ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ : ବୌଦ୍ଧଜିଲା ବାଉଁଶୁଣୀ ଥନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର କନକପୁର ଛକ ନିକଟରେ ଏକ ଅଜଣା ଗାଡି(କାର) ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ ବୌଦ୍ଧ ବ୍ଳକ ବ୍ରାହ୍ମଣିପାଲି ପଞ୍ଚାୟତର ପିଙ୍ଗଲ।ବେଡା ଗ୍ରାମର ବିମ୍ବାଧର ମହାକୁଡ ସାଇକେଲ ଯୋଗେ କୌଣସି କାମରେ ସାହାଜପାଲ ଆସିଥିଲେ। କାମ ସାରି ସେ ଘରକୁ ଫେରୁଥିବାବେଳେ କନକପୁର ଛକ ନିକଟରେ ସୁବର୍ଣ୍ଣପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେହିଁ ବିମ୍ବାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବାବେଳେ ଉତ୍ୟକ୍ତ ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ଏବଂ ୧୦ ହଜାର ଟଙ୍କା ଜିଲା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବାପରେ ରାସ୍ତାରୋକ ହଟିଥିଲା।

Comments are closed.