ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବୀରନରସିଂହପୁର ଛକ ନିକଟରେ ଗୁରୁବାର ସକାଳେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣଙ୍କ ବୀରନରସିଂହପୁରର ନିଳାଦ୍ରୀ ଭୋକ୍ତା(୬୫) ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ନିଳାଦ୍ରୀ ଭୋକ୍ତା ଘରୁ ବାହାରି ବିଲକୁ ଯାଉଥିଲେ। ରାସ୍ତା ଅତିକ୍ରମ ସମୟରେ ତାଙ୍କୁ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ ଚିକିତ୍ସା ପାଇଁ ନିଆଯାଉଥିଲା। ମାତ୍ର ଅଧାବାଟରେ ଲୁଣିବାହାଲ ନିକଟରେ ତାଙ୍କ ଚେତଶୂନ୍ୟ ହୋଇପଡିବାରୁ ପୁନଶ୍ଚ ବୌଦ୍ଧ ମେଡିକାଲ ଫେରାଇ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାକୁ ନେଇ ଅଂଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବା ପାଇଁ ସାଧାରଣରେ ଦାବୀ ଉଠୁଛି।

Comments are closed.