା ପ୍ରସବ ପାଇଁ ଡାକ୍ତର ଖାନାକୁ ଯାଇନପାରି ଗ୍ରାମରେ ସନ୍ତାନ ପ୍ରସବ କରିଛନ୍ତି। ଗ୍ରାମର ରମେଶ ସବରଙ୍କ ପତ୍ନୀ ତଅପୋଇ ଏବଂ ଶ୍ରୀକର ସବରଙ୍କ ପତ୍ନୀ ବାଳବତୀ ଗ୍ରାମରେ ସନ୍ତାନ ପ୍ରସବ କରିଛନ୍ତି। ଏବେ ବର୍ଷା ଯୋଗୁଁ ନାଳରେ ପାଣି ଆସିବା ଫଳରେ ଲୋକମାନେ ନାଳ ପାଣି ମାଡ଼ି କର୍ଲଭଟ ପାର୍ଶ୍ୱ ଦେଇ ଏହି ନାଳ ପାର ହେଉଛନ୍ତି। ଗ୍ରାମଠାରୁ ଏହି ନାଲର ଦୂରତ୍ୱ ପ୍ରାୟ ଏକ କିଲୋମିଟର ଥିବାବେଳେ ଲୋକମାନଙ୍କୁ ମୁଖ୍ୟ ରାସ୍ତାକୁ ଆସିବାକୁ ପ୍ରୟ ଚାରି, ପାଞ୍ଚ କିଲୋମିଟର ଅତିକ୍ରମ କରିବାକୁ ପଡୁଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଖରିଆ ନାଳ ଉପରେ ନିର୍ମାଣ ହୋଇଥିବା କର୍ଲଭଟ ଦୁଇ ପାର୍ଶ୍ଵରେ ମାଟି ପକାଇଲେ ଲୋକମାନଙ୍କ ଯାତାୟତ ସୁବିଧା ହେବାସହ ଗ୍ରାମରେ ଆମ୍ବୁଲାନ୍ସ ସେବା ମିଳିପାରିବ। ସେହିଭଳି ଜରଡ ପଞ୍ଚାୟତ ବଇଁସିଗାର ଜଣେ ଆଦିବାସୀ ମହିଳା ପୁଷ୍ପାଞ୍ଜଳି ଦଳେଇଙ୍କ ଗର୍ଭ ବେଦନା ହେବାରୁ ଗ୍ରାମ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ଦୋଳାରେ ନେବା ପରେ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ନିଆଯାଇ ଥିଲା। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

Comments
Loading...