ବଲେରୋ-ସ୍ବିଫ୍ଟ ଧକ୍କା: ୩ ମୃତ; ଦୁଇ ଗୁରୁତର

ସୋନପୁର / ତରଭା : ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ତୁରେଇକେଲା ଛକ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର  ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ସୋନପୁର ପଟୁ ଓଡି-୦୩-ଡି-୮୯୧୨ ନମ୍ବର ବିଶିଷ୍ଟ ଏକ ସ୍ୱିଫ୍ଟ ଡିଜାୟାର ଗାଡି ବଲାଙ୍ଗୀର ପଟକୁ ଯାଉଥିବାବେଳେ ତୁରେଇକେଲା ଛକ ନିକଟରେ ବିପରୀତ ପଟୁ ଆସୁଥିବା ଏକ ନମ୍ବର ବିହୀନ ବୋଲେରୋ ପିକଅପ୍‍ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ସ୍ୱିଫ୍ଟ ଡିଜାୟାର ଗାଡିରେ ଥିବା ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସହ ଗାଡିରେ ଥିବା ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ପିକଅପ୍‍ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ତରଭାରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ତରଭା ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ସେଠାରେ ପହଞ୍ଚିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗାଡିରେ ଥିବା ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନେ ପଶ୍ଚିମବଙ୍ଗ ପୁର୍ବ ମେଦିନାପୁର ଅଞ୍ଚଳର ଶେଖ୍‍ ମହସିନ ଜମାଦାର (୨୬), ଶେଖ୍‍ ନଜରୁଲ୍‍ ଜମାଦାର୍‍ (୨୬ ) ଓ ଅଜଗର୍‍ ଖାନ୍‍ (୨୪) ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେହିପରି ଗୁରୁତର ଅନ୍ୟ ଜଣଙ୍କ ନାମ ସାହେବ ହୁସେନ୍‍ (୨୪) ବୋଲି ଜଣା ପଡିଥିବାବେଳେ ଗାଡିର ଡ୍ରାଇଭର ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଅନ୍ତର୍ଗତ ଭଏଁସା ଗ୍ରାମର ଓ ବର୍ତ୍ତମାନ ବଲାଙ୍ଗୀର କଲେଜ ଛକରେ ରହୁଥିବା ରତ୍ନାକର ପୁଟେଲ (୨୪) ବୋଲି ଜଣାପଡିଛି। ଏହି ପାଞ୍ଚ ଜଣ ପଶ୍ଚିମବଙ୍ଗ ମେଦିନାପୁରରୁ ଆସି ଝାରସୁଗୁଡାରେ ଓହ୍ଲାଇବା ପରେ ସ୍ୱିଫ୍ଟ ଡିଜାୟାର ଗାଡିର ମାଲିକ ବଲାଙ୍ଗୀରର ବିଷ୍ଣୁଦାସ ରାଜପୁତଙ୍କ ଘର କାମ କରିବା ପାଇଁ ବଲାଙ୍ଗୀର ଯାଉଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି। ତରଭା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Comments are closed.