ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ମୃତ, ୩୦ରୁ ଅଧିକ ଆହତ

ଅହମ୍ମଦାବାଦ : ଅହମ୍ମଦାବାଦରୁ ୧୬୦କିମି ଦୂର ଉତ୍ତର ଗୁଜରାତ ଅନ୍ତର୍ଗତ ଅମ୍ବାଜୀ-ଦାନ୍ତା ରାସ୍ତାର ବନସ୍କନ୍ଥାଠାରେ ସୋମବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨୧ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୫୦ରୁ ଅଧିକ ଆହତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ୩୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାୟ ୭୦ ତୀର୍ଥଯାତ୍ରୀଙ୍କୁ ନେଇ ପାହାଡ଼ିଆ ରାସ୍ତାରେ ଯାଉଥିବା ଘରୋଇ ଯାତ୍ରିବାହୀ ବସ୍‌ଟି ତ୍ରିଶୁଳିଆ ଘାଟି ଅଞ୍ଚଳରେ ବର୍ଷା ଯୋଗୁଁ ଭାରସାମ୍ୟ ଓଲଟି ପଡ଼ିଥିଲା। ଯାତ୍ରୀମାନେ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଅମ୍ବାଜୀ ମନ୍ଦିର ଦର୍ଶନ କରି ଆନନ୍ଦ ଜିଲାର ଅଙ୍କ୍ଲଭକୁ ଫେରୁଥିଲାବେଳେ ଅମ୍ବାଜୀ ସହରଠାରୁ ଅଳ୍ପ ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବୁଲ୍‌ଡୋଜର ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହି ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ ସହ ଆହତମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ସେ ନିର୍ଦେଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ୨୦୧୬ ପରେ ଗୁଜରାତରେ ଏହା ସବୁଠୁ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା। ସେ ବର୍ଷ ଫେବୃଆରୀରେ ଦକ୍ଷିଣ ଗୁଜରାତର ନବସାରୀ ଜିଲା ଅନ୍ତର୍ଗତ ପୂର୍ଣ୍ଣା ନଦୀ ସେତୁ ଉପରୁ ଏକ ବସ୍‌ ନଦୀ ଭିତରକୁ ଖସିପଡ଼ିବାରେ ୩୭ଜଣ ପ୍ରାଣ ହରାଇଥିଲେ।

Comments are closed.