ତେଲ ତାଉ କାହିଁକି?

ପେଟ୍ରୋଲ, ଡିଜେଲର ଚଢ଼ା ଦର ସାଙ୍ଗକୁ ଗତ ଛ’ମାସରେ ଭାରତୀୟ ଖାଉଟି ବଜାରରେ ଖାଇବାତେଲର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କ ଅର୍ଥନୈତିକ ସ୍ଥିତି ଉପରେ ପ୍ରଭାବ ପକାଇଛି। ସଂସଦର ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଖାଇବାତେଲର ଦରବୃଦ୍ଧିକୁ ଆନ୍ତର୍ଜାତିକ ବଜାର ତୁଳନାରେ କମ୍‌ ବୋଲି ଦର୍ଶାଇଥିବାବେଳେ ପ୍ରକୃତପକ୍ଷେ ଏହାର ପ୍ରଚ୍ଛଦପଟ୍ଟରେ ଥିବା ବିଭିନ୍ନ କାରଣକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୃଥିବୀର ମୁଖ୍ୟ ଖାଇବାତେଲ ଆମଦାନୀ ରାଷ୍ଟ୍ରଭାବେ ଆମ ଦେଶ ମୋଟ ଘରୋଇ ଚାହିଦାର ପ୍ରାୟ ଷାଠିଏରୁ ସତୁରି ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ। ଦେଶର ଖାଇବା ତେଲର ଆବଶ୍ୟକତା ଛବିଶ ନିୟୁତ ଟନ୍‌ ଥିବାବେଳେ ଆମେ ମାତ୍ର ଆଠ ନିୟୁତ ଟନ ଉତ୍ପାଦନ କରିଥାଉ। ଗତ ୨୦୧୯ ଆର୍ଥିକ ବର୍ଷରେ ଭାରତ ପ୍ରାୟ ପନ୍ଦର ନିୟୁତ ଟନ ଖାଇବାତେଲ ଆମଦାନୀ କରିଛି ଯାହାର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୭୩୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅତଏବ ଭାରତ ପରି ବିଶାଳ ରାଷ୍ଟ୍ରର ବହୁଳ ଜନସଂଖ୍ୟା, ପ୍ରଚୁର ଚାଷ ଜମି, ବିବିଧ ଜଳବାୟୁ ବି ଦେଶକୁ ଖାଇବା ତେଲ ଉତ୍ପାଦନରେ ସ୍ବାବଲମ୍ବୀ କରିପାରୁନି; ଏହା ଆମର କୃଷି ସଂଲଗ୍ନ ଯୋଜନାଗୁଡ଼ିକରେ ଥିବା ଅଦୃଶ୍ୟ ଫାଙ୍କଗୁଡ଼ିକୁ ଅଙ୍ଗୁଳି ନିର୍ଦେଶ କରୁଛି।
ଭାରତର ୨୬ ନିୟୁତ ହେକ୍ଟର ଜମିରେ ତୈଳବୀଜ ଫସଲ ଚାଷ କରାଯାଏ। ସେଥିମଧ୍ୟରୁ ପାଖାପାଖି ଅଶୀ ପ୍ରତିଶତରେ ସୋୟାବିନ୍‌, ଚିନାବାଦାମ ଓ ସୋରିଷ ଚାଷ ହୁଏ। ଅବଶିଷ୍ଟ ଜମିରେ ସୂର୍ଯ୍ୟମୁଖୀ, ରାଶି, ଅଳସୀ, ପେଶୀ, ଜଡ଼ା ଆଦି ଚାଷ କରାଯାଏ। ମଞ୍ଜିରୁ ତେଲ ଉତ୍ପାଦନର ହାରକୁ ୨୮ ପ୍ରତିଶତ ନେଇ ହିସାବ କଲେ ଆମର ଉତ୍ପାଦିତ ୮.