ମର୍ମନ୍ତୁଦ ସଡକ ଦୁର୍ଘଟଣା: ସ୍ୱାମୀ ସ୍ତ୍ରୀ ମୃତ, ୩ ଗୁରୁତର

ବୌଦ୍ଧ/ହରଭଙ୍ଗା : ଦୀର୍ଘଦିନ ହେଲା ଲକଡାଉନ ଯୋଗୁଁ ଜାତୀୟ ରାଜପଥରେ ବଡ ଦୁର୍ଘଟଣା ହୋଇନଥିବାବେଳେ ଆଜି ସକାଳୁ ଏକ ର୍ମମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅଞ୍ଚଳର ଏକ ପରିବାର କାର(ଓଡ଼ି ୧୬-୦୯୧୦) ଯୋଗେ ରାଉରକେଲା ଯାଉଥିବାବେଳେ ଫୁଲବାଣୀ ବୌଦ୍ଧ ଜାତୀୟ ରାଜପଥର ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଝାଡରାଜିଙ୍ଗ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡର ଏକ ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଗାଡିରେ ଚଳାଉଥିବା ସୁରେନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ନମିତା ନାୟକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଭଗବାନ କାମ୍ପ(୩୫) ଓ ତାଙ୍କ ପତ୍ନୀ ରୀନା କାମ୍ପ(୩୦)ଙ୍କ ସମେତ ଅନ୍ୟ ଜଣେ ସଂପର୍କିୟ ବସନ୍ତ କୁମାର ଲେଙ୍କା ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଚିକିତ୍ସାଳୟ ଓ ପରେ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତିନିଜଣ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

 

ମିଳିଥିବା ସୂଚନା ମୁତାବକ ଭଞ୍ଜନଗର ଉପଖଣ୍ଡର ବେଲଗୁଣ୍ଠା ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ସୁରେନ୍ଦ୍ରଙ୍କ ପିତାଙ୍କ ଶରୀର ଅସୁସ୍ଥ ଥିବାରୁ ଜିରୁଳୀ ଗ୍ରାମର ସଂପର୍କିତ କାମ୍ପ ପରିବାରଙ୍କ ସହ ତାଙ୍କୁ ଦେଖିବାକୁ ରାଉରକେଲା ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ସୁରେନ୍ଦ୍ର ଭଞ୍ଜନଗର ଜଳସେଚନ କାର୍ଯ୍ୟାଳୟରେ ଡ୍ରାଇଭର ଭାବରେ କାର୍ଯ୍ୟରତ ଥିଲେ। ଗାଡି ଚଳାଇବାରେ ସଂପୁର୍ଣ୍ଣ ଅଭିଜ୍ଞତା ଥିଲେ ମଧ୍ୟ ଷ୍ଟେିରଂ ଲକ୍ ହୋଇଯିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଥିବାବେଳେ ଚାରିଛକ ପୋଲିସ ପହଞ୍ଚି ମୃତକଙ୍କ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଦୁର୍ଘଟଣାର କାରଣ ସଂପର୍କରେ ତଦନ୍ତ କରୁଥିବା ଜଣାଯାଇଛି।

 

 

Comments are closed.