ନଦୀକୂଳ ରାସ୍ତା ସମ୍ପ୍ରସାରଣ ପାଇଁ କଂଗ୍ରେସର ଦାବିପତ୍ର

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ଗୋବିନ୍ଦଜୀଉପାଟଣା ବିଦ୍ୟାଳୟ ଠାରେ ବ୍ୟରେଜ ରୋଡ଼ରୁ ବାହାରି ୧୪ ନମ୍ବର ୱାର୍ଡ଼କୁ ସଂଯୋଗ କରୁଥିବା ବିରୂପା ନଦୀକୂଳ ରାସ୍ତାଟି ଏକ ଥାକିଆ ହୋଇ ସଙ୍କୁଚିତ ଅବସ୍ଥାରେ ଥିବାରୁ ଯାତାୟତରେ ଘୋର ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାରେ ଗୋଟିଏ ଚାରିଚକିଆ ଯାନ ଗଲେ ତା କଡ଼ରେ ଏକ ସାଇକେଲ କିମ୍ବା ବାଇକ୍ ପାସ୍ କରିବା ସମ୍ଭବ ହେଉନାହିଁ। ଫଳରେ ଏହି ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟିବା ନିତିଦିନଆ ହେଲାଣି। ଗତ ୨୫ ତାରିଖ ଦିନ ଏହି ରାସ୍ତାରେ ସାମ୍ନାରୁ ଆସୁଥିବା ଏକ ସାଇକେଲକୁ ରାସ୍ତା ଦେବାକୁ ଯାଇ ଏକ ସ୍କୁଲ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ହେଲେ ଏଥିରେ ଥିବା ଛୋଟଛୋଟ ପିଲାମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହି ରାସ୍ତା ଉପରେ ନିର୍ଭର କରୁଥିବା ପୌରପାଳିକାର ୧୩, ୧୪,୧୫ ଓ ୧୬ ନମ୍ବର ୱାର୍ଡ଼ର ବାସିନ୍ଦାଙ୍କ ସମେତ ଦୁଇଟି ପଞ୍ଚାୟତର ଜନସାଧାରଣ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ସମ୍ପ୍ରସାରଣ କରି ଏହାକୁ ଦୁଇଥାକିଆ କରିବା ଦାବିରେ ଚୌଦ୍ୱାର ନଗର କଂଗ୍ରେସ୍ ତରଫରୁ ଜଳ ସେଚନ ବିଭାଗ ମହାନଦୀ ଉତ୍ତର ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରା, ରାଜୀବ ମହାନ୍ତି, ମୋନାଲିସା ଦାସ, ହରିହର ପରିଡ଼ା, ଶ୍ରୀକାନ୍ତ ବେହେରା, ସୁବାସ ଚନ୍ଦ୍ର ଦଳେଇ, କାଉନସିଲର ଦିଲ୍ଲିପ ଭୁୟାଁଙ୍କ ସମେତ ଦଳର ବହୁ କର୍ମୀ ଗୁରୁବାର ଦିନ ଜଳ ସେଚନ ବିଭାଗର ଜଗତପୁରସ୍ଥିତ ମହାନଦୀ ନର୍ଥ ଡିଭିଜନ୍ ସୁପରିଟେଣ୍ଡେଣ୍ଟ ଇଂଜିନିୟରଙ୍କୁ ଏସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ତୁରନ୍ତ ପୁରଣ ନହେଲେ ଜଳ ସେଚନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଦଳ ତରଫରୁ ଚେତାବନୀ ଦିଆ ଯାଇଛି ।

Comments are closed.