୪ ନିୟୁତ ଟନ ଖାଇବାତେଲ ମୋଟ ଆବଶ୍ୟକତାର ମାତ୍ର ତିରିଶ ପ୍ରତିଶତ ଅଟେ। ଅତଏବ ଅବଶିଷ୍ଟ ସତୁରି ପ୍ରତିଶତ ତେଲକୁ ଭାରତ ବିଦେଶ ମାଟିରୁ କିଣିବାକୁ ବାଧ୍ୟ ହୁଏ। ଏହି ଆମଦାନୀ ତେଲର ମୂଲ୍ୟ ମୋଟ କୃଷିଜାତ ଦ୍ରବ୍ୟ ଆମଦାନୀର ଚାଳିଶ ପ୍ରତିଶତ ତଥା ଦେଶର ସର୍ବମୋଟ ଆମଦାନୀର ତିନି ପ୍ରତିଶତ ଅଟେ। ତେଣୁ ଖାଇବା ତେଲ ଉତ୍ପାଦନକୁ ଆବଶ୍ୟକୀୟ ଗୁରୁତ୍ବ ନଦେବା ଆମର ଅଦୂରଦର୍ଶିତାର ପ୍ରମାଣ ଦେଇଥାଏ।
ଆମ ଦେଶର ମୋଟ ଆମଦାନୀ ତେଲର ୬୨ ପ୍ରତିଶତ ପାମୋଲିନ ତେଲ, ୨୧ ପ୍ରତିଶତ ସୋୟାବିନ୍‌ ତେଲ ଓ ୧୬ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ହୋଇଥାଏ। ଅପେକ୍ଷାକୃତ ଶସ୍ତା ପାମୋଲିନ୍‌ ତେଲ ମାଲେସିଆ, ଇଣ୍ଡୋନେସିଆରୁ ଆସୁଥିବାବେଳେ ସୋୟାବିନ୍‌ ବ୍ରାଜିଲ, ଆର୍ଜେଣ୍ଟିନା ଓ ସୂର୍ଯ୍ୟମୁଖୀ ୟୁକ୍ରେନ୍‌ ତଥା ରୁଷିଆରୁ ଆସିଥାଏ। ତେଣୁ ଭାରତୀୟ ରୋଷେଇଶାଳର ବାସନା ତଥା ବ୍ୟଞ୍ଜନର ସ୍ବାଦ ଯେ ବିଦେଶୀ ବଜାରଦ୍ବାରା ପରିଚାଳିତ ହୁଏ, ଏହା କହିବା ଭୁଲ୍‌ ନୁହେଁ। ଖାଇବାତେଲର ଚାହିଦା ମେଣ୍ଟାଇବାକୁ ୧୯୮୬ ମସିହାରେ ଦେଶରେ ​‌େ​‌ତୖଳବୀଜ ମିଶନ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଇସୋପମ୍‌ ଯୋଜନାରେ ଦେଶର ଚଉଦଟି ପ୍ରମୁଖ ତୈଳ ଉତ୍ପାଦନକାରୀ ରାଜ୍ୟ ସାମିଲ ହୋଇଥିଲେ ମଧ୍ୟ ଉତ୍ପାଦକତାରେ ଭାରତ ବିଶ୍ବହାରଠାରୁ ବହୁ ପଛରେ। ସେଥିପାଇଁ ୨୦୧୮-୧୯ ମସିହାରୁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନରେ ତୈଳବୀଜ ଓ ପାମ୍‌ଅଏଲ୍‌ ଚାଷକୁ ଗୁରୁତ୍ବ ଦିଆଯାଉଛି। ଚାଷୀକୁ ତୈଳବୀଜ ଚାଷକୁ ଆକୃଷ୍ଟ କରିବାକୁ ଗତ ଦଶନ୍ଧି (୨୦୧୦-୨୦୨୦)ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୦୦୦ଟଙ୍କାରୁ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ସୋରିଷ ମୂଲ୍ୟ ୧୮୫୦ରୁ ୪୬୫୦ ଟଙ୍କା, ଚିନାବାଦାମ ମଞ୍ଜିର ମୂଲ୍ୟ ୨୩୦୦ଟଙ୍କାରୁ ୫୨୭୫ଟଙ୍କା, ସୋୟାବିନ୍‌ ୧୪୦୦ଟଙ୍କାରୁ ୩୭୧୦ଟଙ୍କା