ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ

0

ମାଲକାନଗିରିରେ ବନ୍ୟା: ଅନେକ ଅଞ୍ଚଳ ବିଛିନ୍ନ

ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ଆଜି ମାଲକାନଗିରି ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲିମେଳା, କାଲିମେଳା ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଥିବା ବେଳେ ସାବେରୀ, ସପ୍ତଧାରା, ସିଲେରୁ ନଦୀରେ ଜଳସ୍ତର ଅହେତୁକ ଭାବେ ବୃଦ୍ଧି ପାଇଛି। ତଳି ଅଞ୍ଚଳରେ ଶହ ଶହ ଗ୍ରାମ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ସଦର ମହକୁମାରେ ମଧ୍ୟ ବୁଟିଗୁଡା, ଚିଦାନନ୍ଦ ସାହି, ତଳସାହି ପ୍ରଭୃତି ଅଞ୍ଚଳରେ ଘରେ ଘରେ ଜଳ ପ୍ରବେଶ କରି ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଅଞ୍ଚଳ ଓ ମାଲକାନଗିରି ଜିଲା ଅନ୍ୟ ଜିଲାଠାରୁ ବିଚ୍ଛିନ୍ନ ହୋଇଛି। ଜିଲାର ଗୋବିନ୍ଦପାଲ୍ଲି ନିକଟରେ ମୁଖ୍ୟ ରାସ୍ତା ଧୋଇ ହୋଇଯାଇ ଜଳମଗ୍ନ ହୋଇଥିବାରୁ ଜିଲା ସଦର ମହକୁମାଠାରୁ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଜିଲାରେ ୫୩୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ଆଜି ସକାଳୁ ଜିଲାର କାଙ୍ଗୁରୁକୋଣ୍ଡା, ପୋଟେରୁ ତର୍ଲାକୋଟା ଓ କୋରୁକୋଣ୍ଡା ନିକଟସ୍ଥ ପୋଲ ଉପରେ ପ୍ରାୟ ୨ଫୁଟ ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରିଠାରୁ ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା, ମୋଟୁ ଓ ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ପୋଲର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିବା ପରିଲକ୍ଷିତ ହୋଇଛି। ଏଥିଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାର ସପ୍ତଧାରା, ସିଲେରୁ ଓ ସାବେରୀ ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ବର୍ଷାରେ ଜିଲା ସଦର ବ୍ଲକ ଅନ୍ତର୍ଗତ ମାର୍କାପାଲ୍ଲି ଗ୍ରାମକୁ ଯୋଗାଯୋଗ କରୁଥିବା ତକନଭାଟା ଗ୍ରାମ ନିକଟସ୍ଥ ରାସ୍ତା ବର୍ଷା ଜଳରେ ଧୋଇ ହୋଇଯାଇଛି। ଫଳରେ ପାଣ୍ଡ୍ରିପାଣି ଓ ବୀରଲକ୍ଷ୍ମଣପୁର ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ମାଲକାନଗିରି ଜିଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଫଳରେ ଜିଲାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ ଜାରି ରହିଛି। କାଙ୍ଗୁରୁକୋଣ୍ଡା, ଏମ୍‍.