ନବୀନଙ୍କୁ ପଛରେ ପକାଇଲେ ରୀତା !

ଭୁବନେଶ୍ଵର: ବିଜେପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ଜାରି ରହିଛି। ପୂର୍ବ ତୁଳନାରେ ବିଜେଡି ଏଥର ଅଧିକ ଭୋଟରେ ବିଜୟୀ ହେବା  ଅନୁମାନ କରାଯାଉଛି। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ନ ଥିଲେ ହେଁ ୧୩ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୯୦ ହଜାର ୩୫୩ ଖଣ୍ଡ ଭୋଟ ପାଇଛନ୍ତି। ଏପରି ସ୍ଥଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୪ ହଜାର ୭୮୧ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୩୭୮୭ ଭୋଟ ପାଇଛନ୍ତି। ତେବେ ଏହି ଉପନିର୍ବାଚନ ଫଳାଫଳରେ ବିଜେପୁରରେ ରୀତା ସାହୁଙ୍କ ଲୋକପ୍ରିୟତା ବଢ଼ିଥିବା ଦେଖିବାକୁ ମିଳିଛି। ଗତ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ସୁପ୍ରିମୋ ପ୍ରାର୍ଥୀ ହୋଇ ଯେତିକି ଭୋଟ ପାଇ ନ ଥିଲେ ରୀତା ତାହାଠାରୁ ଅଧିକ ଭୋଟ ପାଇବେ ବୋଲି ଚର୍ଚ୍ଚା ହେଉଛି। ନବୀନ ପଟ୍ଟନାୟକ ଗତ ଥର ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୫୭ ହଜାର ଭୋଟରେ ପରାଜିତ କରିଥିଲେ। ନବୀନଙ୍କୁ ୧ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ମିଳିଥିଲା। ଏଥର ଉପନିର୍ବାଚନରେ ୧୩ ରାଉଣ୍ଡ ସୁଦ୍ଧା ରୀତାଙ୍କ ଭୋଟ ୯୦ ହଜାର ଅତିକ୍ରମ କରିଥିବାରୁ ଅବଶିଷ୍ଟ ୮ ରାଉଣ୍ଡରେ ରୀତା ଭୋଟରେ ନବୀନଙ୍କୁ ମଧ୍ୟ ପଛରେ ପକାଇବେ ବୋଲି ଆଲୋଚନା ହେଉଛି। କିନ୍ତୁ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଭୋଟ ବ୍ୟବଧାନରେ ରୀତା ସାହୁ ନବୀନଙ୍କୁ ପଛରେ ପକାଇ ଦେଇଛନ୍ତି। ୧୩ ରାଉଣ୍ଡ ସୁଦ୍ଧା ରୀତା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କଠାରୁ ୬୫ ହଜାର ୫୭୨ ଭୋଟରେ ଆଗୁଆ ରହିଛନ୍ତି।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଏଠାରୁ ୫୩ ହଜାର ୪୮୨ ଭୋଟ ପାଇଥିଲାବେଳେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍‌ ୧୪ ହଜାର ୩୪୪ ଭୋଟ ପାଇଥିଲେ।

Comments are closed.