ନବୀନଙ୍କୁ କୃତଜ୍ଞତା ଜଣାଇଲେ, ୫-ଟି ସଚିବଙ୍କ ସହ ଆଲୋଚନା କଲେ ଗ୍ରାମବାସୀ

୪ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂପର୍କରେ ଘୋଷଣା

 ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ ସମେତ ଅନ୍ୟାନ୍ୟ ବର୍ଗ ପାଇଁ କୋଭିଡ ସହାୟତା ଘୋଷଣା

ସୁନ୍ଦରଗଡ଼଼ : ସୁନ୍ଦରଗଡ଼଼ବାସୀଙ୍କ ଦୀର୍ଘଦିନର ଦାବି ଓ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରଣ କରିଥିବାରୁ ତାଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିବା ସହ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସହ ଗ୍ରାମବାସୀମାନେ ଆଭାସି ମାଧ୍ୟମରେ ସିଧାସଳଖ ଆଲୋଚନା କରି ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ମନରେଗା ଯୋଜନାର ଶ୍ରମିକଙ୍କ ପାଇଁ କୋଭିଡ ସହାୟତା ରାଶି ଘୋଷଣା କରିଥିଲେ।

ଆଜି ଜିଲା ଯୋଜନା ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଆଭାସି ବୈଠକରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଅଧ୍ୟକ୍ଷତା କରି ଆଗାମୀ ଦିନରେ ଲୋକଙ୍କ ପାଇଁ ନବୀନ ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟ, କିଞ୍ଜିର୍ମାଠାରେ ହେବାକୁ ଥିବା ବ୍ୟାରେଜ ନିର୍ମାଣ ସଂପର୍କରେ ୬ତାରିଖ ଦିନ ଆଭାସି ମାଧ୍ୟମରେ ଘୋଷଣା ଓ ଆଜି କୁଡ଼ାବଗା ଓ କୋପସିଙ୍ଗାଠାରେ ନିର୍ମାଣ ହେବାକୁ ଥିବା ଆନ୍ତନଦୀ ଜଳାଶୟ ସଂପର୍କରେ ୫-ଟି ସଚିବ ପାଣ୍ଡିଆନ ସୂଚନା ଦେବା ସହ ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଏହି ଅବସରରେ କୋପସିଙ୍ଗା ଓ କୁଡ଼ାବଗାର କିଛି ଗ୍ରାମବାସୀ ୫-ଟି ସଚିବଙ୍କ ସହ ସିଧାସଳଖ ଆଲୋଚନା କରି ଭାବ ବିହ୍ବଳ ହୋଇ ପଡିଥିଲେ। ଏ ଅଞ୍ଚଳର ଦୀର୍ଘଦିନର ସମସ୍ୟା ଓ ଚାଷୀମାନଙ୍କ ଦୁର୍ଦ୍ଦିନର ଅନ୍ତ ହେବା ସହ ସମଗ୍ର ଅଞ୍ଚଳରେ ବିକାଶ ହୋଇପାରିବ ବୋଲି କହିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପବନ କଲ୍ୟାଣ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂହ ପଟେଲ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ସଦର ବ୍ଲକ ଉପାଧ୍ୟକ୍ଷ ଅଶ୍ୱିନୀ କୁମାର ନାଏକ, ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ ସମେତ ସୁନ୍ଦରଗଡ଼଼, ନୂଆଗାଁ, ବୀରମିତ୍ରପୁର ଅଞ୍ଚଳର ବରିଷ୍ଠ ବିଜେଡ଼ି ନେତାମାନେ ଉପସ୍ଥିତ ଥିଲେ।

କୁଡ଼ାବଗା ଅନ୍ତନଦୀ ଜଳାଶୟ ପାଇଁ ୧୮୬କୋଟି, କିଞ୍ଜିର୍ମା ସଫେଇ ନଦୀ ଜଳାଶୟ (ନଦୀବନ୍ଧ) ପାଇଁ ୯୧କୋଟି ଟଙ୍କା, କୋପସିଙ୍ଗା ଜଳାଶୟ (ବ୍ୟାରେଜ) ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁରି ହୋଇଥିବା ବେଳେ ଝାରବେଡ଼ା ନୂଆଁଗା ଦେଓନଦୀ ଓ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ଯୋଗାଣ ସହ ବ୍ୟାରେଜ ୫୭କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ୩ଟି ଆଭାସି ବୈଠକ ମଧ୍ୟରେ ଏହି ଘୋଷଣାମାନ କରାଯାଇଥିଲା।

Comments are closed.