ବାଇକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଧର୍ମଗଡ: ଜୁନାଗଡ-ଧର୍ମଗଡ ଦେଇ ଯାଇଥିବା ୧୩୦ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ରାଜକୁମାର ସୁନାନୀ (୪୫)। ତାଙ୍କ ଘର ଜୁନାଗଡ ଥାନା ଅନ୍ତର୍ଗତ ମହିଭର ବୋଲି ଜଣାପଡିଛି। ଆହତ ଦୁଇ ଜଣ ହେଲେ ଦୁଶାସନ ମାଝୀ (୨୫) ଓ ସୁର୍ଯ୍ୟ ମାଝୀ(୨୮)।
ମିଳିଥିବା ସୁଚନାନୁଯାୟୀ ଓଆର ୦୮ଏଫ ୮୯୦୩ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ମୃତ ରାଜ କୁମାର ସୁନାନୀ ଧର୍ମଗଡରୁ ଗାଁକୁ ଫେରୁଥିଲେ। ଏହି ସମୟରେ ଓଡି ୦୮ ଏଫ ୮୭୭୯ ନମ୍ବର ବିଶିଷ୍ଟ ବାଇକରେ ଦୁଷାସନ ଓ ସୁର୍ଯ୍ୟ ଧର୍ମଗଡକୁ ଆସୁଥିଲେ । ବସୁଲ ବନ୍ଧ ନିକଟ ବୁଲାଣିରେ ଏହି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ରାଜକୁମାର ମୃତ୍ୟୁ ବରଣ କରିଥିଲେ। ସ୍ଥାନିୟ ଲୋକ ବାଇକ ଚାଳକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନାକୁ ପଠାଇଥିଲେ। ଆହତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ପାଇ ଧର୍ମଗଡ ପୋଲିସ ଘଟଣାସ୍ଥଳକୁ ପହଂଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.