ତୃତୀୟ ପର୍ଯ୍ୟାୟ ସେରୋ ରିପୋର୍ଟ ପ୍ରକାଶ, ଭୁବନେଶ୍ବରରେ ୫୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି

ଭୁବନେଶ୍ବର: ଆର୍‌ଏମ୍‌ଆର୍‌ସି ପକ୍ଷରୁ ଭୁବନେଶ୍ବରରେ କରାଯାଇଥିବା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ପରେ ଆର୍‌ଏମ୍‌ଆର୍‌ସି ନିର୍ଦେଶିକା ସଂଘମିତ୍ରା ପତିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା କହିଛନ୍ତି ଯେ ଭୁବନେଶ୍ବରରେ ୫୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି। ସର୍ଭେ ଅନୁସାରେ ଭୁବନେଶ୍ବରରେ ୫୦% ଲୋକଙ୍କୁ କରୋନା ଛୁଇଁଲାଣି। କରୋନା ସଂସ୍ପର୍ଶରେ ଆସିବା ପରେ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି।

ଆର୍‌ଏମ୍‌ଆର୍‌ସି ନିର୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଦେଶରେ ସେରୋ ସର୍ଭେ କରିଥିଲା। ରଥଯାତ୍ରା ସମୟରେ ଏହା ପୁରୀରୁ ଆରମ୍ଭ ହୋଇଥିଲା। ଜୁଲାଇ ୧୧ ତାରିଖରେ ଭୁବନେଶ୍ୱରରେ ପ୍ରଥମ ସେରୋ ସର୍ଭେ କରାଯାଇଥିଲା। ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨% ଆଣ୍ଟିବଡ଼ି ଥିଲା। ଅଗଷ୍ଟ ୨୮ ଦ୍ବିତୀୟ ସର୍ଭେରେ ୫.୧% ଲୋକଙ୍କ ଦେହରେ ଆଣ୍ଟିବଡ଼ି ଥିଲା। ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଅନୁଷ୍ଠିତ ହୋଇଥିଲା। ୨୫ଟି ୱାର୍ଡରୁ ୧୪୦୩ ସାମ୍ପଲ ନିଆଯାଇ ପରୀକ୍ଷା କରାଯାଇଥିଲା। ୫୫ଟି ୱାର୍ଡରୁ ସର୍ବନିମ୍ନ ୨୮% ଏବଂ ୧୬ଟି ୱାର୍ଡରୁ ସର୍ବାଧିକ ୬୩% ମିଳିଥିଲା। ୫ଟି ୱାର୍ଡରେ ଆଣ୍ଟିବଡ଼ି ବିକଶିତ ଲୋକଙ୍କ ସଂଖ୍ୟା ୬୦%ରୁ ଅଧିକ ରହିଥିଲା। ସର୍ଭେ ଅନୁସାରେ ଆହୁରି ୫୦% ଲୋକଙ୍କୁ କରୋନା ଛୁଇଁନାହିଁ। ୫୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ କରିନାହିଁ। ସେମାନେ ଏବେ ମଧ୍ୟ ସମ୍ବେଦନଶୀଳ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ସାମାଜିକ ଦୂରତ୍ବ ବଜାୟ ରଖିବା ସାଙ୍ଗକୁ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ପାଳନ କରିବା ଉଚିତ ବୋଲି ଆର୍‌ଏମ୍ଆର୍‌ସି ନିର୍ଦେଶିକା ସଂଘମିତ୍ରା ପତି ପ୍ରକାଶ କରିଛନ୍ତି।

ସେରୋ ସର୍ଭେକ୍ଷଣରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରେ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି ବିକଶିତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ପୂର୍ବରୁ ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରିସାରିଛନ୍ତି । ରାଜ୍ୟରେ ସ୍ୱତନ୍ତ୍ର ଭାବରେ ସେରୋ ସର୍ଭେ ସଂପନ୍ନ କରିବାରେ ଓଡ଼ିଶା ଦେଶରେ ଅନ୍ୟତମ ରାଜ୍ୟ ଏବଂ ଏହା ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ମହାନଗର ନିଗମ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତ ଭାବରେ କରାଯାଇଥିଲା । ଏହି ସେରୋ ସର୍ଭେର ଫଳାଫଳ ଭବିଷ୍ୟତ ପାଇଁ ଆଶା ଓ ସମ୍ଭାବନା ସୃଷ୍ଟି କରିଛି ବୋଲି ଆର୍‌ଏମ୍ଆର୍‌ସି ନିର୍ଦେଶିକା ସଂଘମିତ୍ରା ପତି ପ୍ରକାଶ କରିଛନ୍ତି।

Comments are closed.