ବସ-ବୋଲେରୋ ମୁହାଁମୁହିଁ ଧକ୍କା ; ୭ ମୃତ , ୩୨ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପିଲିଭୀତ ଜିଲାର ପୁରାନାପୁର ଅଞ୍ଚଳରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ବସ ଓ ବୋଲେରୋ ମଧ୍ୟରେ ଧକ୍କା ହେବା ଫଳରେ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡ଼ିଛି। ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଯାତ୍ରୀବାହୀ ବସଟି ଯାତ୍ରୀଙ୍କୁ ନେଇ ଲକ୍ଷେ୍ନøରୁ ପିଲୀଭୀତ ଆଡ଼କୁ ଯାଉଥିଲା। ହଠାତ ସୋହରାମଉ ବର୍ଡ଼ର ନିକଟରେ ବସ ଓ ଏକ ବୋଲେରୋ ମଧ୍ୟରେ ଖୁବ ଜୋରରେ ଧକ୍କା ହୋଇଥିଲା। ଧକ୍କା ପରେ ବସଟି ନିକଟ ଜମିକୁ ଓଲଟି ପଡିଥିଲା। ବହୁ କଷ୍ଟରେ ସମସ୍ତ ଯାତ୍ରୀଙ୍କୁ ବସରୁ ବାହାର କରାଯାଇଥିଲା। ସେହିପରି ବୋଲେରୋ ମଧ୍ୟରେ ଥିବା ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ସମସ୍ତ ବସ ଓ ବୋଲେରୋ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ୭ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସାହାଯ୍ୟ କରିବାକୁ ଓ ଘଟଣାର ସଠିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 

Comments are closed.