ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ; ଥାନା ସୀମା ବିବାଦ ଯୋଗୁଁ  ଡାକ୍ତରଖାନାରେ ୪ଘଣ୍ଟା ପଡିରହିଲା ଶବ

ରେଙ୍ଗାଲି : ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ୍ ସୋଢାମାଲ ପଞ୍ଚାୟତର ଅମନାପାଲିରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଲଇଡାକୁ ସଂଯୋଗ କରୁଥିବା ରାସ୍ତାରେ ଦୁର୍ଘଟଣା ଘଟି ସୁମନ୍ବ ମଗର(୨୬) ନାମକ ଜନୈକ ଯୁବକର ମୃତ୍ୟୁ ହୋଇଥିଲା। ସୁମନ୍ତ ପଡିଆବାହାଲର ବାସିନ୍ଦା। ଅମନାପାଲି ଗ୍ରାମରେ ରହୁଥିବା ତାଙ୍କ ଖୁଡିଙ୍କ ଝିଅର ନିର୍ବନ୍ଧ କାର୍ଯ୍ୟକ୍ରମରେ ସୁମନ୍ତ ଯୋଗ ଦେବାକୁ ଆସିଥିଲେ। ନିର୍ବନ୍ଧରେ ଆବଶ୍ୟକ ଏକ ଗାମୁଛା ନେଇ ଲଇଡାରୁ ମୋଟର ସାଇକେଲରେ ଅମନାପାଲିକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇଥିଲେ। ସୂଚନା ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଆହତ ସୁମନ୍ତକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଲଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ସୁମନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏସଂକ୍ରାନ୍ତରେ ଲଇଡା ଫାଣ୍ଡି ଅଧିକାରୀ ରବିନ୍ଦ୍ରଙ୍କୁ ସୂଚନା ଦେଲା ପରେ ଫାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ସ୍ଥାନ କୋଲାବିରା ଥାନା ଅଧିନରେ ଆସୁଛି ବୋଲି କହି କୋଲାବିରା ଥାନାକୁ ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ଦେଇଥିଲେ। କୋଲାବିରା ଥାନାର ଏଏସ୍ଆଇ ପହିଲି ପ୍ରଧାନ ଦୁର୍ଘଟଣା ସ୍ଥଳକୁ ଏହା ଆମ ଥାନା ଏରିଆ ନୁହେଁ ବୋଲି କହିବା ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶବ ଡାକ୍ତରଖାନାରେ ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରୁ ପଡିରହିଥିବାବେଳେ କତରବଗା ଏବଂ କୋଲାବିରା ପୁଲିସ ମଧ୍ୟରେ ଏରିଆକୁ ନେଇ ଟଣା ଓଟରା ଲାଗିଥିବାରୁ ଲଇଡା ସରପଞ୍ଚ ଯୁଗଳକିଶୋର ସାହୁ ସୋଢାମାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳରାମ ପାଣ୍ଡେ ତଥା ଅମନାପାଲି ଏବଂ ଲଇଡାର ସଚେତନ ନାଗରିକ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଥାନା ସୀମା ବିବାଦର ସମାଧାନ କରିଥିଲେ। ଦୁର୍ଘଟଣା ସ୍ଥଳ କତରବଗା ଥାନା ଲଇଡା ଫାଣ୍ଡି ଅଧିନରେ ଆସୁଥିବାର ନିର୍ଦ୍ଧାରଣ ହେଲାପରେ  କତରବଗା ଥାନା ଲଇଡା  ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।

Comments are closed.