ତଥା ରାଶିର ମୂଲ୍ୟ ୨୨୦୦ ଟଙ୍କାରୁ ୬୮୫୫ଟଙ୍କାକୁ ବୃଦ୍ଧି କରାଯାଇଛି। ତଥାପି ଆବଶ୍ୟକୀୟ ଭିତ୍ତିଭୂମି, ସୁଦୃଢ଼ ବଜାର ବ୍ୟବସ୍ଥା, ପ୍ରକ୍ରିୟାକରଣର ଅଭାବ, ଜଳବାୟୁ ଉପଯୋଗୀ ଉନ୍ନତ କିସମର ଅଭାବ ପାଇଁ ତୈଳବୀଜ ଏକ ଗୌଣ ଫସଲ ଭାବେ ଭାରତ​‌େ​‌ର ବିବେଚିତ ହେଉଅଛି। ମୋଟ ତୈଳବୀଜ ଉତ୍ପାଦନର ୭୨ ପ୍ରତିଶତ ଅଣଜଳସେଚିତ ବୃଷ୍ଟିପୁଷ୍ଟ ଅଞ୍ଚଳରେ ଚାଷ କରାଯାଇଥିବାରୁ ଉତ୍ପାଦକତା ବହୁତ କମ୍‌ ରହୁଛି।
ଏହି କ୍ରମରେ ଆମ ଓଡ଼ିଶା କଥା ଚିନ୍ତା କରାଯାଉ। ନିକଟରେ ଓଡ଼ିଶା ବିଧାନସଭାରେ ଖାଇବାତେଲର ବର୍ଦ୍ଧିତ ଦରକୁ ନେଇ ଚିନ୍ତାପ୍ରକଟ କରାଯାଇଛି। ଯଦିଓ ବିଭିନ୍ନ ଟିକସ ପ୍ରଣୟନ ଓ ଡିଜେଲ ଦର ବୃଦ୍ଧି, ତୈଳ ଦରକୁ ପ୍ରଭାବିତ କରିଛି, ତଥାପି ଆମ ରାଜ୍ୟ ଖାଇବାତେଲର ଉତ୍ପାଦନର ସ୍ବାବଲମ୍ବୀ ସୀମାଠାରୁ ବହୁ ପଛରେ ରହିଛି। ଆମ ରାଜ୍ୟରେ ୫.୯ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଫସଲ ଚାଷ କରାଯାଉଥିବାବେଳେ ଏହାର ଏକ ତୃତୀୟାଂଶ ଅର୍ଥାତ୍‌ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ କେବଳ ରାଶି ଚାଷ କରାଯାଉଛି। ଏହା ପଛକୁ ଚିନାବାଦାମ (୧.୯୨ ଲକ୍ଷ ହେ.) ଓ ସୋରିଷ (୧.୦୨ଲକ୍ଷ ହେ.) ଚାଷ କରାଯାଉଛି। ସୂର୍ଯ୍ୟମୁଖୀ, ପେଶୀ, ଅଳସୀ, ଜଡ଼ା ଚାଷ ଜମିର ପରିସୀମା ନଗଣ୍ୟ। ସେହି କ୍ରମରେ ରାଜ୍ୟର ଉତ୍ପାଦନ ତଥା ସ୍ଥାନୀୟ ବଜାର ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ରାଜ୍ୟ ଅର୍ଥନୈତିକ ସର୍ଭେର ତଥ୍ୟ ଅନୁସାରେ ଓଡ଼ିଶାରେ ତୈଳବୀଜଫସଲ କ୍ଷେତ ୨୦୧୪-୧୫ ମସିହାରେ ମୋଟ ଚାଷଜମିର ୮.୨୩ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏହା ୭.୫୫ ପ୍ରତିଶତକୁ ଖସିଆସିଛି। ସେହି ସମୟରେ ଧାନ ପରବର୍ତ୍ତୀ ଫାଙ୍କା ଜମି ପରିମାଣ ୯.୧୩ ଲକ୍ଷ ହେକ୍ଟରରୁ ୧୦.