ଭି. ୯୦ ଗ୍ରାମ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ପଦକ୍ଷେପ ନିଆଯାଇଥିବା ଜିଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମୋଟ ୨୧ଟି କେନ୍ଦ୍ରରେ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଥିବା ବେଳେ ଏଠାରେ ଚାଉଳ, କିରାସିନି ଆଦି ସାମଗ୍ରୀ ମହଜୁଦ ହୋଇଛି। ସେହିପରି ୧୭ମଲ୍ଟି ପର୍ପଜ୍‍ ସେଣ୍ଟର ଖୋଲାଯାଇଛି। ଏଠାରେ ସ୍ୱତନ୍ତ୍ର ଅଧିକାରୀମାନେ ନିୟୋଜିତ ରହି ବାତ୍ୟା ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ସେହିପରି ବିଛିନ୍ନାଞ୍ଚଳରେ ୨୮ଟି ମୋଟର ବୋଟ ଓ ଲଞ୍ଚ ଗୁଡିକୁ ମଧ୍ୟ ଆଗୁଆ ରଖାଯାଇଛି। ସମସ୍ତ ଲଞ୍ଚ ଘାଟ ଗୁଡିକରେ ମଧ୍ୟ ବୋଟ ଗୁଡିକ ରଖାଯାଇଛି। ଅନ୍ୟପକ୍ଷରେ କୁଡୁମୁଲୁଗୁମ୍ମା ବ୍ଲକ ବିଛିନ୍ନାଞ୍ଚଳ ରାଲେଗେଡା, ପଣସପୁଟ, ପାପରମେଟଲା, କାଲିମେଳା ବ୍ଲକର ଉଣ୍ଡ୍ରୁକୋଣ୍ଡା, କାଙ୍ଗୁରୁକୋଣ୍ଡା, ମୋଟୁ, ଖଇରପୁଟ ବ୍ଲକର ମୁଦୁଲିପଡା, ଡୁରାଲ, ବଡପଦର ସେହିପରି ପଡିଆ ବ୍ଲକର ମହାରାଜପାଲ୍ଲି, ମୋଟୁ ଓ ପଡିଆ ପ୍ରଭୃତି ସ୍ଥାନରେ ମଧ୍ୟ ବାତ୍ୟା ନିୟନ୍ତ୍ରଣ କକ୍ଷ କରାଯାଇଛି ଏବଂ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛିା।
ଜିଲା ଜରୁରୀକାଳୀନ କାର୍ଯ୍ୟାଳୟରେ ୨୪ଘଣ୍ଟା ନିୟନ୍ତ୍ରଣ କକ୍ଷ ରହିଥିବା ବେଳେ ସବୁ ତହସିଲ ଯଥା କାଲିମେଳା, ମାଥିଲି, ମୋଟୁ, ଖଇରପୁଟ, ଚିତ୍ରକୋଣ୍ଡା, କୁଡୁମୁଲୁଗୁମ୍ମା, ମାଲକାନଗିରି ତହସିଲଦାର ଓ ଆର୍‍.ଆଇ.ଙ୍କୁ ନେଇ ସ୍ୱତନ୍ତ୍ର ହ୍ୱାଟସପ୍‍ ଜରିଆରେ ସୂଚନା ଆଦାନ ପ୍ରଦାନ କରାଯାଉଛି। ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲା ପୁଲିସର ସହାୟତା ନିଆଯିବ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ତହସିଲଦାର ଓ ବି.ଡି.ଓଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

