ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ-ପାଟଣା ରାସ୍ତା ନିକଟ ତୋରାଣିପୋଖରି ଜଙ୍ଗଲ ବୁଲାଣି ରାସ୍ତାରେ ଏକ ବାଇକ୍ ଦୁର୍ଘଟଣା ଘଟି ଆରୋହୀ ଗୁରୁତର ହୋଇଛନ୍ତି । ଆଜି ଅପରାହ୍ନରେ ଯଶିପୁର ଥାନା ଅନ୍ତର୍ଗତ ନାଉଗୁଢାଣି ଗ୍ରାମର ପ୍ରଶାନ୍ତ ନାଏକ(୨୦), ମିଟୁ ନାଏକ(୨୧), ରାଜେଶ ନାଏକ(୧୮) ତିନି ସାଙ୍ଗ ଏକ ବାଇକ୍ ଯୋଗେ ନିଜ ବନ୍ଧୁ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଅଜଣା ବୋଲେରୋ ସାଇଡ୍ ମାରିବାରୁ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା କଡ ବିଲ ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଫଳରେ ତିନି ଜଣ ଆହତ ହୋଇଥିଲେ । ନିକଟରେ ଧାନବିଳରେ ଧାନ କାଟୁଥିବା ସ୍ଥାନୀୟ ଲୋକେ ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ପାଖାପାଖି ଆମ୍ବୁଲାନ୍ସ ଉପଲବ୍ଧ ନଥିବା ଜଣାପଡିଥିଲା । ଶେଷରେ ସାମାଜିକ କର୍ମୀ ଗଣିଆ ମହାପାତ୍ର ଏକ ଅଟୋ ସାହାଯ୍ୟରେ ଗୁରୁତର ତିନି ଜଣ ଯୁବକଙ୍କୁ କେନ୍ଦୁଝର ମେଡିକାଲ ପଠାଇ ଥିବା ଜଣାପଡିଛି ।