ରିୟାଙ୍କ ଜାମିନ ଖାରଜ

ମୁମ୍ବାଇ‌: ନିଷିଦ୍ଧ ନିଶାସେବନ ଓ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ଅନ୍ୟ ୬ଜଣ ଅଭିଯୁକ୍ତଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି।

ସୂଚନା ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସେପ୍ଟେମ୍ବର ୮ରେ ଅଭିନେତ୍ରୀ ରିୟାଙ୍କୁ ଗିରଫ କରିଥିଲା।  ଗିରଫ ପରେ ରିୟା ଜାମିନ ଆବେଦନ କରିଥିଲେ; ମାତ୍ର ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।  ସାନି ଜାମିନ ଆବେଦନରେ ରିୟା ଦର୍ଶାଇଛନ୍ତି ଯେ ଜେଲ୍‌ରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହା ସହିତ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆରୋପ କରାଯାଇଛି ତାହା ଜାମିନ ଯୋଗ୍ୟ। ଏନଡିପିସିର ସ୍ବତନ୍ତ୍ର ଅଦାଲତର ବିଚାରପତି ଜିବି ଗୁରାଓଙ୍କ ନିକଟରେ ଜାମିନ ପିଟିସନ ଦାଖଲ କରାଯାଇଛି ବୋଲି ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ କହିଥିଲେ। ମାନସିନ୍ଧେ ଅଭିଯୋଗ କରିଛନ୍ତି ଯେ, ରିୟାଙ୍କୁ କେବଳ ଏନସିବିର ପୁରୁଷ ଅଫିସରମାନେ ଜେରା କରିଥିଲେ। କୌଣସି ମହିଳା ଅଧିକାରୀ ଉପସ୍ଥିତ ନଥିଲେ।

ରିୟା ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ିଥିଲେ। ତେବେ ଅଦାଲତ ରିୟାଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ପ୍ରଥମ ଆବେଦନ ଖାରଜ ହେବା ପରେ ରିୟା ଦ୍ବିତୀୟ ଥର ଜାମିନ ଆବେଦନ କରିଥିଲେ, ଯାହାର ଶୁଣାଣି ସେପ୍ଟେମ୍ବର ୧୦କୁ ରଖାଯାଇଥିଲା।

ତେବେ ଗତକାଲି ଅଦାଲତ ଶୁଣାଣିକୁ ସ୍ଥଗିତ ରଖି ଆଜି ଶୁଣାଣି ହେବ ବୋଲି କହିଥିଲେ। ଆଜି ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ।

 

Comments are closed.