ମଣ୍ଡିରୁ ଧାନ ଉଠାଇବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

କଲମପୁର .- କଲମପୁରରେ ଥିବା ଧାନମଣ୍ଡିରେ ଧାନ କ୍ରୟ କରାଯାଉନଥିବା ଅଭିଯୋଗ ହୋଇଛି । ଏଥିପାଇଁ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । ବାରମ୍ବାର ଜିଲା ପ୍ରଶାସନ ସମେତ ଜିଲା ଯୋଗାଣ ବିଭାଗ, ଧାନ କ୍ରୟ ଦାଇତ୍ୱରେ ଥିବା ସମବାୟ ବିଭାଗକୁ ଜଣାଇଲେ ମଧ୍ୟ କେହି ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଉତ୍ୟକ୍ତ ଚାଷୀମାନେ କଲମପୁର ଜୁନାଗଡ ମୁଖ୍ୟରାସ୍ତାର କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଧାନବସ୍ତା ବୋଝେଇ ଟ୍ରାକ୍ଟର ରଖି ଅବରୋଧ କରିଥିଲେ।
ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନ ବାହାନ ଅଟକି ରହିଥିଲା। ବି.ଡି.ଓ ହେମ ସାଗର ଭୋଇ ସୂଚନା ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ।ଏଥିରୁ ସୁଫଳ ମିଳିନଥିଲା । ଧର୍ମଗଡ ଉପଜିଲାପାଳ ପଦ୍ମନାଭ ବେହେରା ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆପୋଷ ସମାଧାନ ପାଇଁ ତହସିଲ କାର୍ଯ୍ୟାଳୟ ଠାରେ ଏକ ବୈଠକ କରିଥିଲେ। ଏହି ସମୟରେ ଯୋଗାଣ ବିଭାଗ ତରଫରୁ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ, ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ଅନିଲ କୁମାର ରାଉତ ଧାନ କ୍ରୟ ଦାଇତ୍ୱରେ ଥିବା ପ୍ୟାକ୍ସ କର୍ମଚାରୀ ଓ ପରିଚାଳନା କମିଟିର ସଭ୍ୟ, ବହୁ ଚାଷୀ ପ୍ରତିନିଧି, ଶ୍ରମିକ ପ୍ରତିନିଧି, ମିଲର୍ସଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ ଉପସ୍ଥିତ ରହିଥିଲେ। ଚାଷୀଙ୍କ ଠାରୁ ସମସ୍ତ ଅଭିଯୋଗ ଶୁଣିବା ପରେ ମିଲ ମାଲିକଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ଧାନ ଉଠାଣର ବ୍ୟବସ୍ତା କରିବା ପାଇଁ ଉପସ୍ଥିତ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାସହ ମଣ୍ଡିରେ ଆଲୋକ ବ୍ୟବସ୍ଥା ଓ ଅଚଳ ସି.ସି. କ୍ୟାମେରାକୁ ସଚଳ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଉଭୟ ଉପଖଣ୍ଡ ଯୋଗାଣ ଅଧିକାରୀ ଓ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକଙ୍କୁ କଲମପୁର ମଣ୍ଡିରେ ଉପସ୍ଥିତ ରହି ସଠିକ ଧାନ ଉଠାଣର ବ୍ୟବସ୍ଥା ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ଆନ୍ଦୋଳନ ପ୍ରତ୍ୟାହାର ହେବା ସହ ଯାନ ବାହାନ ଚଳା ଚଳ ସ୍ୱଭାବିକ ହେଇଥିଲା।
ସୂଚନାଯୋଗ୍ୟଯେ, ମଣ୍ଡି ଆରମ୍ଭରେ ଦୀର୍ଘ ୧୫ ଦିନ ବିଳମ୍ବ ହେବା ଏବଂ ଧାନ ବିକ୍ରୟ ବେଳକୁ କାଳ ବୈଶାଖିର ବର୍ଷା ଓ ମୌସୁମୀ ଆଗମନ ନେଇ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରୁଛନ୍ତି। ଉତ୍ପାଦିତ ଧାନର ସୁରକ୍ଷା ନେଇ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ତୁରନ୍ତ ଧାନ ଉଠାଣର ବ୍ୟବସ୍ଥା କରାନଗଲେ ଅନେକ ଚାଷୀ କ୍ଷତିଗ୍ରସ୍ଥ ହେବେ। ଗତ ଖରିଫ ଚାଷ ସମୟରେ କଲମପୁର ସମବାୟ ସମିତି ମାଧ୍ୟମରେ ୧,୧୮୦୦୦ (ଏକଲକ୍ଷ ଅଠର ହଜାର) କ୍ୱିଣ୍ଟାଲ ଧାନ ଉଠାଣ କରାଯାଇଥିଲା ଚଳିତ ରବିରେ ଏହା ବୃଦ୍ଧି ପାଇ ୧,୬୦୦୦୦ କ୍ୱିଣ୍ଟାଲ
ଧାନ ବିକ୍ରୟ ହେବାର ସମ୍ଭାବନା ରହିଛି। କିନ୍ତୁ ଜିଲା ପ୍ରଶାସନ ମାତ୍ର ୬୦ ହଜାର କ୍ୱିଣ୍ଟାଲ ଟାର୍ଗେଟ ଦେବା ପରିତାପର ବିଷୟ ତେଣୁ ତୁରନ୍ତ ଟାର୍ଗେଟ ବୃଦ୍ଧି କରିବା ପାଇଁ ଚାଷୀଙ୍କ ତରଫରୁ ଦାବି ହେଉଛି।

Comments are closed.