ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣକୁ ବନ୍ଦ କଲେ ଗ୍ରାମବାସୀ

ବଡ଼ସାହି: ମୟୂରଭଞ୍ଜ ଜିଲା ସୀମାନ୍ତରେ ନିର୍ମାଣାଧୀନ ଭୀମଦା-ଚେଙ୍ଗୁଆ ମଙ୍ଗଳପୁର ପ୍ରଧାନମନ୍ତ୍ରୀ ସଡ଼କ କାର୍ଯ୍ୟକୁ ଗ୍ରାମବାସୀ ବନ୍ଦ ରଖିଛନ୍ତି। ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରି ଗ୍ରାମବାସୀମାନେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଛନ୍ତି। ୯୨ଲକ୍ଷ ୯୭ହଜାର ୮୦୦ଟଙ୍କା ବ୍ୟୟ ଅଟକଳରେ ଠିକାଦାର ଇଂ କାର୍ତ୍ତିକ ସାହାଣୀ ଅଢ଼େଇ କିମି ଏହି ରାସ୍ତା ପ୍ରଶସ୍ତି ତଥା ଉନ୍ନତି କରଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଚୁକ୍ତିନାମା କରିଛନ୍ତି। ୨୦୧୮ ମଇ ୫ତାରିଖରେ କାର୍ଯ୍ୟ ଆରମ୍ଭ ହୋଇ ଚଳିତ ଫେବୃୟାରୀ ପହିଲାରେ ସମ୍ପୂର୍ଣ୍ଣ ହେବା କଥା। ମାତ୍ର ଗତ ଦୁର୍ଗାପୂଜା ପରେ କାର୍ଯ୍ୟ ଆରମ୍ଭ କରି ତରବରିଆ ଭାବେ ଶେଷ ପାଇଁ ଚେଷ୍ଟା କରାଯାଉଥିବାରୁ କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସରକାରୀ ନିୟମ ଅନୁଯାୟୀ ବାଲି, ମାଟି, ମୋରମ ଓ ମେଟାଲ ବିଛା ନଯିବା, ରୋଲିଂ ଠିକ୍‍ ଭାବେ ନହେବା ଓ ପିଚୁ କାମ ଫଡ଼ାଫଡ଼ା ଉଠିଯିବା ଆଦି ଅଭିଯୋଗ କରି ଗ୍ରାମବାସୀମାନେ କାର୍ଯ୍ୟ ବନ୍ଦ ରଖିଛନ୍ତି। ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଛନ୍ତି। ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସମସ୍ତେ ଜିଦ୍ ଧରିଛନ୍ତି।

Comments are closed.