ଅସ୍ତରଙ୍ଗରେ ବନ୍ଦର ପାଇଁ ଫିଟୁଛି ବାଟ

ଭୁବନେଶ୍ୱରରୁ ଅସ୍ତରଙ୍ଗ ସଂଯୋଗ ହେବ ରେଳପଥ

ପୁରୀ : ଅସ୍ତରଙ୍ଗରେ ପ୍ରତିଷ୍ଠା ହେବ ସବୁଦିନିଆ ବନ୍ଦର। ସିଆର୍‍ଜେଡ୍‍ ଅନୁମତି ପାଇଁ ଦରଖାସ୍ତ କରିଛି ନବଯୁଗ ଇଞ୍ଜିନିୟରିଂ କମ୍ପାନୀ। ପରିବେଶ ପ୍ରତିକୂଳ ପ୍ରଭାବ ରିପୋର୍ଟ ପ୍ରସ୍ତୁତି ଶେଷ ହୋଇଛି। ସିଆର୍‍ଜେଡ୍‍ ଅନୁମତି ମିଳିବା ପରେ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

କାଦୁଆ ନଦୀର ଦୁଇପାର୍ଶ୍ବରେ ଥିବା ହେନ୍ତାଳ ଜଙ୍ଗଲ ପରିବେଶ ଅନୁମତିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ହେନ୍ତାଳ ସଂରକ୍ଷଣ ପରିଚାଳନା ପ୍ରକଳ୍ପ ଏବଂ ବେଳାଭୂମି ଅବକ୍ଷୟ ପ୍ରତିରୋଧକ ଯୋଜନା ପ୍ରସ୍ତୁତ କରିବାକୁ ନବଯୁଗ କମ୍ପାନୀ ପରିଚାଳନା ନିର୍ଦେଶକଙ୍କୁ ପରାମର୍ଶ ଦେଇଛି ଓଡିଶା ଉପକୂଳ ପରିଚାଳନା ପ୍ରାଧିକରଣ। ପ୍ରାୟ ୧୨ ବର୍ଷର ନିରବତା ପରେ ଅସ୍ତରଙ୍ଗ ବନ୍ଦର ନିର୍ମାଣ ପ୍ରସ୍ତାବ ପୁଣି ଥରେ ଚଳଚଞ୍ଚଳ ହୋଇଛି। ପରିବେଶ ମଞ୍ଜୁରି ଏବଂ ସିଆର୍‍ଜେଡ୍‍ ଅନୁମତି ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଅସ୍ତରଙ୍ଗରେ ସବୁଦିନିଆ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ନବଯୁଗ କମ୍ପାନୀ ୨୨ ଡିସେମ୍ବର ୨୦୦୮ରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା।

ଟେକନିକାଲ ଫିଜିବିଲିଟ୍‍ ରିପୋର୍ଟ (ଟିଏଫ୍‍ଆର)କୁ ରାଜ୍ୟ ସରକାର ୨୦୧୩ ମେ ୨୭ରେ ଅନୁମୋଦନ କରିଥିଲେ।
ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ଅସ୍ତରଙ୍ଗ ବନ୍ଦର ପାଇଁ ୭୪୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୫୭୮.୨୬୯ ହେକ୍ଟର ଜମି ଅଧିଗ୍ରହଣ ପ୍ରସ୍ତାବ ରହିଛି। ସେଥିରେ ୨୪.୬୯୬ ହେକ୍ଟର ସଂରକ୍ଷିତ ଜଙ୍ଗଲ ଏବଂ ୪୮.୫୮୨ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ରହିଛି। ଜଙ୍ଗଲ ଜମି ଡାଇଭର୍ସନ ପାଇଁ ରାଜ୍ୟ ବନ୍ଦର ନିର୍ଦେଶକଙ୍କ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଚେନ୍ନଇ ଆନ୍ନା ବିଶ୍ୱବିଦ୍ୟାଳୟ ଏବଂ ରିମୋଟ ସେନସିଂ ପ୍ରତିଷ୍ଠାନ ପ୍ରସ୍ତୁତ କରିଥିବା ରିପୋର୍ଟରେ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ଅଞ୍ଚଳ ସିଆର୍‍ଜେଡ୍‍- ୧(ଏ), ସିଆର୍‍ଜେଡ୍‍- ୩(ଏ) ଓ (ବି), ସିଆର୍‍ଜେଡ୍‍ -ଆଇଭି (ଏ) ଏବଂ (ବି) ଜୋନରେ ଅବସ୍ଥିତ। ବନ୍ଦର ପ୍ରତିଷ୍ଠା ଯୋଗୁ କ୍ଷତିଗ୍ରସ୍ତ ହେବାକୁ ଥିବା ୩୦.୮୦ ଏକର ହେନ୍ତାଳ ଜଙ୍ଗଲ ଯେପରି ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ବିକଳ୍ପ ଯୋଜନା ପ୍ରସ୍ତୁତ ନିମନ୍ତେ ଉପକୂଳ ପରିଚାଳନା ପ୍ରାଧିକରଣ ପରାମର୍ଶ ଦେଇଛି।