କନ୍ଧମାଳରେ ବର୍ଷା ବିତ୍ପାତ:

ଚକାପାଦ ବ୍ଲକ୍‌ ବିଚ୍ଛିନ୍ନ, ବିଦ୍ୟୁତ୍‌ ଖୁଣ୍ଟ ପଡି ଜଣେ ମୃତ, ୫ ପଞ୍ଚାୟତ ଜଳବନ୍ଦୀ, ଭାସିଯିବାବେଳେ ୨ ଉଦ୍ଧାର


ଫୁଲବାଣୀ: ପ୍ରବଳ ବର୍ଷାରେ କନ୍ଧମାଳ ଜିଲାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଚକାପାଦ ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଥିବା ବେଳେ ବିଦ୍ୟୁତ୍‍ ଖୁଣ୍ଟ ପଡି ଜଣକର ମୃତ୍ୟୁ ଘଟିଛି ଏବଂ ସାଲୁଙ୍କି ନଦୀରେ ଭାସିଯିବା ବେଳେ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ଟିକାବାଲିରୁ ଚକାପାଦ ଏବଂ ଚକାପାଦରୁ ବ୍ରାହ୍ମଣପାଦ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଜିଲାର ସମସ୍ତ ପ୍ରମୁଖ ନଦୀରେ ବନ୍‍୍ୟା ଜଳ ପ୍ରବାହିିତ ହେଉଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ନଦୀ ନିକଟସ୍ଥ୍‍ ଗାଁ ଗଣ୍ଡାର ଲୋକେ ଭୟଭୀତ ହୋିପଡିଛନ୍ତି।
ଚକାପାଦରେ ବ୍ଲକରେ ଆଜି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଚକାପାଦ ବସ୍ତିଙ୍ଗିଆରେ ୧୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଟିକାବାଲିରେ ୧୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଟିକାବାଲି-ଚକାପାଦ ରାସ୍ତାର ବସ୍ତିଙ୍ଗିଆ ନିକଟରେ ନିର୍ମାଣାଧୀନ ପୋଲ ଧୋଇ ଯାଇଛି। ସେହିପରି ଚକାପାଦ ଘାଟିରେ ଧୋଇ ହୋଇଯାଇଛି ରାସ୍ତା। ଚକାପାଦରୁ ବ୍ରାହ୍ମଣପାଦ ରାସ୍ତାରେ ପୋଲ ଧୋଇଯିବା ସହିତ ରାସ୍ତାର ଅନେକ ସ୍ଥାନ ନଷ୍ଟ ହୋଇଯାଇଛି। ଫଳରେ ଚକାପାଦ ବ୍ଲକର ଘାଟି ତଳ ୫ଞ୍ଚଟି ପଞ୍ଚାୟତର ଲୋକେ ଜଲବନ୍ଦୀ ଅଛନ୍ତି। ଚକାପାଦ, ପସରା, ବ୍ରାହ୍ମଣପାଦ, ଚାହାଳି ପଞ୍ଚାୟତର ଶହ ଶହ ଲୋକେ ଜଳବନ୍ଦୀରେ ରହିଛନ୍ତି। ରାସ୍ତା ମରାମତି କାମ ଚାଲିଛି ବୋଲି କହିଛନ୍ତିି ଚକାପାଦ ବିଡିଓ ତ୍ରିଲୋଚନ ମହାନ୍ତି। ଘାଟି ରାସ୍ତା ମରାମତି ମଧ୍ୟ ହୋଇଯାଇଛି ଏବଂ କିଛି ଛୋଟ ଗାଡି ଯିବା ବ୍ୟବସ୍ଥା ହେଉଛି। କ୍ଷୟକ୍ଷତିର ଆକଳନ କରାଯିବା ସହିତ ଲୋକଙ୍କ ନିକଟରେ କିପରି ସଡକ ଯୋଗାଯୋଗ ହେବ ସେଥିପାଇଁ କାମ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ବ୍ରାହ୍ମଣପାଦରେ ବିଦ୍ୟୁତ୍‍ ଖଣ୍ଟ ପଡିଯିବାରୁ ବ୍ରାହ୍ମଣପାଦର ପୀତାମ୍ବର ସାହୁଙ୍କ ଝିଅ ପ୍ରଣତୀ ସାହୁ(୧୬) ଗୁରୁତର ଆହତ ହୋଇଥିଲେ। ପରେ ସ୍ଥାନୀୟ ଜିଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।
ପାହାଡିଆ ପାଣି ଅନେକଙ୍କ ଘରେ ପିଶିଛି। କୋଟଗଡ- ସୂବର୍ଣ୍ଣଗିରି ଘାଟିରେ ମାଟିଅତଡା ଧସିଯିବାରୁ ସେହି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଛି। ଜିଲାରେ ପ୍ରବାହିତ ସାଲୁଙ୍କି, ପିଲାସାଲୁଙ୍କି, ବଡସାଲୁଙ୍କି, ରାଉଳ, ଖଡଗ୍‍ ପ୍ରଭୃତି ନଦୀରେ ପ୍ରବଳ ବନ୍ୟାଜଳ ଆସିଛି। ଲଗାଣ ବର୍ଷାରେ ଫୁଲବାଣୀ ବ୍ଲକ ମଧ୍ୟ ପ୍ରଭାବିତ ହୋଇଛି। ମାର୍ଦେଜୁରେ ବଡ ସାଲୁଙ୍କି ନଦୀରେ ଦୁଇ ଜଣ ଭାସି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ଜିଲାର ଅନେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲା ଜରୁରୀକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ। ଜିଲାରେ ପ୍ରବାହିତ ନଦୀଗୁଡିକରେ ଜଳସ୍ତର ବଢିଛି ଏବଂ ସେଥିପାଇଁ ସମସ୍ତ ଜରୁରୀ ବ୍ୟବସ୍ଥା କରିବାକୁ ଜିଲାପାଳ ସମସ୍ତ ୧୨ଟି ବ୍ଲକର ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply