ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ବସ୍‌: ୧୬ମୃତ

ଫିରୋଜାବାଦ : ଉତ୍ତରପ୍ରଦେଶର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ ସଡ଼କରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୬ଜଣଙ୍କ ପ୍ରାଣହାନି ଘଟିଥିବାରବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଟାୟାର ବଦଳାଇବା ପାଇଁ ଛିଡ଼ା ହୋଇଥିବା ଏକ ଇଡ୍‌ଲି ବୋଝେଇ ଟ୍ରକ୍‌କୁ ଦିଲ୍ଲୀରୁ ବିହାରର ମୋତିହାରୀକୁ ଯାଉଥିବା ଏକ ଦୁଇ ମହଲା ଯାତ୍ରୀବାହୀ ବସ୍‌ ଏକ୍ସପ୍ରେସ୍‌ ସଡ଼କର ନାଗଲା ଖାନାଗରଠାରେ ଧକ୍କା ଦେବାରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରେ ପ୍ରାୟ ୫୦ଯାତ୍ରୀ ଥିଲେ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିହାରୀ। ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ବିଶ୍ରାମ ନେଉଥିଲେ। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଆହତ ଟ୍ରକ୍‌ ହେଲ୍‌ପରର କହିବାନୁଯାୟୀ, ସେ ଟାୟାର ବଦଳାଉଥିବାବେଳେ ବସ୍‌ ଦ୍ରୁତ ଗତିରେ ଆସି ପିଟି ହୋଇଥିଲା।

Comments are closed.