ଅସ୍ତରଙ୍ଗ ବନ୍ଦରରୁ ଦେଶବିଦେଶର ବିଭନ୍ନ ସ୍ଥାନକୁ ଥର୍ମାଲ କୋଲ୍‍, କୁକିଂ କୋଲ୍‍ ଏବଂ ଆଲୁମିନିୟମ ପରିବହନ କରାଯିବ। ତେଣୁ ନୂଆ ଭୁବନେଶ୍ୱର ରେଳଷ୍ଟେସନରୁ ଅସ୍ତରଙ୍ଗ ବନ୍ଦର ପର୍ଯ୍ୟନ୍ତ ୭୫କି.ମି ରେଳପଥ ନିର୍ମାଣ ପାଇଁ ନବଯୁଗ କମ୍ପାନୀ ଅନୁମତି ମାଗିଛି। ସେହିପରି ଫୁଲନଖରାଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୬୫ କି.ମି ୪ଲେନ୍‍ ରାସ୍ତା ନିର୍ମାଣ କରିବାକୁ ଆବେଦନପତ୍ରରେ କମ୍ପାନୀ କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି। ରାଜ୍ୟ ଉପକୂଳ ପରିଚାଳନା ପ୍ରାଧିକରଣ ବୈଠକରେ ଅସ୍ତରଙ୍ଗ ବନ୍ଦର ନିର୍ମାଣ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଛି।

ସିଆର୍‍ଜେଡ୍‍ ଅନୁମତି ଦେବା ପାଇଁ ପ୍ରାଧିକରଣ ପକ୍ଷରୁ ୪ଗୋଟି ବିଷୟରେ ସ୍ପଷ୍ଟୀକରଣ ମଗାଯାଇଛି। ତାହା ମିଳିବା ପରେ ସିଆର୍‍ଜେଡ୍‍ ଅନୁମତି ପ୍ରଦାନ କରାଯିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଅସ୍ତରଙ୍ଗ ବନ୍ଦର ପାଇଁ ଗୁଣ୍ଡଳବା, ସନ, ସୁଦକେଶର, ଛୁରିଅଣା, ନାନପୁର, ଦାଳୁଅକଣି, ସୁନ୍ଦର, କଣମଣ, କୁସୁମ୍ବର, ପାଟଳଦା, ତିମର, ଅସ୍ତରଙ୍ଗ ଓ ଦମସୁଣ ରାଜସ୍ୱ ମୌଜାର ୨୪୩୫.୮୬୭ ଏକର ବେସରକାରୀ ଜମି ଏବଂ ୧୪୬୪.୧୨୦ ଏକର ସରକାରୀ ଜମି ଆବଣ୍ଟନ ପ୍ରସ୍ତାବ ରହିଛି। ସେଥିରୁ ୭ଟି ମୌଜାର ଜମି ଅଧିଗ୍ରହଣ ପ୍ରସ୍ତାବ କୋର୍ଟରେ ବିଚାରାଧୀନ ରହିଛି। ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଅର୍ଥ କମ୍ପାନୀ କର୍ତ୍ତୃପକ୍ଷ ଜମା ନକରିବାରୁ ୫ଟି ମୌଜାର ଜମି ଅଧିଗ୍ରହଣ ପ୍ରସ୍ତାବ ଅଧାରେ ଅଟକିିଛି। ନିର୍ବିବାଦୀୟ ବେସରକାରୀ ଜମି ଓ ସରକାରୀ ଜମି ନେଇ ସେଠାରେ ବନ୍ଦର ନିର୍ମାଣ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବାକୁ ନବଯୁଗ କମ୍ପାନୀ ମନ ବଳେଇ ଥିବା ଜଣାପଡିଛି।

Comments are closed.