ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୫ଆହତ

ମୁଖିଗୁଡ଼ା : କଳାହାଣ୍ଡି ଜିଲା ମୁଖିଗୁଡା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି। ଜୟପାଟଣା-ମୋଟେର ମୁଖ୍ୟ ରାସ୍ତା ଜୟପାଟଣା ଶିବ ମନ୍ଦିର ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଆହତ ହୋଇଥିବା ବେଳେ ଇନ୍ଦ୍ରାବତୀ ଟେଲ୍‍ରେସ୍‍ କେନାଲ ରାଣୀବାହାଲ ବ୍ରିଜ୍‍ ତଳକୁ ଏକ ମହିନ୍ଦ୍ରା ଟ୍ରାକ୍ଟର ଖସି ପଡ଼ିବାରୁ ଡ଼୍ରାଇଭର ଏବଂ ଏକ ଶ୍ରମିକ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସୋମବାର ଦିନ ପ୍ରାୟ ୨ଟା ବେଳେ ଏକ ମହିନ୍ଦ୍ରା ଟ୍ରାକ୍ଟର ଟ୍ରଲି ନଂ. ଓ.ଆର୍‍. ୮ ଏଫ୍‍ ୪୦୫୦ ରେ ମେଟାଲ ବୋଝେଇ ହୋଇ ରାଣୀବାହାଲ ସ୍ଥିତ ଏକ କ୍ରସର ଅଭିମୁଖେ ଆସୁଥିବା ବେଳେ ରାଣୀବାହାଲ-ମାଉଳୀ ମନ୍ଦିର ରାସ୍ତା ଟେଲ୍‍ରେସ୍‍ କେନାଲ ପୋଲ ତଳକୁ ଖସି ପଡ଼ିବାରୁ ଟ୍ରାକ୍ଟର ଓଲଟିଯାଇ ଡ଼୍ରାଇଭର ଏବଂ ଏକ ଶ୍ରମିକ ଆହତ ହୋଇଥିଲେ। ସେହିପରି ପ୍ରାୟ ୩.୩୦ ବେଳେ ଜୟପାଟଣା ଥାନା ଅନ୍ତର୍ଗତ ପାଣିଗାଁର ଗୋପବନ୍ଧୁ ରାଉତ(୩୦) ଏବଂ ଭାରତ ରାଉତ(୪୦) ଏକ ସାଇକେଲ ଯୋଗେ ଜୟପାଟଣାରୁ ନିଜ ଗାଁ ପାଣି ଗାଁକୁ ଯାଉଥିବା ବେଳେ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତା ଜୟପାଟଣା ଶିବ ମନ୍ଦିର ଛକ ନିକଟରେ ବିପରୀତ ଦିଗରୁ ଏକ ବାଇକରେ ଆସୁଥିବା ଚୁରାଗାଁର ଜଏମଲ ରାଉତ(୪୫)ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗୋପବନ୍ଧୁ, ଭାରତ ଏବଂ ଜଏମଲ ଗୁରୁତର ହୋଇଥିଲେ ସେମାନଙ୍କୁ ଭବାନୀପାଟଣା ଡ଼ାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି।

Comments are closed.