ଅର୍ବାନ ବ୍ୟାଙ୍କରେ ଜିଏସଟି ଠକେଇ ପ୍ରସଙ୍ଗ : ‘ପିଏମ୍‌ଓ’ର ଖୋଳତାଡ଼

ରାଉରକେଲା : ରାଉରକେଲା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ଜାଲ ଖାତାରେ ଶହଶହ କୋଟିର ବେଆଇନ କାରବାର ଏବଂ ରାଉରକେଲାରେ ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି) ଠକେଇ ଘଟଣାରେ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପୂର୍ବତନ ବିଧାୟକ ତଥା ରାଉରକେଲା ଜିଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ଅଭିଯୋଗ ଆଧାରରେ ପିଏମ୍‌ଓ ଖୋଳତାଡ଼ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଜିଏସ୍‌ଟି ବିଭାଗଠାରୁ ପିଏମ୍‌ଓ ଏକ ବିବରଣୀ (ରିପୋର୍ଟ)ମାଗିଛି। ତେଣୁ ଏହି ରିପୋର୍ଟ ପରେ ହଜାର ହଜାର କୋଟି ଠକେଇ ମାମଲାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କିମ୍ବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ କରିପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
୨୦୧୮ ମସିହାରେ ରାଉରକେଲାରୁ ପ୍ରଥମେ ଜିସ୍‌ଟି ଠକେଇ ଧରା ପଡ଼ିଲା ପରେ ସରକାରଙ୍କ ନିଦ ହଜି ଯାଇଥିଲା। ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଜିଏସ୍‌ଟି ପକ୍ଷରୁ ଚଢ଼ଉ କରାଯାଇ ବହୁ ଠକଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ଟିକସ ଚୋରମାନେ ଜାଲ ଜିଏସ୍‌ଟି ନମ୍ବର ହାସଲ ପରେ ବିଭିନ୍ନ ବ୍ୟାଙ୍କରେ ଖାତା ଖୋଲି ହଜାର ହଜାର କୋଟିର କାରବାର କରିଥିବା ପ୍ରମାଣ ମିଳିଛି। ଏସବୁ ଜାଲ ଖାତା ପଛରେ ବ୍ୟାଙ୍କ ଅଧିକାରୀଙ୍କ ସନ୍ଦିଗ୍ଧ ଭୂମିକା ପଦାରେ ପଡ଼ିଛି। ଜାଲ ଖାତା ସଂଖ୍ୟା ଖୋଲାରେ ରାଉରକେଲା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ସବୁଠାରୁ ଆଗରେ ରହିଛି। ଶ୍ରୀ ତିର୍କୀଙ୍କ ଅଭିଯୋଗ ଅନୁସାରେ ବ୍ୟାଙ୍କରେ ୧୬୦ଟି ଜାଲ ଆକାଉଣ୍ଟ ରହିଛି। ସେଥିରେ କୋଟି କୋଟି ଟଙ୍କାର କାରବାର ହୋଇଛି। ସବୁଠାରୁ ବଡ଼ କଥା ହେଲା ଆକାଉଣ୍ଟଧାରୀ ମାନେ କେବେ ବ୍ୟାଙ୍କ ଯାଇ ନାହାନ୍ତି କି ଆକାଉଣ୍ଟ ଖୋଲି ନଥିବା ଅଭିଯୋଗ କରିଛନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଏସବୁ ଆକାଉଣ୍ଟରେ ଏକାଥରକେ ୪୦/୫୦ ଲକ୍ଷ ଟଙ୍କା ଯାଏଁ ନଗଦ ଉଠାଣ ହୋଇଛି। ଏହି ସନ୍ଦେହଜନକ କାରବାର ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ରିଜର୍ଭ ବ୍ୟାଙ୍କକୁ ଏସ୍‌ଟିଆର (ସସ୍‌ପିସିଅସ୍‌ ଟ୍ରାନଜେକ୍ସନ ରିପୋର୍ଟ) ଦେବା କଥା। ତାହା ମଧ୍ୟ ହୋଇ ନାହିଁ। ବ୍ୟାଙ୍କ ଅଧିକାରୀ ଓ ଟିକସ ଚୋର ହାତ ମିଳାଇ ହଜାର ହଜାର କୋଟି ଟଙ୍କା ଜିଏସ୍‌ଟି ହଡ଼ପ କରିଥିବା ଶ୍ରୀ ତିର୍କୀ ଅଭିଯୋଗ କରି ଗତ ବର୍ଷ ଡିସେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଇଡି କିମ୍ବା ସିବିଆଇ ଦ୍ୱାରା ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ପ୍ରାୟ ୯ ମାସ ପରେ ପିଏମ୍‌ଓ ପକ୍ଷରୁ ଏହାର ଖୋଳତାଡ଼ ହୋଇଛି। ପ୍ରାଥମିକ ଭାବେ ପିଏମ୍‌ଓ ଜିଏସ୍‌ଟି ବିଭାଗରୁ ଏ ସମ୍ପର୍କିତ ରିପୋର୍ଟ ତଲବ କରିଛି। ଜିଏସ୍‌ଟି ପକ୍ଷରୁ ପ୍ରାଥମିକ ଭାବେ ୮/୧୦ ପୃଷ୍ଠାର ତଦନ୍ତ ରିପୋର୍ଟ ପଠା ଯାଇଛି। ପିଏମ୍‌ଓ ଏହି ରିପୋର୍ଟ ପାଇଲା ପରେ ଇଡି କିମ୍ବା ସିବିଆଇକୁ ତଦନ୍ତ ପାଇଁ ସୁପାରିସ କରିପାରେ ା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ଜାଲ ଆକାଉଣ୍ଟ ଓ ଏଥିରେ କାରବାର ତଦନ୍ତ ପାଇଁ ବ୍ୟାଙ୍କ ପରିଚାଳନା କମିଟିର ପୂର୍ବତନ ସଭାପତି ଆଦିତ୍ୟ ମହାପାତ୍ର ରାଜ୍ୟ ସମବାୟ ବିଭାଗର ମହାଲେଖାକାରଙ୍କ (ଅଡିଟର ଜେନେରାଲ) ନିକଟରେ ଅଭିଯୋଗ କରିଥିଲେ। ଗତ ଜାନୁଆରୀ ମାସରୁ ସମବାୟ ବିଭାଗର ଜଣେ ସ୍ୱତନ୍ତ୍ର ଅଡ଼ିଟର ତଦନ୍ତ ଚଳାଇଛନ୍ତି।

Comments are closed.