୭୭ଲକ୍ଷ ହେକ୍ଟର ବଢ଼ିଛି। ୨୦୦୫-୦୬ରୁ ୨୦୧୭-୧୮ ଦଶନ୍ଧି ମଧ୍ୟରେ କ୍ରପିଙ୍ଗ୍‌ଇଣ୍ଟେସିଟି ୧୫୭ରୁ ୧୫୧ ପ୍ରତିଶତ କମିଛି। କହିବା ବାହୁଲ୍ୟ ପ୍ରତିବର୍ଷ ଖାଇବା ତେଲର ଚାହିଦା ବଢ଼ୁଥିବାବେଳେ ତୈଳବୀଜ ଫସଲ ଚାଷ କ୍ଷେତର ଆକାର କମିକମି ଯାଉଛି। ଦଶଟି ଭିନ୍ନ ଜଳବାୟୁ ମଣ୍ଡଳ ଥିବା ଓଡ଼ିଶାରେ ଏପରି ସ୍ଥିତି ବୁଦ୍ଧିଜୀବୀ, ବିଶେଷଜ୍ଞମାନଙ୍କୁ ଆଚମ୍ବିତ କରୁଅଛି। କେନ୍ଦୁଝର, କୋରାପୁଟ ଫୁଲବାଣୀ ଭଳି ଜିଲାର ପାହାଡ଼ିଆ ଅଞ୍ଚଳର ନିପାଣିଆ ସୋରିଷ ହେଉ ବା ଉପକୂଳବର୍ତ୍ତୀ ଜିଲାର ଜଳସେଚିତ ସୋରିଷ ହେଉ; କେନ୍ଦୁଝର, କୋରାପୁଟ ଜିଲା ପାହାଡ଼ିଆ ଢ଼ାଲୁର ଅଳସୀ ହେଉ ବା ମୟୂରଭଞ୍ଜ, କେନ୍ଦୁଝରର ପେଶୀ ଚାଷ ହେଉ; କଳାହାଣ୍ଡି ଜିଲାର ସୂର୍ଯ୍ୟମୁଖୀ ବା କପା ହେଉ ଅଥବା ସାରା ଓଡ଼ିଶାର ରାଶି ବା ଚିନାବାଦାମ ଫସଲ ହେଉ; ସବୁସ୍ଥାନରେ ଏହି ଅର୍ଥକରୀ ଫସଲର ପରିସୀମା ଓ ଉତ୍ପାଦିକତା ବଢ଼ାଇବାପାଇଁ ଦୀର୍ଘସୂତ୍ରୀ ତଥା ତ୍ବରିତ ପଦକ୍ଷେପର ଆବଶ୍ୟକତା​‌ ରହିଛି। ଓଡ଼ିଶା, ଯାହାର ସତୁରି ପ୍ରତିଶତ ଜନତା ଏବେ ବି କୃଷି ଉପରେ ନିର୍ଭରଶୀଳ, ଛପନ ଲକ୍ଷ କୃଷି ପରିବାର କାଳିଆ ଯୋଜନା ଦ୍ବାରା ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ସରକାରଙ୍କ ଆର୍ଥିକ ସୁବିଧା ପାଇପାରୁଛନ୍ତି; ସେମାନଙ୍କ ପାଇଁ ଉପଯୁକ୍ତ ଅଧିକ ଅମଳକ୍ଷମ ଜଳବାୟୁ ସମ୍ବେଦନଶୀଳ କିସମ, ପ୍ରକ୍ରିୟାକରଣ ପାଇଁ ଗାଁଗାଁରେ କ୍ଷୁଦ୍ର ତେଲ ମିଲ୍‌ ଓ ଦୃଢ଼ ତଥା ସରଳୀକରଣ ବଜାର ବ୍ୟବସ୍ଥା ଓ ଉପଯୁକ୍ତ ଭିତ୍ତିଭୂମିର ବ୍ୟବସ୍ଥା କରାଗଲେ ଓଡ଼ିଶା ଖାଇବା ତେଲ ଉତ୍ପାଦନରେ ସ୍ବାବଲମ୍ବୀ ହେବାସହ ସ୍ଥାନୀୟ ବଜାର ଦର ନିୟନ୍ତ୍ରଣ କରିପାରିବ ଓ ଚାହିଦା ପୂରଣ କରିପାରିବ, ଏଥିରେ ଅନ୍ୟଥା ନାହିଁ। ଆତ୍ମନିର୍ଭର ଭାରତ ତଥା ଏକ ସୁସ୍ଥ, ସମୃଦ୍ଧ, ସ୍ବାବଲମ୍ବୀ ଓଡ଼ିଶା ଗଠନରେ ତୈଳବୀଜ ଫସଲ ଚାଷ ପାଇଁ ଏକ ଉପଯୁକ୍ତ ଯୋଜନା ଓ ତା’ର ଠିକ୍‌ କାର୍ଯ୍ୟାନ୍ବୟନ ଫଳବତୀ ସାବ୍ୟସ୍ତ ହେବ।

 

ସୁଜିତ୍‌ କୁମାର ନାଥ

ତଳମୂଳ ଶାସନ, ଅନୁଗୋଳ
ଫୋ:୯୪୩୭୩୬୪୮୬୬

Comments are closed.