ସଡ଼କ ଦୁର୍ଘଟଣାରେ ମହିଳା ମୃତ

ବେଲପଡା : ବଲାଙ୍ଗୀର ଜିଲା ବେଲପଡା ସନ୍ନିକଟ କାନୁଟ ଗ୍ରାମର ମୁଖ୍ୟ ରାସ୍ତା ବନ୍ଧଠାରେ ମଙ୍ଗଳବାର ଭୋର ସକାଳ ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ କାନୁଟ ଗ୍ରାମର ମାଖନୁ ହାତୀଙ୍କ ସ୍ତ୍ରୀ ଧନମତୀ ହାତୀ(୪୫)।

ସୂଚନା ମୁତାବକ, ଧନମତୀ ଭୋର ୪ଟା ସମୟରେ ଶୈାଚ ପାଇଁ ଘରୁ ବାହାରିଥିଲେ। ଦୀର୍ଘ ସମୟ ହେଲା ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ଗ୍ରାମରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ପାଇଥିଲେ। ପରିବାର ଲୋକ ଘଟଣାସ୍ଥଳକୁ ଯାଇଦେଖିବାପରେ ମୃତକ ଜଣଙ୍କ ଧନମତୀ ବୋଲି  ଚିହ୍ନଟ କରିଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଛି। ଦୁର୍ଘଟଣା ପରେ କାନୁଟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତା ଧନମତୀଙ୍କ ୨ଝିଅ ଓ ୧ ପୁଅ ଅଛନ୍ତି। ସେ ଜଣେ ଶ୍ରମିକ ଭାବରେ କାମ କରି ପରିବାର ଚଳାଉଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା କହିଥିଲା ବେଳେ ଏହି ଦୁର୍ଘଟଣା ଘଟାଇଥିବା ଗାଡି ବିଷୟରେ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବୀ କରିବା ସଙ୍ଗେ ଏହି ଗରିବ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ଦାବୀ କରିଛନ୍ତି।

Comments are closed.