ୟୁପିରେ ବସ-ଟ୍ରକ୍‍ ଧକ୍କା; ୭ ମୃତ, ୫ ଗୁରୁତର

ଫତେହପୁର : ଉତ୍ତରପ୍ରଦେଶ ଫତେପୁର-ଜାହାନାବାଦ ରାସ୍ତାର ସନିଗଓାଁଠାରେ ବୁଧବାର ଅପରାହ୍ଣରେ ଏକ ଯାତ୍ରୀବାହୀ ବସ୍‍ ଓ ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୨୪ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ କାନପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ଫତେହପୁରରୁ ଶତାଧିକ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍‍ ଜାହାନାବାଦ ଅଭିମୁଖେ ଯାତ୍ରା କରୁଥିଲା। ଜୋନିହା-ଜାହାନାବାଦର ସନିଗଓାଁ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‍ ସହ ବସ୍‍ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକେ, ଚାନ୍ଦପୁର ସମେତ ଆଖପାଖ ଥାନାର ପୁଲିସ୍‍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। କ୍ରେନରେ କ୍ଷତିଗ୍ରସ୍ତ ବସ୍‍ର ଅଂଶକୁ ଅଲଗା କରି ଫସିରହିଥିବା ଯାତ୍ରୀଙ୍କୁ ବାହାର କରାଯାଇଛି। ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୭ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.