ସ୍କୁଟିରେ ସ୍କୁଲ ଯାଉଥିଲେ ଶିକ୍ଷୟିତ୍ରୀ , ଦୁର୍ଘଟଣାରେ ଚାଲିଗଲା ଜୀବନ

ପିପିଲି: ପୁରୀ ଜିଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଛକ ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇଛି। ଶିକ୍ଷୟିତ୍ରୀ ୨ଜଣ ଏକ ସ୍କୁଟିରେ ସ୍କୁଲ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଡାଲା ଅଟୋ ସହ ମୁଁହାଁମୁଁହିଁ ଧକ୍କା ହୋଇଥିଲା। ମୃତ ଦୁଇ ଶିକ୍ଷୟିତ୍ରୀ ଦାଣ୍ଡମୁକୁନ୍ଦପୁର ସ୍ଥିତ ପୀତବାସ ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷୟତ୍ରୀ ସ୍ନେହଲତା ସାହୁ (୪୨) ପିପିଲି ବ୍ଲକଛକର ଓ ସିରିଆପୁରର ନୀଳକଣ୍ଠନଗର ଶୁଭଲକ୍ଷ୍ମୀ ପରିଡା (୨୭) । ସମ୍ପର୍କରେ ଉଭୟେ ମାଉସୀ ଓ ଝିଆରୀ ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ , ସ୍ନେହଲତା ଓ  ଶୁଭଲକ୍ଷ୍ମୀ ଆଜି ସ୍କୁଟିରେ ସ୍କୁଲ ଯାଉଥିବା ସମୟରେ ଡାଲା ଅଟୋ ଧକ୍କା ଦେବା ଫଳରେ ଉଭୟେ ରାସ୍ତା  କଡ଼ରେ ଥିବା ଖାଲକୁ ଛିଟିକି ପଡିଥିଲେ । ସେମାନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପିପିଲି ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଥିବା ବେଳେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସମଗ୍ର ପିପିଲି ଓ ଦାଣ୍ଡମୁକୁନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିବା ସହ ଅଟୋ ଚାଳକକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

Comments are closed.